ଆମ୍ବୁଲାନ୍ସ ପାଇଁ ରାସ୍ତା ମରାମତି କଲେ ୩ଟି ଗ୍ରାମର ଗ୍ରାମବାସୀ

Advertisment
ଆମ୍ବୁଲାନ୍ସ ପାଇଁ ରାସ୍ତା ମରାମତି କଲେ ୩ଟି ଗ୍ରାମର ଗ୍ରାମବାସୀ

ନାରାୟଣପାଟଣା : ଗାଁ କୁ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଆସିବ କିଭଳି ? ମାଟି ରାସ୍ତା ଦେଇ ଆମ୍ବୁଲାନ୍ସ ଆସିବା କଷ୍ଟକର ହୋଇଥିବା ବେଳେ ଗ୍ରାମବାସୀଙ୍କ ସଂଗଠିତ ଉଦ୍ୟମ ଫଳରେ ଏହି ସମସ୍ୟା ଦୂର ହୋଇପାରିଛି । ସାଢେ ୨ କିଲୋମିଟର ମାଟି ରାସ୍ତା ମରାମତି ପାଇଁ ୩ ଖଣ୍ଡ ଗ୍ରାମବସୀ ଏକଜୁଟ ହୋଇ ପ୍ରମାଣ କରି ଦେଖାଇ ଦେଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଖୋଦ୍‌ କୋରାପୁଟ ଜିଲ୍ଲା ନକ୍ସଲ ପ୍ରବଣ ନାରାୟଣପାଟଣା ବ୍ଲକ୍‌ ତଳଗୁମାଣ୍ଡି ପଂଚାୟତର ପିଚୁଡି ଗ୍ରାମରେ ।

୩ଟି ଗ୍ରାମର ଗ୍ରାମବାସୀ ଶ୍ରମ ଦାନ କରି ୫ ଦିନ ଧରି ଖରାପ ହୋଇଥିବା ମୁଖ୍ୟ ରାସ୍ତାକୁ ମାଟି ପକାଇ ସମତୁଲ କରିଛନ୍ତି । ତଳଗୁମାଣ୍ଡି ପଂଚାୟତର ପିଚୁଡି ଗ୍ରାମ ଠାରୁ ଚିକଲଗୁମାଣ୍ଡି ପର୍ଯନ୍ତ ସାଢେ ୨ କିଲୋମିଟର ମାଟି ରାସ୍ତାଟି ବର୍ଷାରେ ଧୋଇ ହୋଇ ଖାଲ ଢେପ ହେବା ସହ ଗାଡି ଯାତାୟତର ସମ୍ଭବ ନଥିଲା ଗାଁକୁ ମାଟି ରାସ୍ତା ଥାଇ ବି ନଥିଲା ପରି ଗ୍ରାମବାସୀ ଅନୁଭବ କରୁଥିଲେ । ଗାଁ କୁ ଆମ୍ବୁଲାନ୍ସ ଆସିବା ମୁସ୍କିଲ୍‌ ହୋଉଥିଲା । କୌଣସି ସରକାରୀ ଗାଡି ଅବା ବେସରକାରୀ ଗାଡି ଗାଁକୁ ଆସିବା ପାଇଁ ରାଜି ହେଉନଥିଲା । ମୋଟର ସାଇକଲ୍‌ରେ ଯିବା ବେଳେ ବି ଗ୍ରାମବାସୀ ଦୁର୍ଘଟଣାରେ ସମ୍ମୁଖୀନ ହେଉଥିଲେ । ମନରେଗା ଯୋଜନାରେ କିଛି ଟଂକା ଖର୍ଚ କରି ରାସ୍ତା ମରାମତି କରିବାକୁ ବି ସରପଂଚଙ୍କ ନିକଟରେ ଗୁହାରି କରିଥିଲେ । ଗ୍ରାମବାସୀଙ୍କ ଗୁହାରିକୁ କେହି କର୍ଣ୍ଣପାତ କରିନଥିଲେ । ଗ୍ରାମର ଜଣେ ଗର୍ଭବତୀ ମହିଳାକୁ ନେବା ପାଇଁ କଷ୍ଟମଷ୍ଟେ ଆମ୍ବୁଲାସନ୍‌ ଆସିଲା କିନ୍ତୁ ଯାଇପାରିଲା ନାହିଁ । ଲୋକେ ଖଟିଆରେ ବୋହି ଆଣିଥିଲେ ।

ଏହି ଗୋଟିଏ ଘଟଣା ଗ୍ରାମବାସୀଙ୍କୁ ସଂଗଠିତ କରିବା ସହ କାହାକୁ ଗୁହାରି କରିବା ଅପେକ୍ଷା ନିଜେ କରି ଦେଖାଇବାକୁ ମନସ୍ଥ କରିଥିଲେ । ତିନି ଗ୍ରାମର ସଦା ତାଡିଙ୍ଗି, ବସନ୍ତ ତାଡିଙ୍ଗି, ଅଜିତ ତାଡିଙ୍ଗି, ଜକିୟ ତାଡିଙ୍ଗି, ସାନ୍ଦରା ତାଡିଙ୍ଗି, ରଂଜନ ତାଡିଙ୍ଗି, ବୁସନ ତାଡିଙ୍ଗି, ଗାଦେ ତାଡିଙ୍ଗି, ରୁନୁ ତାଡିଙ୍ଗି, ଆଣୁସୁ ତାଡିଙ୍ଗି, ରୁନେ ତାଡିଙ୍ଗି, କମୁଳୁ ତାଡିଙ୍ଗି, ଦୀୟୁଡୁ ବିଙ୍ଗଡିକା, ଭିମ ବିଙ୍ଗଡିକା, ଡାଣ୍ଡୁ ତାଡିଙ୍ଗି, ଟିଙ୍ଗଣା ବିଙ୍ଗଡିକାଙ୍କ ସମେତ ଏକଜୁଟ ହୋଇ ରାସ୍ତା ମରାମତି କରିଥିବା ଜଣାଯାଇଛି । ମରାମତି ପରେ ଗ୍ରାମବାସୀ କହିଛନ୍ତି ଏଥର ଆମ ଗାଁକୁ ଆମ୍ବୁଲାନ୍ସ ଆସିପାରିବ ଏବଂ କେହି ବି ଖଟିଆରେ ବୁହା ହେବେ ନାହିଁ । ଗ୍ରାମବାସୀଙ୍କ ଉଦ୍ୟମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯିବା ସହ ଏହି ଟିକଟ ମର୍ମଭେଦି ବକ୍ତବ୍ୟ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ଆଖି ଖୋଲିବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe