ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି। ଲୋକ ସେବା ଭବନର ସଭାଗୃହ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ସମବାୟ ସମିତି ଗୁଡିକର ଶୁଭାରମ୍ଭ କରିଛନ୍ତି।
ରାଜ୍ୟରେ ସମୁଦାୟ ୨୭୧୧ଟି ପ୍ୟାକ୍ସ ଥିବା ବେଳେ, ରାଜ୍ୟ ସରକାର ଆଉ ୧୫୪୨ଟି ନୂଆ ବହୁମୁଖୀ ପ୍ୟାକ୍ସ ଗଠନ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ସମୁଦାୟ ପ୍ୟାକ୍ସ ସଂଖ୍ୟା ୪୨୫୩ରେ ପହଞ୍ଚିଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମବାୟ ଆନ୍ଦୋଳନକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମବାୟ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ନୂତନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଆମ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଏଥିରେ ସମୁଦାୟ ୫୪ ଟି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି। ଏଗୁଡିକ ମଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି, ପ୍ୟାକ୍ସ ଓ ଲାମ୍ପସ ଗୁଡିକୁ ବହୁମୁଖି କରିବା ପାଇଁ ମଡେଲ ବାଇ-ଲ ପ୍ରଚଳନ; କମ୍ପ୍ୟୁଟରିକରଣ ମାଧ୍ୟମରେ ପ୍ୟାକ୍ସଗୁଡିକୁ ସ୍ୱଚ୍ଛ ଓ ମଜଭୁତ କରିବା, ସାର ଓ ବିହନ ଯୋଗାଣ, ଜନ ଔଷଧୀ କେନ୍ଦ୍ର ଓ କମନ୍ ସର୍ଭିସ ସେଣ୍ଟର ସ୍ଥାପନ, କୃଷି ସେବା କେନ୍ଦ୍ର ସ୍ଥାପନ, ଗ୍ରାହକ କେନ୍ଦ୍ର ସ୍ଥାପନ, ବୈଜ୍ଞାନିକ ପଦ୍ଧତିରେ ଶସ୍ୟ ସଂରକ୍ଷଣ କେନ୍ଦ୍ର ସ୍ଥାପନ ଇତ୍ୟାଦି।
ଏହି ଖବର ପଢ଼ନ୍ତୁ: ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭୭ଟି ପ୍ୟାକ୍ସକୁ ମଡେଲ୍ ପ୍ୟାକ୍ସ ଭାବରେ ବିକଶିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ମଡେଲ ପ୍ୟାକ୍ସ ଗୁଡିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ, ଅର୍ଥାତ ଗୋଟିଏ ଛାତ ତଳେ କୃଷି ସମ୍ବନ୍ଧୀୟ ସବୁ ପ୍ରକାର ସୁବିଧା ମିଳିବ ବୋଲି ସେ କହିଥିଲେ। ଆଦର୍ଶ ପ୍ୟାକ୍ସ ଓ ଲାମ୍ପସଗୁଡିକ ସମବାୟ ସମିତି ମାନଙ୍କୁ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ୨୦୧୫ ମସିହାରୁ ବନ୍ଦ ହୋଇ ପଡିଥିବା ଭୁବନେଶ୍ୱର ସହରାଞ୍ଚଳ ସମବାୟ ବ୍ୟାଙ୍କର ସମସ୍ତ ଜମାକାରୀମାନଙ୍କୁ ଜମାରାଶି ଫେରସ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ସମବାୟ ବ୍ୟାଙ୍କ ଉପରେ ଲୋକମାନଙ୍କ ଆସ୍ଥା ପୁନଃ ପ୍ରତିଷ୍ଠାରେ ସହାୟକ ହେବ ବୋଲି ସେ କହିଥିଲେ।
ଏହି ଖବର ପଢ଼ନ୍ତୁ: ନବୀନଙ୍କୁ ମିଳୁ ଭାରତରତ୍ନ, ଦାବି କଲେ କେନ୍ଦ୍ର ମନ୍ତ୍ରୀ
ନୂଆ ସରକାର ସମବାୟ କ୍ଷେତ୍ରକୁ କ୍ରିୟାଶୀଳ ଓ ଚଳଚଞ୍ଚଳ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମବାୟ ସଂସ୍ଥା ଉପରେ ଲୋକଙ୍କ ଆସ୍ଥା ଫେରାଇ ଆଣିବା ସହିତ ଏହାକୁ ଗ୍ରାମ୍ୟ ଅର୍ଥନୀତି ବିକାଶର ଏକ ପ୍ରମୁଖ ଇଞ୍ଜିନ ଭାବରେ ପରିଣତ କରିବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମବାୟ ସଂସ୍ଥା ଗୁଡିକ ଚାଷୀ ମାନଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଇ ସେମାନଙ୍କ ସମସ୍ୟାର ରିଅଲ୍ ଟାଇମ୍ ସେଟଲମେଣ୍ଟ କରିବା ଆବଶ୍ୟକ। ନହେଲେ କମ୍ପ୍ୟୁଟରୀକରଣର କୌଣସି ଅର୍ଥ ନାହିଁ। ଅନେକ ସଂସ୍ଥା ଏବେ ବି ଏକ୍ସେଲ ସିଟରେ ହିସାବ କିତାବ କରି upload କରୁଛନ୍ତି। ଏହା ଦ୍ଵାରା ଦୁର୍ନୀତି ପ୍ରଶ୍ରୟ ପାଇବ। ତେଣୁ, ସବୁ ପ୍ରାଥମିକ ସମବାୟ ସମିତିର ଖାତାପତ୍ର ଅଡିଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଏହି ଖବର ପଢ଼ନ୍ତୁ: ବିବାଦ ହେବାରୁ ୨୫ଲକ୍ଷରୁ ୨କୋଟିକୁ ବଢ଼ିଲା ସହାୟତା ରାଶି
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୃଷକଙ୍କ ସହିତ ପଶୁପାଳନ, ମତ୍ସ୍ୟଚାଷ, ବାସଗୃହ, ବୟନ ଶିଳ୍ପ ତଥା ମହିଳାଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାକୁ ହିତାଧିକାରୀଙ୍କ ପହଞ୍ଚାଇବା କାମ ହେଉଛି ପ୍ରାଥମିକ କୃଷି ସମବାୟ ସମିତି, କିମ୍ବା ପରି ସଂସ୍ଥା ଗୁଡିକର। ସେ କହିଥିଲେ ଯେ ଓଡିଶାର କୃଷି କ୍ଷେତ୍ରରେ ସମବାୟ ସଂସ୍ଥା ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଓଡିଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠି ମୋଟ ଫସଲ ଋଣର ୬୦ ପ୍ରତିଶତରୁ ଅଧିକ ସମବାୟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥାଏ ଏବଂ ବ୍ୟବସାୟିକ ବ୍ୟାଙ୍କମାନେ ପ୍ରାୟ ୩୦ ପ୍ରତିଶତ ପ୍ରଦାନ କରିଥାନ୍ତି। କୃଷକ ମାନଙ୍କୁ ଠିକ୍ ସମୟରେ ଋଣ ଦେବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ କିଛି ବର୍ଷ ହେବ ଋଣ ନାଁରେ ଇଭର ଗ୍ରୀନିଂ ରୀତି ଚାଲିଥିଲା। ଆଶା କରୁଛି, ଯେ ବର୍ତ୍ତମାନ ଏହା ଆଉ ହେଉନାହିଁ, ଏବଂ ଚାଷୀମାନେ ପ୍ରକୃତରେ ଋଣ ପାଉଛନ୍ତି।
ଏହି ଖବର ପଢ଼ନ୍ତୁ: ପତ୍ନୀଙ୍କ ଦେଖାଶୁଣା ପାଇଁ ସ୍ୱେଚ୍ଛାକୃତ ଅବସର ନେଲେ ସ୍ୱାମୀ