ବଳଙ୍ଗା ଥାନାରେ ବିସ୍ଫୋରଣ: ଉଡ଼ିଗଲା ଥାନା କୋଠା, ପ୍ରଚଣ୍ଡ ଶବ୍ଦରେ ଥରିଲା ଆଖପାଖ

Advertisment
ବଳଙ୍ଗା ଥାନାରେ ବିସ୍ଫୋରଣ: ଉଡ଼ିଗଲା ଥାନା କୋଠା, ପ୍ରଚଣ୍ଡ ଶବ୍ଦରେ ଥରିଲା ଆଖପାଖ

ପୁରୀ/ବଳଙ୍ଗା: ଗତକାଲି ବିଳମ୍ବିତ ରାତିରେ ବଳଙ୍ଗା ଥାନାରେ ଘଟିଛି ପ୍ରଚଣ୍ଡ ବିସ୍ଫୋରଣ। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହାର ତୀବ୍ରତା ‌ଏତେ ଭୟଙ୍କର ଥିଲା ଯେ କୋଠା ଉଡ଼ିଯାଇଛି। ଥାନାର ୭୫ ପ୍ରତିଶତ କୋଠା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଥାନା ଭିତରେ ରହିଥିବା ଜବତ ବାଣ, ବିସ୍ଫୋରକ ସାମଗ୍ରୀ ଓ ସୋଲାର ବ୍ୟାଟେରିରୁ ଏହି ବିସ୍ଫୋରଣ ଘଟିଥିବା ପୁଲିସ କହିଛି। ତେବେ ଥାନା ଭିତର ମାଲଖାନା ଅକ୍ଷତ ରହିଥିବାରୁ ପୁଲିସର ଏହି ମତକୁ ନେଇ ସନ୍ଦେହ ବଢ଼ିଛି। ଆଜି ସକାଳେ ପୁରୀ ଆଇଜି ନରସିଂହ ଭୋଳ, ଏସ୍‌ପି ‌ଡ. କେ. ବିଶାଳ ସିଂହଙ୍କ ସହ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ନମୁନ ସଂଗ୍ରହ କରି ଫେରିଛି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଗତକାଲି ରାତି ପ୍ରାୟ ୧୨ଟାରେ ପ୍ରଥମେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ଆଖପାଖ ଅଞ୍ଚଳକୁ ଥରାଇ ଦେଇଥିଲା। ଏହା ପରେ ପରେ ଆଉ ତିନୋଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭିଲା ବେଳକୁ ଥାନା ପଛପାର୍ଶ୍ବ କୋଠା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ଥାନା ଭିତରେ କେହି ନ ଥିଲେ। ଜଣେ ମାତ୍ର ସେଣ୍ଟ୍ରି ଥାନା ବାହାରେ ବିଶ୍ରାମ
ନେଉଥିଲେ। ଆଉ ଏହି ସମୟରେ ହିଁ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣର ମାତ୍ରା ‌ଏତେ ଅଧିକ ଥିଲା ଯେ ଥାନାର ମୁଖ୍ୟ ଘର, ଇନ୍‌ସ୍ପେକ୍ସନ୍‌ ଗୃହ, ଦୁଇ ଦୁଇଟି ଶୌଚାଳୟ, ପାଣି ଟାଙ୍କି ସବୁ ମାଟିରେ ମିଶିଯାଇଛି। ଘରର କାନ୍ଥ ସବୁ ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ବିଛାଡ଼ି ହୋଇପଡ଼ିଛି। ଛାତ ବି ଫାଟି ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଛି। ଚେୟାର, ଟେବୁଲ୍‌, ବିଦ୍ୟୁତ୍‌ ସରଞ୍ଜାମ ଭାଙ୍ଗିରୁଜି ଏଣେ ତେଣେ ବିଛାଡ଼ି ହୋଇପଡ଼ିଛି। ଥାନା ଭିତରେ ଥିବା ଏକ ଡିପ୍‌ଫ୍ରିଜର ଅକ୍ଷତ ରହିଥିବା ବେଳେ ଏକ ସାଇକେଲ୍‌ ଭାଙ୍ଗିରୁଜି ଥାନା ବାହାରେ ପଡ଼ିଛି। ଥାନା ଟେବୁଲ୍‌ ଉପରେ ପଡ଼ିଥିବା କପଡ଼ାର ଟୁକୁଡ଼ା ସବୁ ଆଖପାଖ ଗଛରେ ଲାଗିଥିବା ଦେଖିବାକୁ ମିଳିଛି। ଥାନା ଅଧିକାରୀଙ୍କ ଚାମ୍ବର କାଚ ଦ୍ବାର ବି ଭାଙ୍ଗିଯାଇଛି। ପ୍ରବେଶ ଦ୍ବାର ବି ଉପୁଡ଼ି ପଡ଼ିଛି। ଥାନା ଛାତରେ ରହିଥିବା ପାଣି ଟାଙ୍କି ବି ଭୁଶୁଡ଼ି ପଡ଼ିଛି। ଏହି ଭଙ୍ଗା ଗୃହର ବିଭିନ୍ନ ସ୍ଥାନରେ ବାଣ, ମଦ ବୋତଲ୍‌ ସବୁ ପଡ଼ିଥିବା ଦେଖିବାକୁ ମିଳିଛି। ଆଜି ସକ‌ାଳେ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳକୁ ଯାଇ ଡିଟେକ୍ଟର ସହଯୋଗରେ ଯାଞ୍ଚ କରି ଫେରିଛନ୍ତି। ଡଗ୍‌ସ୍କ୍ବାଡ୍‌ ବି ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe