ଭିଜିଲାନ୍ସ ଜାଲରେ ୱେସ୍କୋ କନିଷ୍ଠ ଯନ୍ତ୍ରୀ, ଟ୍ରାନ୍ସଫର୍ମର ମରାମତି ନାଁରେ ନେଉଥିଲେ ୧୫ ହଜାର ଲାଞ୍ଚ

Advertisment
ଭିଜିଲାନ୍ସ ଜାଲରେ ୱେସ୍କୋ କନିଷ୍ଠ ଯନ୍ତ୍ରୀ, ଟ୍ରାନ୍ସଫର୍ମର ମରାମତି ନାଁରେ ନେଉଥିଲେ ୧୫ ହଜାର ଲାଞ୍ଚ

ରାଉରକେଲା : ଗରିବ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ଲାଞ୍ଚ ନେବା ୱେସ୍କୋ କନିଷ୍ଠ ଯନ୍ତ୍ରୀଙ୍କୁ ମହଙ୍ଗା ପଡିଛି। ଗାଁରେ ଖରାପ ଟ୍ରାନ୍ସଫର୍ମର ମରାମତି କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରାଉରକେଲା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ସବଡେଗା ସେକ୍ସନର ୱେସ୍କୋ କନିଷ୍ଠ ଯନ୍ତ୍ରୀ ଯଶୋବନ୍ତ ନାରାୟଣ ଦେଓ।

ଭିଜିଲାନ୍ସ ଟିମ୍‌ ତାଙ୍କ ନିକଟରୁ ରଙ୍ଗବୋଳା ୧୫ ହଜାର ଟଙ୍କା ଜବତ କରିଛି । ତାଙ୍କୁ ଭିଜିଲାନ୍ସ ଟିମ୍‌ ରାଉରକେଲା ଅଫିସ୍‌ରେ ଅଟକ ରଖି ପଚରାଉଚୁରା କରିବା ପରେ ସଂଧ୍ୟାରେ ଭିଜିଲାନ୍ସ କୋର୍ଟ ଚାଲାଣ କରାଯିବ ବୋଲି ଡିଏସ୍‌ପି ବି.କେ. ନାୟକ କହିଛନ୍ତି। ସୁନ୍ଦରଗଡ ଜିଲ୍ଲା ତଲସରା ବ୍ଲକ ଅନ୍ତର୍ଗତ ମନସିଦ୍‌ପଡା ଟାଙ୍ଗରଗାଁରେ ୨୦୧୮ରେ ବିଡିୟୁଜେୱାସି ଯୋଜନାରେ ବିପିଏଲ୍‌ ଉପଭୋକ୍ତାଙ୍କୁ ବିଜୁଳି ପ୍ରଦାନ କରିବାକୁ ଟ୍ରାନ୍ସଫର୍ମର ବସିଥିଲା। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଗତ ୨୦୨୦ ଏପ୍ରିଲରେ ଟ୍ରାନ୍ସଫର୍ମର ଖରାପ ହୋଇଯାଇଥିଲା। ଫଳରେ ମନ୍‌ସିଦ୍‌ପଡା ଟାଙ୍ଗରଗାଁର ଲୋକମାନେ ଅନ୍ଧାରରେ ଦିନ କାଟୁଥିଲେ। ଗ୍ରାମବାସୀ ସବ୍‌ଡେଗା ସେକ୍ସନର ୱେସ୍କୋ କନିଷ୍ଠଯନ୍ତ୍ରୀ ଯଶୋବନ୍ତ ନାରାୟଣ ଦେଓଙ୍କୁ ଭେଟି ଟ୍ରାନ୍ସଫର୍ମର ମରାମତି କରିଦେବାକୁ ଅନୁରୋଧ କରିଥିଲେ।

କନିଷ୍ଠ ଯନ୍ତ୍ରୀ ଯଶୋବନ୍ତ କହିଥିଲେ ଏଥିପାଇଁ ୱେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କୁ ଲେଖିବାକୁ ପଡିବ। ନିର୍ବାହୀ ଯନ୍ତ୍ରୀ ଅନୁମତି ଦେବା ପରେ ଟ୍ରାନ୍ସଫର୍ମର ମରାମତି କରାଯିବ। ଏଥିପାଇଁ ତମକୁ ୧୫ ହଜାର ଟଙ୍କା ଦେବାକୁ ଦାବି କରିଥିଲେ। ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ଗ୍ରାମବାସୀମାନେ କନିଷ୍ଠ ଯନ୍ତ୍ରୀ ଯଶୋବନ୍ତଙ୍କୁ କହିଥିଲେ। ଦାବି ମୁତାବକ ଟଙ୍କା ନ ଦେଲେ ଟ୍ରାନ୍ସଫର୍ମର ମରାମତି ହୋଇ ପାରିବ ନାହିଁ ବୋଲି କନିଷ୍ଠ ଯନ୍ତ୍ରୀ ରୋକ୍‌ଠୋକ୍‌ ମନା କରି ଦେଇଥିଲେ। କୌଣସି ଉପାୟ ନ ପାଇ ଗ୍ରାମବାସୀ ଏ ସଂକ୍ରାନ୍ତରେ ରାଉରକେଲା ଭିଜିଲାନ୍ସ ଟିମ୍‌କୁ ଜଣାଇଥିଲେ। କନିଷ୍ଠ ଯନ୍ତ୍ରୀଙ୍କ ଦାବି ମୁତବାକ ଭିଜିଲାନ୍ସ ଟିମ୍‌ ଗ୍ରାମର ସଞ୍ଜିବ ଡୁଙ୍ଗଡଙ୍ଗଙ୍କୁ ୧୫ ହଜାର ରଙ୍ଗବୋଳା ଟଙ୍କା ଦେଇଥିଲେ। ଆଜି ଅପରାହ୍ନ ପ୍ରାୟ ୧ଟା ୫୦ ମିନିଟ୍‌ରେ ଗ୍ରାମବାସୀଙ୍କ ପକ୍ଷରୁ ସଞ୍ଜିବ କରମଡିହି ଗ୍ରୀଡ୍‌ରେ ପହଞ୍ଚିଥିଲେ। କନିଷ୍ଠ ଯନ୍ତ୍ରୀଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ରଙ୍ଗବୋଳା ୧୫ ହଜାର ଟଙ୍କା ଜବତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe