4 lakhs compensation to elder sister of deceased college girl Photograph: (sambad.in)
ରାଉରକେଲା: ପୋଡ଼ି ହୋଇ କଲେଜ୍ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ଛାତ୍ରୀ ଆତ୍ମାହୁତି ଘଟଣାରେ ୫୦ ଲକ୍ଷ କ୍ଷତିପୂରଣ ସହ ପରିବାରର ଜଣଙ୍କୁ ଅନୁକମ୍ପା ନିଯୁକ୍ତି ଦାବି କରିଥିଲେ ପରିବାର ଲୋକେ। ଶବ ଇସ୍ପାତ ଜେନେରାଲ ହସପିଟାଲ ମର୍ଗରେ ପଡ଼ିରହିଥିଲା। ଦାବି ପୂରଣ ନହେଲେ ମୃତଦେହ ଗ୍ରହଣ ନ କରିବାକୁ ଚେତାବନୀ ଦେଇଥିଲେ ସେମାନେ। ସରକାରଙ୍କ ପକ୍ଷରୁ ପ୍ରଶାସନ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଓ ବଡ଼ଝିଅକୁ ଚାକିରି ସହାୟତା ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।
ସୂଚନାଯୋଗ୍ୟ, ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ମୃତ୍ୟୁ ସହ ସଂଘର୍ଷ କରୁଥିବା କଲେଜ ଛାତ୍ରୀଙ୍କର ଗତକାଲି ରାତି ପ୍ରାୟ ଗୋଟାଏ ମୃତ୍ୟୁ ହୋଇଯାଇଛି l ତାଙ୍କ ଶବକୁ ମର୍ଗ ହାଉସରେ ରଖା ଯାଇଛି l ଶବ ବ୍ୟବଚ୍ଛେଦ ପରେ ଆଜି ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି l ଛାତ୍ରୀଙ୍କ ମୃତ୍ୟୁ ନେଇ ରାଜଗାଙ୍ଗପୁରରେ ଶୋକର ଛାୟା ଖେଳି ଯାଇଛି l
ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ଓ ଆଇଜିଏଚ୍ର ନିର୍ଦେଶକ ଡାକ୍ତର ଜୟନ୍ତ କୁମାର ଆଚାର୍ଯ୍ୟଙ୍କ ସହ ଆଇଜିଏଚ୍ରେ ଚିକିତ୍ସିତ ହେଉଥିବା ଛାତ୍ରୀଙ୍କ ପାଖକୁ ଯାଇଥିଲେ। ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସର ନିର୍ଦେଶକ ଓ ଡାକ୍ତରୀ ଟିମ୍ଙ୍କ ସହ ଆଲୋଚନା କରିଥିଲେ। ପରେ ଛାତ୍ରୀଙ୍କ ମା’ ଓ ତାଙ୍କ ପରିବାରକୁ ସଦସ୍ୟଙ୍କୁ ଭେଟି ଆଶ୍ବାସନା ଦେଇଥିଲେ।
ଅଭିଯୁକ୍ତ ନିଲେଶ ସାହୁକୁ ପୁଲିସ ଗିରଫ କରିସାରିଛି: ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ
ଆଇଜିଏଚ୍ରୁ ବାହାରିବା ପରେ ମନ୍ତ୍ରୀ କହିଥିଲେ, ନିଶ୍ଚିତ ଭାବେ ଦୁଃଖଦାୟକ ଘଟଣା। ଅଭିଯୁକ୍ତକୁ ପୁଲିସ ଗିରଫ କରିସାରିଛି। ଦୁଇଟି ଡାକ୍ତରୀ ଟିମ୍ ଗୁରୁତର ଛାତ୍ରୀଙ୍କ ଚିକିତ୍ସାରେ ଲାଗିଛନ୍ତି। ଛାତ୍ରୀଙ୍କ ଶରୀର ୯୨ ପ୍ରତିଶତ ଜଳିଯାଇଥିବାରୁ ସ୍ଥିତି ସଙ୍କଟାପନ୍ନ ରହିଛି। ସ୍ବାସ୍ଥ୍ୟାବସ୍ଥା ସୁଧାର ଆସିଲେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ କିମ୍ବା ଭୁବନେଶ୍ବର ଏମ୍ସକୁ ଏୟାର ଲିଫ୍ଟ କରାଯିବ। ଏଥିପାଇଁ ଭୁବନେଶ୍ବର ଏମ୍ସର ଡାକ୍ତରୀ ଟିମ୍ଙ୍କ ସହ ଆଲୋଚନା ଚାଲିଛି। କେଉଁ କାରଣରୁ ଛାତ୍ରୀ ଜଣଙ୍କ ଦେହରେ ନିଆଁ ଲଗାଇଥିଲେ ପୁଲିସ ତା’ର ତଦନ୍ତ କରୁଛି ବୋଲି ଡ. ମହାଲିଙ୍ଗ କହିଥିଲେ l
ଆହୁରି ପଢ଼ନ୍ତୁ:College Girl Death ଜୀବନ ଯୁଦ୍ଧରେ ହାରିଗଲେ କଲେଜ ଛାତ୍ରୀ, ଏମ୍ସକୁ ଏୟାର ଲିଫ୍ଟ ପାଇଁ ଥିଲା ଯୋଜନା
ଗତ ୫ ତାରିଖ ବିଳମ୍ବିତ ରାତିରେ ଘରେ ଥିବାବେଳେ ଛାତ୍ରୀ ଜଣଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଗୁୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ଗିରଫ କୁତ୍ରା ଥାନା ଅନ୍ତର୍ଗତ ବୁଡ଼ାକଟା ଗ୍ରାମର ନିଲେଶ ସାହୁ (୨୫)କୁ କୋର୍ଟ ଚାଲାଣ କରାଯାଇଛି। ନିଲେଶ ବିଭିନ୍ନ ସମୟରେ ଛାତ୍ରୀଙ୍କୁ ହଇରାଣ କରୁଥିଲେ। ଛାତ୍ରୀ ଜଣକ ନିଲେଶର ହଇରାଣ ସହ୍ୟ ନ କରିପାରି ନିଜ ଦେହରେ ନିଆଁ ଲଗାଇ ଦେଇଥିବା ପ୍ରାଥମିକ ତଦନ୍ତର ଜଣାପଡ଼ିଛି ବୋଲି ସୁନ୍ଦରଗଡ ଏସ୍ପି ଅମ୍ରିତପାଲ କୌର କହିଥିଲେ।
ସୂଚନା ଅନୁସାରେ ଛାତ୍ରୀ ଜଣକ ଶୁକ୍ରବାର ରାତିରେ ପରିବାର ଲୋକଙ୍କର ସହିତ ଖାଇ ସାରି ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ତାଙ୍କର ଦେହରେ ନିଆଁ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲାସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆହୁରି ପଢ଼ନ୍ତୁ: Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!
ରାତି ପ୍ରାୟ ୨ଟାରେ ଘଟଣା
ଏନେଇ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍) ପକ୍ଷରୁ କୁହାଯାଇଛି ଯେ, ସୁନ୍ଦରଗଡ଼ ଜିଲ୍ଲା ଲାଞ୍ଜିବେର୍ଣ୍ଣା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଆଜି ଭୋର ୩ଟା ୪୦ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଗତକାଲି ରାତି ପ୍ରାୟ ୨ଟାରେ ନିଆଁରେ ଜଳି ଯାଇଥିବା ତାଙ୍କର ପରିବାର ଲୋକେ କହିଛନ୍ତି।
Follow Us