ସଫଳ ମାଛଚାଷୀ ଭରତ, ହେଲେ ମିଳୁନି ସରକାରୀ ପ୍ରୋତ୍ସାହନ 

Advertisment
 ସଫଳ ମାଛଚାଷୀ ଭରତ, ହେଲେ ମିଳୁନି ସରକାରୀ ପ୍ରୋତ୍ସାହନ 

ବାଲିଅନ୍ତା:ପ୍ରଥମେ ଗାଁ ଛକ ବଜାର ଓ ଭୁବନେଶ୍ବର ମାର୍କେଟରେ ମାଛ ବେପାର କରୁଥିଲେ । ଏବେ କିନ୍ତୁ ଜଣେ ସଫଳ ମାଛ ଚାଷୀ । ତା’ ସହିତ ମାଛ ଉତ୍ପାଦନ କରି ବଢ଼ାଇ ପାରିଛନ୍ତି ନିଜର ରୋଜଗାର। ମତ୍ସ୍ୟ ଚାଷ କ୍ଷେତ୍ରରେ ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତ ଅଧୀନ ରଣପୁର ଗ୍ରାମର ଅନନ୍ୟ ସଫଳ ବ୍ୟକ୍ତିତ୍ବ ହେଉଛନ୍ତି ଭରତ  ଚନ୍ଦ୍ର ବେହେରା ମାଛ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଚେଷ୍ଟା ଏବଂ ପରିଶ୍ରମ ବଳରେ ସବୁକିଛି ସମ୍ଭବ। ଆଉ ଅନ୍ୟମାନଙ୍କ ପାଇଁ ତା’ର ଏକ ବଡ଼ ଉଦାହରଣ ହେଉଛନ୍ତି ସେ।

୩୭ ବର୍ଷୀୟ ଭରତ  ଗାଁରୁ ଗାଁ ବୁଲି ମାଛ ବେପାର କରୁଥିଲେ। ପରେ ମାଛ ଚାଷ କରିବା ପାଇଁ  ମନ ବଳାଇଥିଲେ। ପ୍ରଥମେ ତାଙ୍କ ଘର ନିକଟରେ ଥିବା ଏକମାତ୍ର ପୋଖରୀରେ ମାଛ ଚାଷ ଆରମ୍ଭ କରିଥିଲେ। ଏହାପରେ ପାଖ ଗ୍ରାମରେ ପୋଖରୀ ଲିଜ୍ ସୂତ୍ରରେ ନେଇ ମାଛ ଚାଷ ବଢ଼ାଇଥିଲେ। ମାତ୍ର ଗତ ଦୁଇବର୍ଷ ହେଲା ମା’ ମଙ୍ଗଳା ହାଚେରୀ (ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର)  କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସେ ।  ୩ ଏକର ପରିମିତ ଜମିରେ ଛୋଟବଡ଼ କରି ୭ଟି ପୋଖରୀରେ ମାଛ ଯାଆଁଳ ଚାଷ କରୁଛନ୍ତି। ୨ଟି ବ୍ରିଡର ଓ ୪ଟି  କଂକ୍ରିଟ ଟାଙ୍କିରେ କୃତ୍ରିମ ପ୍ରଜନନ ମାଧ୍ୟମରେ ରୋହି ଭାକୁର, ମିରକାଳି ,ଗ୍ରାସ କାପ , ଜଳଙ୍ଗ ଓ ଚାନ୍ଦି ଆଦି ପ୍ରଜାତିର ଜାଆଁଳ ଉତ୍ପାଦନ କରୁଛନ୍ତି।

ମାଛ ଚାଷରେ ବର୍ଷକୁ ୨ ଲକ୍ଷ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଥିବା ବେଳେ ଏବେ କିନ୍ତୁ ଜାଆଁଳ ଚାଷ କରି  ଦୁଇଗୁଣା ଲାଭ ଉଠାଉଥିବା କହିଛନ୍ତି। ପଡ଼ୋଶୀ ପୂରଣ ପଞ୍ଚାୟତର ଜଣେ ମତ୍ସ୍ୟଚାଷୀଙ୍କ ଠାରୁ ସେ ପ୍ରଶିକ୍ଷଣ ନେବା ପରେ ନିଜେ  ହାଚେରୀ କରିବା ପାଇଁ ଆଗ୍ରହୀ ହୋଇଥିବା କହିଛନ୍ତି। ଏନେଇ ସେ ନିଜସ୍ବ ଉଦ୍ୟମରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ନିଜେ ସ୍ବାବଲମ୍ବୀ ହେବା ସହିତ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ସ୍ବାବଲମ୍ବନଶୀଳ କରାଇ ପାରିଛନ୍ତି।

ଏହି କାର୍ଯ୍ୟରେ ତାଙ୍କୁ ପରିବାରର ଅନ୍ୟ ସଦସ୍ୟ ବଡ଼ ଭାଇ ରାମଚନ୍ଦ୍ର ବେହେରାଙ୍କ ସମେତ ପୁତୁରା କୀର୍ତ୍ତିରଞ୍ଜନ ବେହେରା,ମଙ୍ଗରାଜ ବେହେରା,ସୌମ୍ୟରଞ୍ଜନ ବେହେରା, ଗୋକୁନ ବେହେରା ଓ ଜ୍ୟୋତିରଞ୍ଜନ ବେହେରା ସହଯୋଗ କରୁଥିବା କହିଛନ୍ତି। ହେଲେ ଏଯାଏ ତାଙ୍କୁ ରାଜ୍ୟ କୃଷି ବିଜ୍ଞାନ କେନ୍ଦ୍ର,କେନ୍ଦ୍ରୀୟ ମଧୁର ଜଳ ଜୀବପାଳନ ସଂସ୍ଥାନ (ସିଫା) , ବ୍ଲକ ଓ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ କୌଣସି ପ୍ରଶିକ୍ଷଣ ପ୍ରଦାନ କରାଯାଇ ନାହିଁ କିମ୍ବା ପ୍ରୋତ୍ସାହନ ଅର୍ଥ ମିଳିପାରି ନାହିଁ । ସରକାରୀ ସ୍ତରରେ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ  ଦାବି କରିଛନ୍ତି ଭରତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe