ଦୁର୍ଗମରେ ଯନ୍ତ୍ରଣା: ଡାକ୍ତରଖାନା ବଦଳରେ ଗୁଣିଆ ଚିକିତ୍ସା: ନାବାଳିକାର ମୃତ୍ୟୁ

ସ୍ବାଧୀନତାର ସାତ ଦଶନ୍ଧି ପରେ ବି ଗାଁକୁ ରାସ୍ତା ନାହିଁ। ମାଲକାନଗିରି ଜିଲ୍ଲାର ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଗାଁକୁ ଆଜି ବି ପକ୍କା ରାସ୍ତା ନାହିଁ। ଲୋକେ ବର୍ଷବର୍ଷ ଧରି ଗାଁରୁ ସହରକୁ ପାଦରେ ଚାଲିଚାଲି ହିଁ ଯିବା ଆସିବା କରିଥାନ୍ତି।

Patient move hospital in Chair.

Patient move hospital in Chair. Photograph: (sambad.in)

ମାଲକାନଗିରି: ସ୍ବାଧୀନତାର ସାତ ଦଶନ୍ଧି ପରେ ବି ଗାଁକୁ ରାସ୍ତା ନାହିଁ। ମାଲକାନଗିରି ଜିଲ୍ଲାର ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଗାଁକୁ ଆଜି ବି ପକ୍କା ରାସ୍ତା ନାହିଁ। ଲୋକେ ବର୍ଷବର୍ଷ ଧରି ଗାଁରୁ ସହରକୁ ପାଦରେ ଚାଲିଚାଲି ହିଁ ଯିବା ଆସିବା କରିଥାନ୍ତି। ଏପରିକି ଗୁରୁତର ରୋଗୀଙ୍କୁ ମଧ୍ୟ ବାଧ୍ୟ ହୋଇ ଭାର କିମ୍ବା ଖଟିଆରେ ବୋହି ମେଡିକାଲ ପର୍ଯ୍ୟନ୍ତ ଆଣିଥାନ୍ତି। ବର୍ଷାଦିନର କଥା ନକହିବା ଭଲ। ଲୋକେ ଆଜି ବି ଦୟନୀୟ ଅବସ୍ଥାରେ ରହୁଛନ୍ତି। ଗାଁକୁ ରାସ୍ତା ନଥିବା ଗାଁ ମଧ୍ୟରୁ ଖଇରପୁଟ ବ୍ଲକର ବଡଡୁରାଲ ପଞ୍ଚାୟତର କତ୍ରାଗୁଡା ଗାଁକୁ ଆଜି ବି ପକ୍କା ରାସ୍ତାଟିଏ ନାହିଁ। ଯାହାଫଳରେ ଲୋକେ ପାହାଡିଆ ରାସ୍ତା ଦେଇ ପାଦରେ ଚାଲି ଚାଲି ପଞ୍ଚାୟତ ସଦର ମହକୁମା ସହ ବ୍ଲକ ସଦର ମହକୁମାକୁ ଆସିଥାନ୍ତି। 

ଏହି ଗାଁର ଜିଗଡୁ ଗଲୋରୀଙ୍କର ଝିଅ ସଂଜିତା ଗଲୋରୀ(୧୨) ପେଟ ଯନ୍ତ୍ରଣା ସହ ଅନ୍ୟ ରୋଗରେ ପିଡୀତ ହୋଇ ଘରେ ଛଟପଟ ହେଉଥିଲେ। ପରିବାର ଲୋକେ ଏବଂ ଗ୍ରାମବାସୀ ତାଂକୁ ଏକ ଚୌକି ରେ ବସାଇ ଭାର କରି ପାଦରେ ଚାଲିଚାଲି ୬ କିଲୋମିଟର ବାଟ ଆଣିବା ସହ ଖଇରପୁଟ ମେଡିକାଲରେ ଭର୍ତ୍ତି କରିଥିଲେ।

ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲେ ମଧ୍ୟ ଝିଅର ଅବସ୍ଥା ଗୁରୁତର ରହିଥିବାରୁ ଡାକ୍ତର ତାଂକୁ ତୁରନ୍ତ ମାଲକାନଗିରି ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ପରିବାର ଲୋକେ ମାଲକାନଗିରି ମେଡିକାଲକୁ ନେବା ବଦଳରେ ଗୁଣିଆ ନିକଟରେ ଚିକିତ୍ସା କରାଇବା ପାଇଁ ପୁଣି ଭାରରେ ବୋହି ଗାଁକୁ ନେଇଥିଲେ। ସଂଜିତାଙ୍କୁ ଗୁଣିଆ ନିକଟରେ ଚିକିତ୍ସା କରାଇ ଘରେ ରଖିଥିବା ବେଳେ ତାର ଦେହାନ୍ତ ହୋଇଯାଇଛି।

ଝିଅର ମୃତ୍ୟୁର କାରଣକୁ ଗାଁ ଲୋକେ ରାସ୍ତାକୁ ଦୋଷ ଦେଉଛନ୍ତି। ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲେନସ ପହଞ୍ଚି ପାରିନଥିବା ବେଳେ ଝିଅକୁ ଠିକ ସମୟରେ ମେଡିକାଲ ନେଇପାରିନଥିବା ଅଭିଯୋଗ କରିଛନ୍ତି। ଅନ୍ୟ ଦିଗରେ କିନ୍ତୁ ଅଶିକ୍ଷିତ ହୋଇଥିବାରୁ ଅନ୍ଧ ବିଶ୍ବାସକୁ ଜାବୁଡି ଧରି ଡାକ୍ତରଖାନା ବଦଳରେ ଗୁଣିଆ ନିକଟରେ ଚିକିତ୍ସା କରାଇଥିବାକୁ କିନ୍ତୁ ସାଧାରଣରେ ନାପସନ୍ଦ କରାଯାଇଛି। ମାଲକାନଗିରି ମେଡିକାଲରେ ଚିକିତ୍ସା କରାଇଥିଲେ ହୁଏତ ଝିଅଟି ଠିକ ହୋଇପରନ୍ତା ବୋଲି ବୁଦ୍ଧିଜୀବୀ ମତ ଦିଅନ୍ତି। ତେଣୁ ଗାଁକୁ ରାସ୍ତା ନଥିବା,ଲୋକେ ଅଶିକ୍ଷିତ ହେବା ଏବଂ ମେଡିକାଲ ଚିକିତ୍ସା ବଦଳରେ ଗୁଣିଆ ଉପରେ ବିଶ୍ବାସ କରୁଥିବାରୁ ପ୍ରଶାସନ ଏଦିଗରେ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି।

Malkangiri | Health | Tribal people 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe