ଜଂଗଲ ଜମିପଟ୍ଟା ପ୍ରଦାନ ଦାବିରେ ୧୨ ଦିନ ହେଲା ଧାରଣାରେ ଆଦିବାସୀ ସଂଘ

ଆଦିବାସୀ ସମାଜ ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ଗତ ୧୨ ଦିନ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛନ୍ତି। ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଂଚଳର ଆଦିବାସୀ ଧାରଣାସ୍ଥଳରେ ପହଞ୍ଚି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଛନ୍ତି।

ମାଲକାନଗିରି: ଜିଲ୍ଲା ଆଦିବାସୀ ସମାଜ ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ଗତ ୧୨ ଦିନ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛନ୍ତି। ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଂଚଳର ଆଦିବାସୀ ଧାରଣାସ୍ଥଳରେ ପହଞ୍ଚି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଛନ୍ତି। ଜିଲ୍ଲାରେ ଆଦିବାସୀଙ୍କୁ ପ୍ରତାରଣା କରାଯାଉଥିବା ନେଇ ସଂଘ ଅଭିଯୋଗ କରୁଛି।ସେମାନଙ୍କର ନ୍ୟାର୍ଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଏଭଳି ଧାରଣାରେ ବସିଥିବେ ବୋଲି ଚେତାବନୀ ଦେଇଛନ୍ତି।

ଗତ ୧୩ ତାରିଖରେ ଏକ ବିଶାଳ ସମାବେଶ କରି ସରକାରଙ୍କୁ ସେମାନଙ୍କର ପରାକ୍ରମ ଦେଖାଇ ସାରିଛନ୍ତି। ଏଥିସହ ବିଭିନ୍ନ ଦାବି ସଂପର୍କରେ ସରକାରଙ୍କୁ ଅବଗତ କରାଇଛନ୍ତି। ସେଥିମଧ୍ୟରୁ ଜଂଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ବ୍ୟକ୍ତିଗତ ଜଂଗଲ ଅଧିକାର ଓ ଗୋଷ୍ଠୀଗତ ଜଂଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ଓ ସାବ୍ୟସ୍ତ କରିବା ଅନୂସୂଚିତ ଜନଜାତିମାନଙ୍କର ସୁରକ୍ଷା ତଥା ପ୍ରତ୍ସାହନ ପାଇଁ ଆବଶ୍ୟକ ଅଟେ।

ଅନୁସୂଚିତ ଅଂଚଳରେ ସ୍ବୟଂ ଶାସନ ତଥା ଆଦିବାସୀ ସଂପ୍ରଦାୟର ଅଧିକାରର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପେଶା ଆଇନ ୧୯୯୬ ପ୍ରଣୟନ କରାଯାଇଛି। ଓଡିଶା ସରକାର ତୁରନ୍ତ ଏହି ପେଶା ଆଇନକୁ ଲାଗୁ କରିବାକୁ ଦାବି କରାଯାଇଛି।ସେହିପରି ବିକାଶ ମୂଳକ ପ୍ରକଳ୍ପ ନିର୍ମାଣ ପାଇଁ ଜମି ଓ ଜୀବିକା ନିର୍ବାହ ବିସ୍ଥାପିତ ଆଦିବାସୀଙ୍କୁ ଜମି ଅଧିକାର ଓ ପଟ୍ଟା ପ୍ରଦାନ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦିଆଯାଉ ବୋଲି କୁହାଯାଇଛି। ପୋଲାଭରମ ଡ୍ୟାମ ନିର୍ମାଣ ଯୋଗୁଁ ମାଲକାନଗିରି ଜିଲ୍ଲାର ପଡିଆ ଓ ମୋଟୁ ଅଂଚଳରେ ବାସ କରୁଥିବା ଆଦିବାସୀମାନଙ୍କ ପାଇଁ ଏହା ଏକ ବଡ ବିପଦ ବୋଲି କୁହାଯାଇଛି।

ପୋଲାଭରମ ଡ୍ୟାମର ଉଚ୍ଚତା ବଢାଇବା କାର୍ଯ୍ୟକୁ ଆମେ ଘୋର ବିରୋଧ କରୁଛୁ। ଏହା ବଢାଇବା ଦ୍ବାରା ପଡିଆ, ମୋଟୁ ଓ ମାଥିଲିର କିଛି ଅଂଚଳ ଜଳମଗ୍ନ ହେବ, ଯଦ୍ବାରା ଆଦିବାସୀମାନେ ବିସ୍ଥାପିତ ଓ ଜୀବିକା କ୍ଷୁର୍ଣ୍ଣ ହେବେ। ତେଣୁ ଏହାକୁ ଆମେ ବିରୋଧ କରିବା ସହ ଆମର ଜଂଗଲ, ଜମି ଓ ଜନବସତି ଜଳମଗ୍ନ ହେବା ପାଇଁ ଦେବୁ ନାହିଁ। ଆମେ ଆଦିବାସୀ ସମାଜ ବାରମ୍ବାର ଓଡିଶା ସରକାର ଓ ପ୍ରଶାସନକୁ ଜଣାଇବା ସତ୍ବେ ମଧ୍ୟ ଉପରୋକ୍ତ ଦାବିଗୁଡିକର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପେଶା, ଏଫଆରଏ, ପଞ୍ଚମ ଅନୁସୂଚୀର ପ୍ରାବଧାନ ସତ୍ବେ ମଧ୍ୟ ପ୍ରଶାସନ ଦ୍ବାରା ଅଣଦେଖା କରାଯାଉଛି ବୋଲି ଆଦିବାସୀ ସଂଘ ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe