ଏଥର ନିର୍ବାଚନ ମଇଦାନରେ ନାହାନ୍ତି ଏହି ୪ ଆଞ୍ଚଳିକ ଦଳ

Advertisment
ଏଥର ନିର୍ବାଚନ ମଇଦାନରେ ନାହାନ୍ତି ଏହି ୪ ଆଞ୍ଚଳିକ ଦଳ

ଭୁବନେଶ୍ୱର (ସୁବ୍ରତ ଦାସ) : ଗତ ୨୦୧୪ ସାଧାରଣ ନିର୍ବାଚନ ଲଢିଥିବା ସମୃଦ୍ଧ ଓଡ଼ିଶା, ଉତ୍କଳ ଭାରତ, ଓଡ଼ିଶା ଜନ ମୋର୍ଚ୍ଚା ଏବଂ ଆମ ଓଡ଼ିଶା ଭଳି ଆଞ୍ଚଳିକ ଦଳ ଏଥର କୁଆଡ଼େ ଗଲେ? ଏହି ଦଳଗୁଡ଼ିକୁ ନିର୍ବାଚନୀ ମଇଦାନରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି।

ଆଞ୍ଚଳିକ ଦଳ ସମୃଦ୍ଧ ଓଡ଼ିଶା ପୂର୍ବତନ ଆଇଏଏସ୍‌ ଅଫିସର ଯତୀଶ କୁମାର ମହାନ୍ତିଙ୍କ ଦ୍ୱାରା ୨୦୦୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଗଠିିତ ହୋଇଥିଲା। ଏହି ଦଳ ୨୦୦୯ ଓ ୨୦୧୪ ନିର୍ବାଚନ ଲଢିଥିଲା। ତେବେ କୌଣସି ସଫଳତା ପାଇ ନ ଥିଲା। ଏହି ଦଳ ଏଥର ନିର୍ବାଚନ ଲଢ଼ୁନଥିବା ଜଣାଯାଇଛି।

publive-image Youtube

ସେହିପରି ଗତ ୨୦୧୦ ମସିହା ଫେବୃୟାରୀ ୨ ତାରିଖରେ ଜନ୍ମ ନେଇଥିବା ଉତ୍କଳ ଭାରତ ମଧ୍ୟ ନିର୍ବାଚନକୁ ଓହ୍ଲାଇନାହିଁ। ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ମହାମେଘ ବାହନ ଐର ଖାରବେଳ ସ୍ୱାଇଁ ଦଳ ଛାଡ଼ିବା ପରେ ଏହି ଦଳ ଗଠନ କରିଥିଲେ। ଗତ ନିର୍ବାଚନରେ ଉତ୍କଳ ଭାରତ ଆମ ଓଡ଼ିଶା ଦଳର ମାଠିଆ ଚିହ୍ନରେ ଲଢିଥିଲା। ଏଥର ଶ୍ରୀ ସ୍ୱାଇଁ ନବୀନ ବିରୋଧୀ ମେଣ୍ଟ ଗଠନ ପାଇଁ ପ୍ରୟାସ କରିଥିଲେ। ଶେଷରେ ଗତ ମାର୍ଚ୍ଚ ୨୫ ତାରିଖରେ ସେ ଭାରତୀୟ ଜନତା ପାର୍ଟିକୁ ଫେରି ଆସିଛନ୍ତି ଏବଂ କନ୍ଧମାଳ ଲୋକସଭା ଆସନରୁ ଦଳର ପ୍ରାର୍ଥୀ ହୋଇଛନ୍ତି। ତେବେ ଉତ୍କଳ ଭାରତର ଅସ୍ତିତ୍ୱ ରହିଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ‘‘ମୁଁ ଏବେ ବି ‘ଉତ୍କଳ ଭାରତ’ର ସଭାପତି ଅଛି। ତେବେ ଭାଜପାର ପ୍ରାର୍ଥୀ ହୋଇଛି। ମୁଁ ଗତଥର ମଧ୍ୟ ଆମ ଓଡ଼ିଶାର ପ୍ରାର୍ଥୀ ଭାବେ ଲଢିଥିଲି। ସେତେବେଳେ ମଧ୍ୟ ଉତ୍କଳ ଭାରତର ସ୍ୱତନ୍ତ୍ର ଅସ୍ତିତ୍ୱ ଥିଲା’’ ବୋଲି ସେ କହିଛନ୍ତି।

publive-image Ommcom

ସେହିପରି ଓଡ଼ିଶା ଜନମୋର୍ଚ୍ଚାର ପ୍ରତିଷ୍ଠାତା ଥିଲେ ବୁରୋକ୍ରାଟରୁ ରାଜନେତା ହୋଇଥିବା ପ୍ୟାରୀ ମୋହନ ମହାପାତ୍ର। ୨୦୧୨ ମେ ୨୯ରେ ନବୀନ ସରକାର ବିରୋଧରେ କଥିତ ବିଦ୍ରୋହ ବିଫଳ ହେବା ପରେ ଦଳରୁ ବହିଷ୍କୃତ ହୋଇ ୨୦୧୩ ଏପ୍ରିଲ ୧୦ ତାରିଖରେ ଓଡ଼ିଶା ଜନମୋର୍ଚ୍ଚା ଗଠନ କରିଥିଲେ। ଏହି ଦଳ ଗତ ୨୦୧୪ ନିର୍ବାଚନ ‘ଗୁଡି’ ଚିହ୍ନରେ ଲଢିଥିଲା। ତେବେ ଏହା ବିଶେଷ ସଫଳତା ଲାଭ କରି ନଥିଲା। ଶେଷରେ ଶ୍ରୀ ମହାପାତ୍ରଙ୍କର ୨୦୧୭ ମସିହା ମାର୍ଚ୍ଚ ୧୯ ତାରିଖରେ ମୃତ୍ୟୁ ହେବା ପରେ ତାଙ୍କ ଦଳର ଅକାଳ ବିୟୋଗ ଘଟିଛି। ଏହାର ନେତାମାନେ ଅନ୍ୟ ରାଜନୈତିକ ଦଳରେ ଯୋଗ ଦେଇଛନ୍ତି।

ଆମ ଓଡ଼ିଶା ଦଳ ‘ସମ୍ବାଦ’ର ସଂପାଦକ ତଥା ବିଶିଷ୍ଟ ରାଜନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୩ ମସିହା ନଭେମ୍ବର ୨୬ ତାରିଖରେ ଗଠିତ ହୋଇଥିଲା। ଏହି ଦଳକୁ ନିର୍ବାଚନ କମିଶନ ମାଠିଆ ଚିହ୍ନ ଦେଇଥିଲେ ଏବଂ ଦଳ ଗତ ୨୦୧୪ ନିର୍ବାଚନ ଏହି ଚିହ୍ନରେ ଲଢିଥିଲା । ତେବେ, ଶ୍ରୀ ପଟ୍ଟନାୟକ ୨୦୧୮ ମାର୍ଚ୍ଚ ୭ ତାରିଖରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ଚଳିତ ନିର୍ବାଚନରେ ଖଣ୍ଡପଡ଼ା ବିଧାନସଭା ଆସନରୁ ତାଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଛି। ଶ୍ରୀ ପଟ୍ଟନାୟକ ଓ ତାଙ୍କର ସମର୍ଥକମାନେ ବିଜୁ ଜନତା ଦଳରେ ଯୋଗ ଦେବା ପରେ ଆମ ଓଡ଼ିଶାର ବିଜୁ ଜନତା ଦଳରେ ଆନୁଷ୍ଠାନିକ ବିଲୟ ହୋଇଥିବାର ଜଣାଯାଇଛି।

ଏହି ପରିପ୍ରେକ୍ଷୀରେ ଏହି ସବୁ ରାଜନୈତିକ ଦଳ ଚଳିତ ନିର୍ବାଚନ ଲଢୁନଥିବାର ଜଣାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe