ବନ୍ୟା ଧୋଇନେଲା ଦୁଇ କୋଟି ଟଙ୍କାର ପନିପରିବା ଚାଷ

Advertisment

ବନ୍ୟା ବୁଡ଼ାଇଦେଲା ପରିବା ଚାଷ | ମୁଣ୍ଡରେ ହାତ ଦେଇ ବସିଛନ୍ତି ଆରଆରପୁର ପଞ୍ଚାୟତର ଏକ ହଜାର ଚାଷୀ | ପରିବାର ପ୍ରତିପୋଷଣ କିଭଳି କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି |  

ବନ୍ୟା ବୁଡ଼ାଇଦେଲା ପରିବା ଚାଷ | ମୁଣ୍ଡରେ ହାତ ଦେଇ ବସିଛନ୍ତି ଆରଆରପୁର ପଞ୍ଚାୟତର ଏକ ହଜାର ଚାଷୀ | ପରିବାର ପ୍ରତିପୋଷଣ କିଭଳି କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି |  

vegetable Farmer

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଅଧିନସ୍ଥ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତ ବାଘମାରି ଗ୍ରାମର ହରେକୃଷ୍ଣ ଦାସ। ହରେକୃଷ୍ଣ ଗତ ଜୁଲାଇ ମାସରେ ଏକତାଳି ଗାଁ ସ୍ଥିତ ବହଙ୍ଗା ପାଳ ବିଲରେ ଦେଡ ମାଣ ଜମିରେ କାକୁଡି,ଜହ୍ନି ତଥା ଅନ୍ୟ ପନିପରିବା ଚାଷ କରିଥିଲେ।ନିଜର ମଜୁରୀ କୁ ଛାଡି ଦେଲେ ହରେକୃଷ୍ଣ ଚାଷରେ ପାଖାପାଖି ୨୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ହରେକୃଷ୍ଣଙ୍କ ବୁଢ଼ୀ ମା ସହ ୫ ଜଣିଆ ପରିବାର ପ୍ରତିପୋଷଣର ଏକମାତ୍ର ପନ୍ଥା ଥିଲା ପନିପରିବା ଚାଷ। ହରେକୃଷ୍ଣଙ୍କ ବାଡ଼ିରେ କାକୁଡି ଓ ଜହ୍ନି ଗଛରେ ଫୁଲ କଢି ପଡ଼ିବା ପରେ ଏବେ ଏବେ ଫଳ ବାହାରିବା ଆରମ୍ଭ କରିଥିଲା।

ଆଉ ଦିନ କେଇଟା ପରେ ହରେକୃଷ୍ଣଙ୍କ ବାଡିରୁ ଉତ୍ପନ୍ନ ହେବାକୁ ଥିବା ଜହ୍ନି ଓ କାକୁଡ଼ିକୁ ସେ ବଜାରରେ ବିକ୍ରି କରି ଭଲ ଦୁଇ ଟଙ୍କା ଲାଭ ପାଇଥାନ୍ତେ।ହେଲେ ସୁବର୍ଣ୍ଣରେଖା ର ପ୍ରଳୟଙ୍କରୀ ବନ୍ୟା ତାଙ୍କ ବାଡିରେ ସବୁ ଫସଲକୁ ଧୋଇ ନେଇଛି।ବନ୍ୟାର ପ୍ରକୋପ କମିଥିବା ବେଳେ ହରେକୃଷ୍ଣ ଙ୍କ ବାଡିର ଜହ୍ନି ଓ କାକୁଡ଼ି ଗଛ ସବୁ ମଉଳି ଯାଉଛି।ଗଛର ମୂଳ ପଚି ପ୍ରବଳ ଦୁର୍ଗନ୍ଧ କଲାଣି।ଏବେ ହରେକୃଷ୍ଣ ଚାଷ ପାଇଁ ଖର୍ଚ୍ଚ କରିଥିବା ମୂଳ ଟଙ୍କା କିପରି ପାଇବେ ଓ ଆଗକୁ କିପରି ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତାରେ ଭାଙ୍ଗି ପଡିଛନ୍ତି।ବାଘମାରି ଗ୍ରାମର ଆଉ ଜଣେ ସଫଳ ଯୁବ ଚାଷୀ ହେଉଛନ୍ତି ଲକ୍ଷ୍ମଣ ଟୁଡୁ।ଲକ୍ଷ୍ମଣ ଭାଗ ସୂତ୍ରରେ ୫ ଏକର ଜମିରେ ଜହ୍ନି,କାକୁଡି,କୁନ୍ଦୁରି,ନାଡୁକା,କଲରା ଓ ଭେଣ୍ଡି ଆଦି ଚାଷ କରିଥିଲେ।

ଚାଷରେ ସେ ଧାର ଉଧାର କରି ଲକ୍ଷେରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ।ଏବେ ଜମିରୁ ନଗଦ ଜହ୍ନି ଓ କାକୁଡ଼ି ତଥା ଅନ୍ୟ ପରିବା ଉତ୍ପନ୍ନ ଆରମ୍ଭ ହୋଇଥିଲା।ଆଗାମୀ ଡ଼ିସେମ୍ବର ସୁଦ୍ଧା ସେ ଜମିରୁ ଖର୍ଚ୍ଚ ପରେ ମଧ୍ୟ ଅଢେଇ ରୁ ୩ ଲକ୍ଷ ଟଙ୍କା ଲାଭ ପାଇଥାନ୍ତେ। ହେଲେ ଗତ ମଙ୍ଗଳବାର ଦିନ ସୁବର୍ଣ୍ଣରେଖାରେ ଆସିଥିବା ଭୟାବହ ବନ୍ୟାରେ ତାଙ୍କର ସବୁ ଜମିର ଫସଲ ଉଜୁଡି ଯାଇଛି।ବାଘମାରି ଗାଁର ଗଣେଷ ରାଉତଙ୍କ ମଧ୍ୟ ସମାନ ଅବସ୍ଥା।୨୮ ହଜାର ଟଙ୍କା ଖର୍ଚ୍ଚ କରି ପାଖାପାଖି ଏକ ଏକର ଜମି କାକୁଡି,କଲରା,ଜହ୍ନି ଆଦି ଚାଷ କରିଥିଲେ।

ହେଲେ ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ସୁବର୍ଣ୍ଣରେଖା ବନ୍ୟା ତାଙ୍କ ସବୁ ସ୍ବପ୍ନ କୁ ଚୋରମାର କରୁଛି।କେବଳ ହରେକୃଷ୍ଣ,ଲକ୍ଷ୍ମଣ ଓ ଗଣେଶ ନୁହଁନ୍ତି ଏକତାଳି ଗ୍ରାମର ରମାକାନ୍ତ ଗିରି,ଜୟନ୍ତ ପାଳ,ଗଙ୍ଗାଧର ସାହୁ,ତପନ କୁମାର ସାହୁ,ସୁଶାନ୍ତ କୁମାର ସାହୁ,ଗଙ୍ଗାଧର ଗିରି,ସୁଦର୍ଶନ ଦାସ ଓ ବାଘମାରି ଗ୍ରାମର ନରହରି ରାଉତ,କାର୍ତ୍ତିକ ରାଉତ,ଭରତ ରାଉତ, ପ୍ରଫୁଲ୍ଲ ରାଉତ, ଅଭିମନ୍ୟୁ ରାଉତ,ରଘୁନାଥ ରାଉତ,ଜୟଦେବ ରାଉତ,ଗୋପିନାଥ ରାଉତଙ୍କ ସମେତ ପୁରା ପଞ୍ଚାୟତର ମୋଟ ପନ୍ଦର ଶହ ଏକର ରୁ ଉର୍ଦ୍ଧ୍ବ ଜମିରେ ପନିପରିବା ଚାଷ କରିଥିବା ପାଖାପାଖି ଏକ ହଜାର ଚାଷୀଙ୍କ ସମାନ ଅବସ୍ଥା।

veg farmer

ବନ୍ୟା ଫଳରେ ସର୍ବଧୋଇରେ ଆରଆରପୁର ପଞ୍ଚାୟତରେ ପନିପରିବା ଚାଷର କ୍ଷତିର ପରିମାଣ ଦୁଇ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପ୍ରକାଶ କରିଛନ୍ତି ଯୁବନେତା ଶ୍ରୀହରି ବେହେରା। ପନିପରିବା ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଶ୍ରୀ ବେହେରା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe