ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ଯୋଗୁ ଲୋକମାନେ କେତେ ଚାପରେ ଅଛନ୍ତି ତାହା ନିର୍ବାଚନ କମିସନ ବୁଝିବା ଆବଶ୍ୟକ। ‘ତାର୍କିକ ଅସଙ୍ଗତି’ ବର୍ଗରେ ନୋଟିସ ପାଇଥିବା ୧.୨୫ କୋଟି ଭୋଟରଙ୍କ ନାମ ପ୍ରକାଶ କରିବା ସହ ସେଗୁଡ଼ିକର ଯାଞ୍ଚ ଯେଭଳି ସ୍ବଚ୍ଛ ଭାବେ ହେବ ତାହା ନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ଆଜି ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ନିର୍ବାଚନ କମିସନଙ୍କୁ ‘ତାର୍କିକ ଅସଙ୍ଗତି’ ବର୍ଗରେ ନୋଟିସ୍ ପାଇଥିବା ଭୋଟରଙ୍କ ନାମ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେବା ସହ କହିଛନ୍ତି ଏହି ନାମଗୁଡ଼ିକ ଗ୍ରାମ ପଞ୍ଚାୟତ, ବ୍ଲକ୍ କାର୍ଯ୍ୟାଳୟ ଏବଂ ୱାର୍ଡ କାର୍ଯ୍ୟାଳୟରେ ପ୍ରଦର୍ଶିତ ହେବା ଉଚିତ। ନୋଟିସ୍ ପାଇଥିବା ଲୋକଙ୍କୁ ଦସ୍ତାବିଜ୍ ଦାଖଲ କରିବା ପାଇଁ ଅଧିକ ସମୟ ଦିଆଯିବା ଉଚିତ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଶୁଣାଣି ସମୟରେ ପର୍ଯ୍ୟାପ୍ତ ମାନବସମ୍ବଳ ନିୟୋଜିତ କରାଯିବା ଉଚିତ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷମାନେ ପ୍ରାପ୍ତ ଦସ୍ତାବିଜ୍ର ରସିଦ୍ ପ୍ରଦାନ କରିବା ଉଚିତ ଏବଂ ନୋଟିସ୍ ପାଇଥିବା ବ୍ୟକ୍ତିମାନଙ୍କ ଅଭିଯୋଗ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି କ’ଣ ନିଆଗଲା ତାହା ଜଣାଇବା ଉଚିତ।
ଆହୁରି ପଢନ୍ତୁ: Bhadrayani Conflict: ଭଣ୍ଡୁର ହେଲା ଭଦ୍ରାୟଣୀ: ଜିଲ୍ଲା ମହୋତ୍ସବକୁ ନେଇ ବିବାଦ
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗ୍ଚୀ ମାମଲାର ବିଚାର କରିଛନ୍ତି। ଶୁଣାଣି ସମୟରେ ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓବ୍ରାଏନଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ୍ ସିବଲ ଖଣ୍ଡପୀଠଙ୍କୁ କହିଥିଲେ ଯେ ଲୋକମାନଙ୍କୁ ସେମାନଙ୍କ ଜେଜେବାପାଙ୍କ ସହ ବୟସର ପାର୍ଥକ୍ୟ ପାଇଁ ‘ତାର୍କିକ ଅସଙ୍ଗତି’ ବର୍ଗରେ ନୋଟିସ କରାଯାଇଛି। ଅନ୍ୟପକ୍ଷେ ନିର୍ବାଚନ କମିସନଙ୍କ ପକ୍ଷରୁ ବରିଷ୍ଠ ଓକିଲ ରାକେଶ ଦ୍ୱିବେଦୀ ଖଣ୍ଡପୀଠଙ୍କୁ କହିଥିଲେ ଯେ ବାପା ମା’ ଏବଂ ପିଲାମାନଙ୍କ ମଧ୍ୟରେ ୧୫ ବର୍ଷ ବୟସ ପାର୍ଥକ୍ୟ ଥିବା ମାମଲା ରହିଛି। ଜଷ୍ଟିସ୍ ବାଗଚୀ ଉତ୍ତର ଦେଇଥିଲେ, ‘ମା ଏବଂ ପୁଅ ମଧ୍ୟରେ ୧୫ ବର୍ଷର ବୟସ ପାର୍ଥକ୍ୟ କିପରି ଏକ ତାର୍କିକ ଅସଙ୍ଗତି ହୋଇପାରେ।
ଆମେ ଏପରି ଦେଶରେ ନାହୁଁ ଯେଉଁଠାରେ ବାଲ୍ୟ ବିବାହ ବାସ୍ତବତା ନୁହେଁ। ‘ତାର୍କିକ ଅସଙ୍ଗତି’ ବର୍ଗରେ ଜାରି ହୋଇଥିବା ନୋଟିସ୍ ମଧ୍ୟରେ ଅର୍ଥନୀତିଜ୍ଞ ଏବଂ ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ ମଧ୍ୟ ଅଛନ୍ତି। ଜଷ୍ଟିସ୍ ବାଗଚୀ ଉଲ୍ଲେଖ କରିଛନ୍ତି ଯେ ୧ କୋଟିରୁ ଅଧିକ ଲୋକଙ୍କୁ ନୋଟିସ୍ କରାଯାଇଛି। ଦୟାକରି ଲୋକମାନେ ଯେଉଁ ଚାପ ଭୋଗୁଛନ୍ତି ତାହା ବୁଝନ୍ତୁ। ଆବଶ୍ୟକ ହେଲେ ଆମେ ନିର୍ଦ୍ଦେଶନାମା ଜାରି କରିବୁ ବୋଲି ସେ କହିଛନ୍ତି। ଗୋଟିଏ ସ୍ଥାନରେ, ବରିଷ୍ଠ ଆଇନଜୀବୀ ଦ୍ୱିବେଦୀ ମଧ୍ୟ ମନ୍ତବ୍ୟ ଦେଇଥିଲେ ଯେ ଯଦି ନିର୍ବାଚନ ସଂସ୍ଥା ଉପରେ ବିଶ୍ୱାସ କରାଯାଇପାରିବ ନାହିଁ, ତେବେ ଏହି କାର୍ଯ୍ୟ ବନ୍ଦ କରାଯିବା ଉଚିତ। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାର ଏସ୍ଆଇଆର୍ ପ୍ରକ୍ରିୟାକୁ ଦୃଢ଼ ବିରୋଧ କରିଛି ଏବଂ ଅଭିଯୋଗ କରିଛି ଯେ ଏହା ଆଗାମୀ ରାଜ୍ୟ ନିର୍ବାଚନ ପୂର୍ବରୁ ବୈଧ ଭୋଟରଙ୍କ ନାମ ବାଦ୍ ଦେବାର ଏକ ଚାଲ୍।
ଆହୁରି ପଢନ୍ତୁ: NALCO: ରେୟାର ଆର୍ଥ ବ୍ୟବସାୟରେ ନାଲ୍କୋର ପ୍ରବେଶ ଯୋଜନା: କାବିଲରେ ଅଂଶଧନ ୬୦ ପ୍ରତିଶତକୁ ବଢ଼ାଇବ
ଉଲ୍ଲେଖଯୋଗ୍ୟ ନିର୍ବାଚନ କମିସନ ତିନୋଟି ବର୍ଗ ‘ମ୍ୟାପଡ୍’ , ‘ଅନ୍ମ୍ୟାପଡ୍’ ଏବଂ ‘ତାର୍କିକ ଅସଙ୍ଗତି’ ଥିବା ଭୋଟରଙ୍କୁ ନୋଟିସ ଜାରି କରିଛନ୍ତି। ‘ମ୍ୟାପ୍ଡ୍’ ବର୍ଗରେ ସେହି ଭୋଟରମାନେ ଅନ୍ତର୍ଭୁକ୍ତ ଯେଉଁମାନଙ୍କ ରେକର୍ଡ ଭୋଟର ତଥ୍ୟ ସହିତ ଯୋଡ଼ା ଯାଇଛି, କିନ୍ତୁ ଅଧିକ ଯାଞ୍ଚ ଆବଶ୍ୟକ। ‘ଅନମ୍ୟାପଡ୍’ ବର୍ଗରେ ସେହି ଭୋଟରମାନେ ଅନ୍ତର୍ଭୁକ୍ତ ଯେଉଁମାନଙ୍କ ରେକର୍ଡ ନିର୍ବାଚନ ତଥ୍ୟ ସହ ଯୋଡ଼ି ହୋଇନାହିଁ। ‘ତାର୍କିକ ଅସଙ୍ଗତି’ ବର୍ଗରେ ଯେଉଁମାନେ ନୋଟିସ୍ ପାଇଛନ୍ତି ସେମାନଙ୍କ କ୍ଷେତ୍ରରେ ବାପା ମା’ଙ୍କ ନାମ ମେଳ ଖାଉ ନ ଥିବା, ଭିନ୍ନ ବନାନ ଏବଂ ପିଲା ଓ ବାପା ମା’ଙ୍କ ବୟସ ବ୍ୟବଧାନରେ ଅବିଶ୍ବସନୀୟ ପାର୍ଥକ୍ୟ ଥିବା ଭଳି ଅସଙ୍ଗତି ରହିଛି।
Follow Us