ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ମହାନଦୀର କିଲିପାଳ ବାଲି ସୈରାତରେ ଦୀର୍ଘ ବର୍ଷ ଧରି ବ୍ୟାପକ ଚୋରା ବାଲି କାରବାର ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା। ଗତକାଲି ବିଳମ୍ବିତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ନେତୃତ୍ବରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏକାଧିକ ଟିମ୍ କରି ଜିଲ୍ଲାର ବିଭିନ୍ନ ବାଲିଘାଟରେ ଚଢ଼ଉ କରି ବଡ଼ ଧରଣର ରାକେଟ ଠାବ କରିଛନ୍ତି।
ଗୋଟିଏ ରାତିରେ ୪୮ ଚୋରା ବାଲି ବୋଝେଇ ହାଇୱା ଜବତ କରାଯାଇଛି। ସେହିପରି ଉତ୍ତୋଳନରେ ବ୍ୟବହୃତ ୪ ଜେସିବି ମଧ୍ୟ ଧରାପଡ଼ିଛି। ଏହି ଗାଡ଼ିଗୁଡ଼ିକୁ ବିଭିନ୍ନ ଥାନାରେ ରଖାଯାଇଛି। ଏ ସଂକ୍ରାନ୍ତରେ ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ Shreemayee Mishra, BJD: ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ ପରେ ବିଜେଡିକୁ ଶ୍ରୀମୟୀଙ୍କ ‘ବିପ୍ଳବ-ବିଦ୍ରୋହ-ବିନାଶ’ର ବାଣ !
ରାଜ୍ୟରେ କୌଣସି ଗୋଟିଏ ରାତିରେ ଏତେଗୁଡ଼ିଏ ଚୋରା ବାଲିବୋଝେଇ ହାଇୱା ଧରାପଡ଼ିବା ପ୍ରଥମ ଘଟଣା ବୋଲି କୁହାଯାଉଛି। ସେହିପରି ଏହି ଚଢ଼ଉ ଜଗତସିଂହପୁର ଜିଲ୍ଲାରେ ବାଲି ମାଫିଆଙ୍କ ନିଦ ହଜାଇ ଦେଇଛି। ଏହି ଚଢ଼ଉରେ ଅତିରିକ୍ତ ଏସପି, ଉପଜିଲ୍ଲାପାଳ, ଜଗତସିଂହପୁର ଓ ତିର୍ତ୍ତୋଲ ଏସଡିପିଓ ସାମିଲ ଥିଲେ।
ଆହୁରି ପଢ଼ନ୍ତୁ Debashis' explosive statement: ବିଜେଡି ସ୍ଥିତିକୁ ନେଇ ଦେବାଶିଷଙ୍କ ବିସ୍ଫୋରକ ବୟାନ
ଏହି ଧରଣର ଚଢ଼ଉ ଆଗକୁ ଜାରି ରହିବା ଆବଶ୍ୟକ
ଡିଆଇଜିଙ୍କ ନେତୃତ୍ବରେ ଜିଲ୍ଲାପାଳ, ଏସପିଙ୍କ ରାତି ତମାମ୍ ଚଢ଼ଉ ଚାଲିଥିଲା। ଏଥିରେ ୫୦ରୁ ଅଧିକ ପୁଲିସ ଓ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ। ଏହି ଘଟଣା ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ବିଜେପି ସରକାର ଆସିବା ପରେ ଅଧିକାରୀମାନେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସାହସ ଜୁଟାଇଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ସାଧାରଣରେ ସରକାରୀ ଅଧିକାରଙ୍କୁ ପ୍ରଶଂସା କରାଯାଉଛି। ଏହି ଧରଣର ଚଢ଼ଉ ଆଗକୁ ଜାରି ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ମୟୂରଭଞ୍ଜ ଜିଲ୍ଲାରେ ବାଲିମାଫିଆଙ୍କ ଉତ୍ପାତ
ମୟୂରଭଞ୍ଜ ଜିଲ୍ଲାରେ ବାଲିମାଫିଆଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଅହରହ ବାଲି ଲୁଟ୍ କରୁଥିବା ବେଳେ ଚଢ଼ଉ କରୁଥିବା ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଆଜି ବେତନଟୀ ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥର ତୁଳସୀଚଉରା ଢାବା ନିକଟରେ ବାଲି ବୋଝେଇ ଗାଡ଼ି ଜବତ କାରଣରୁ ମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ବାଲିମାଫିଆଙ୍କ ଆକ୍ରମଣରେ ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା ଓ ଚାଳକ ନିହାର ରଞ୍ଜନ ବିଶ୍ୱାଳ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ତିନିଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ଅପରାହ୍ଣରେ ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା ସ୍ଥାନୀୟ ଜେଏମ୍ଏଫସି କୋର୍ଟ ନିକଟରେ ମୁକ୍ତାପୁର ଗ୍ରାମର ସୁନୀଲ ଲେଙ୍କାଙ୍କ ନାମରେ ପଞ୍ଜୀକୃତ ଓଡି୧୧ଏଇ-୩୨୩୪ ନମ୍ବର ବିଶିଷ୍ଟ ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ବେତନଟୀ ପୁଲିସକୁ ହସ୍ତାନ୍ତର କରିଥିଲେ।
ପ୍ରଶାନ୍ତ ଗାଆଣ ଓ ସୁଶାନ୍ତ ଗାଆଣ ଗିରଫ
ଏଥିରେ ପ୍ରତିଶୋଧ ପରାୟଣ ହୋଇ ୧୫ରୁ ୨୦ଜଣ ସଂଘବଦ୍ଧ ହୋଇ ଆଜି ସନ୍ଧ୍ୟା ସମୟରେ ତହସିଲଦାର ଓ ଅନ୍ୟ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ତହସିଲଦାର ଶ୍ରୀ ବେହେରା ଓ ଗାଡ଼ିଚାଳକ ନିହାର ରଞ୍ଜନ ବିଶ୍ୱାଳ ଗୁରୁତର ଆହତ ହୋଇଛନ୍ତି। ଏହି ମାମଲାରେ ଜଡିତ ୨ମୁଖ୍ୟ ଅଭିଯୁକ୍ତ ବଡ଼ସାହି ଥାନା ବର୍ତ୍ତନା ଗ୍ରାମର ପ୍ରଶାନ୍ତ ଗାଆଣ ଓ ତାଙ୍କ ସହଯୋଗୀ ସୁଶାନ୍ତ ଗାଆଣଙ୍କୁ ଗିରଫ କରିଛି ପୁଲିସl ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏସଡିପିଓଙ୍କ ନେତୃତ୍ୱରେ ବଡ଼ସାହି ଓ ବେତନଟୀ ପୁଲିସର ଏକାଧିକ ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତିl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/26/untitled-2025-11-26-10-14-02.png)