3 naxals killed Photograph: (sambad.in)
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଚାଲିଛି। ନକ୍ସଲ ରହି ରହି ଗୁଳି ଚଳାଉଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ସୁକମା ଡିଆରଜି ଯବାନ ଭେଜ୍ଜି ଓ ଚିନ୍ତାଗୁମ୍ଫା ମଧ୍ୟ ଜଙ୍ଗଲରେ ଚଢ଼ାଉ କରିଥିଲେ। ଆଜି ସକାଳୁ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ୩ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ସୁକମା ଏସପି କିରଣ ଚୌହାନ ଘଟଣାର ଅପଡେଟ ନେଉଛନ୍ତି। ଯବାନ ଫେରିବା ପରେ ହିଁ କେତେ ନକ୍ସଲ ନିହତ ହୋଇଛନ୍ତି ଜଣାପଡ଼ିବ ବୋଲି ପୁଲିସ କହିଛି।
ଏଣେ ଗତ ୧୧ ତାରିଖରେ ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ମଦେଡ ଏରିଆ କମିଟିର ମୁଖ୍ୟ ବୁଚ ଅନ୍ନା ସମେତ ୬ ଜଣ କ୍ୟାଡର ନକ୍ସଲ ନିହତ ହୋଇଥିବା ଜଣାପଡ଼ିଥିଲା। ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲାରେ ରହିଥିବା ଜାତୀୟ ଉଦ୍ୟାନରେ ଡିଆରଜି, ସିଆରପିଏଫ ଏବଂ ଜିଲ୍ଲା ପୁଲିସ ଚଢାଉ କରିଥିଲେ।
୧୧ ତାରିଖ ସକାଳ ୧୦ଟାରୁ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଦିନ ତମାମ ରହି ରହି ଗୁଳି ବିନିମୟ ହେଉଥିଲା। ପରେ ନକ୍ସଲ ପୁଲିସ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ୬ ଜଣ ମାଓବାଦୀଙ୍କର ମୃତ ଦେହକୁ ଉଦ୍ଧାର କରିଥିଲା। ଏଥିସହ ଘଟଣାସ୍ଥଳରୁ ସ୍ବୟଂଚାଳିତ ଇନସାସ୍, ଏସଏଲଆର, ଷ୍ଟେନଗନ, ୩୦୩ ବନ୍ଧୁକ, ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରାଯାଇଥିବା ପୁଲିସ କହିଥିଲା।
ସର୍ଚ୍ଚ ଅପରେସନ ଜାରି
ପୁଲିସ ଗୁଳିରୁ ବର୍ତ୍ତି ଯାଇଥିବା ବା ଖସି ପଳାଇଥିବା ମାଓବାଦୀଙ୍କୁ ଖୋଜିବା ପାଇଁ ଡିଆରଜି ଏବଂ ଏସଟିଏଫ ଯବାନ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା କୁହାଯାଇଛି। ଏହି ଏନକାଉଣ୍ଟର ପରେ ମଦେଡ ଏରିଆ କମିଟି ଧ୍ବଂସ ହୋଇଥିବା କୁହାଯାଇଥିଲା।
Follow Us