ANI
ନୂଆଦିଲ୍ଲୀ: ବଲିଉଡର ଛମ୍ମା ଛମ୍ମା’ ଗାର୍ଲ ଉର୍ମିଳା ମାତୋଣ୍ଡକର ବୁଧବାର କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ସେ ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କୁ ସାକ୍ଷାତ କରିବା ପରେ କଂଗ୍ରେସରେ ସାମିଲ୍ ହୋଇଛନ୍ତି। ଉର୍ମିଳା ଏ ନେଇ ରାହୁଲ୍ ଗାନ୍ଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମିଶ୍ରଣ ସମୟରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେଓ୍ୱାଲା ଓ ମୁମ୍ବାଇ କଂଗ୍ରେସ ମୁଖ୍ୟ ମିଲିନ୍ଦ ଦେଓରା ଉପସ୍ଥିତ ଥିଲେ। କୁହାଯାଉଛି କଂଗ୍ରେସ ଟିକେଟ୍ରେ ଉର୍ମିଳା ମୁମ୍ବାଇ ନର୍ଥ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ ଏଯାବତ୍ ଏ ନେଇ ବିଧିବଦ୍ଧଭାବେ ଘୋଷଣା କରାଯାଇ ନାହିଁ।
Bollywood Hungamaମିଳିଥିବା ସୂଚନା ଅନୁଯାୟୀ ମୁମ୍ବାଇ ଉତ୍ତର ଲୋକସଭା ଆସନରୁ ଉର୍ମିଳାଙ୍କୁ ଟିକେଟ୍ ଦେବ କଂଗ୍ରେସ। ତେବେ ଏ ସଂପର୍କରେ ମୁମ୍ବାଇ କଂଗ୍ରେସର ବରିଷ୍ଠ ନେତା ସଂଜୟ ନିରୂପମ୍ ଓ ରାଜ୍ୟ କଂଗ୍ରେସର ମୁଖପାତ୍ର ଓ ଉର୍ମିଳାଙ୍କ ସଂପର୍କୀୟମାନଙ୍କୁ ଯୋଗାଯୋଗ କରାଯିବାପରେ ବି ମିଡିଆକୁ କୌଣସି ଟିପ୍ପଣୀ ଦେବାକୁ ମନା କରି ଦେଇଛନ୍ତି।
ମୁମ୍ବାଇ ନର୍ଥ ଆସନକୁ ଭାରତୀୟ ଜନତା ପାର୍ଟିର ଗଡ଼ ବୋଲି ବିବେଚନା କରାଯାଏ। ତେବେ ୨୦୦୪ରେ କଂଗ୍ରେସ ଟିକେଟରେ ଲଢି ଅଭିନେତା ଗୋବିନ୍ଦା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ନାଇକଙ୍କୁ ଏଠାରୁ ପରାସ୍ତ କରିଥିଲେ। ରାମ ନାଇକ ଏବେ ଉତ୍ତର ପ୍ରଦେଶର ରାଜ୍ୟପାଳ ଅଛନ୍ତି। ୨୦୧୪ରେ ଭାଜପା ପ୍ରାର୍ଥୀ ଗୋପାଲ ସେଟ୍ଟୀ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ସଂଜୟ ନିରୂପମଙ୍କୁ ପରାସ୍ତ କରିଥିଲେ।ଭାଜପା ବର୍ତ୍ତମାନର ସାଂସଦ ଗୋପାଳ ସେଟ୍ଟୀଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି।
Follow Us