Budget 2025-26 Photograph: (sambad.in)
ଭୁବନେଶ୍ବର: ରାଜ୍ୟ ସରକାର କ୍ରୀଡ଼ାକୁ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବେ ଦେଖୁଛନ୍ତି। ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମଧ୍ୟ ବିସ୍ତୃତ ଯୋଜନା କରିଛନ୍ତି। କ୍ରିକେଟ୍, ଭଲିବଲ, ଫୁଟବଲ ଓ ଆଥଲେଟିକ୍ ପାଇଁ ପ୍ରତି ବ୍ଲକରେ ଭିତ୍ତିଭୂମି ନିର୍ମାଣ କରାଯାଉଛି। ଏଥି ସହିତ ଇଣ୍ଡୋର ହଲ୍ ନିର୍ମାଣ କରାଯାଇ ଏଥିରେ ବେଡମିଣ୍ଟନ, ଟେବୁଲ ଟେନିସ ଓ ଅନ୍ୟ କ୍ରୀଡ଼ାକୁ ଯୋଡ଼ିବାକୁ ପ୍ରୟାସ କରାଯାଉଛ। ରାଜ୍ୟ ସରକାର ଏଥି ପାଇଁ ଆଗାମୀ ୫ ବର୍ଷରେ ୪୧୨୪ କୋଟି ଟଙ୍କା ବଜେଟ୍ ରଖିଛନ୍ତି, ଯେଉଁଥିରେ ଆର୍ଥିକ ବର୍ଷ ୨୦୨୫-୨୬ରେ ୮୨୫ କୋଟି ସାମିଲ। ବଜେଟ୍ ୨୦୨୫-୨୬ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି।
ମୋହନ ମାଝୀ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଭିତ୍ତିଭୂମି ପାଇଁ ଦେଶ-ବିଦେଶରେ ଓଡ଼ିଶାର ନାମ ଚର୍ଚ୍ଚା ହେଉଛି। ଚଳିତ ବର୍ଷ ଓଡ଼ିଶା ଏକ ଅନ୍ତର୍ଜାତୀୟ କ୍ରୀଡ଼ା କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛି। ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେସନାଲ ଟୁର ପାଇଁ ପ୍ରସ୍ତୁତି ଚାଲିଛି। ଭାରତରେ ଏଭଳି କ୍ରୀଡ଼ା କାର୍ଯ୍ୟକ୍ରମ ପ୍ରଥମ ଥର ହେଉଛି। ହକି, ୱେଟ୍ଲିଫ୍ଟିଂ, ଖୋଖୋ, ଜିମ୍ନାଷ୍ଟିକ୍ କ୍ଷେତ୍ରରେ ଓଡ଼ିଶାର ନାମ ଚାରିଆଡ଼େ ପ୍ରଶଂସା କରାଯାଉଛି। ଜାତୀୟ କ୍ରୀଡ଼ାରେ ଓଡ଼ିଶା ପ୍ରଶଂସୀନୟ ପ୍ରଦର୍ଶନ କରିଛି। ରାଜ୍ୟକୁ ୧୨ଟ ସ୍ବର୍ଣ୍ଣପଦକ ସହିତ ମୋଟ୍ ୪୬ଟି ପଦକ ଆସିଛି।
ରାଜ୍ୟ ସରକାର କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ କ୍ରୀଡ଼ାର ହବ୍ କରିବାକୁ ଯାଉଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ୧୩ଟି ସ୍ଥାନରେ ନୂଆ ସୁଇମିଂପୁଲ ନିର୍ମାଣ କରାଯାଉଛି। ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ସୁଇମିଂପୁଲ ନିର୍ମାଣ ହେବ। ରାଉରକେଲାରେ ୨ଟି ହାଇପରଫରମାନ୍ସ ସେଣ୍ଟର ହେବ। ଏଠାରେ ଆଥଲେଟିକ୍ସ ଏବଂ ତୀରନ୍ଦାଜୀ ପ୍ରଶିକ୍ଷଣ ଦିଆଯିବ।
ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଟୁର୍ଣ୍ଣାମେଣ୍ଟ କରାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଫୁଟବଲ, ଆଥଲେଟିକ୍ସ, ଫୁଟବଲ, ହକି ଓ ବେଡମିଣ୍ଟନ ପ୍ରତିଯୋଗିତା କରାଯାଉଛି। ଗ୍ରାମାଞ୍ଚଳରୁ ପ୍ରତିଭା ବାହାର କରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ।
Follow Us