ରାଉରକେଲା: ସହରରେ ଆପରାଧିକ କାର୍ଯ୍ୟକଳାପ ବହୁମାତ୍ରାରେ ବଢ଼ିବାରେ ଲାଗିଛି। ନିୟମିତ ବ୍ୟବଧାନରେ ଚୋରି, ଲୁଟ୍ ହେଉଛି। ଅବଶ୍ୟ ରାଉରକେଲା ପୁଲିସ ପକ୍ଷରୁ ଧରପଗଡ଼କୁ ବ୍ୟାପକ କରାଯାଇଛି। ଏବେ ଡକାୟତ ଗ୍ୟାଙ୍ଗ୍ରୁ ଦେଶୀ ବନ୍ଧୁକ, ଜୀବନ୍ତ ବୋମା ଉଦ୍ଧାର ହେଉଛି। ଡକାୟତଙ୍କ ପାଖରୁ ବୋମା ଉଦ୍ଧାର କେବଳ ଚକିତ କରିନି, ବରଂ କୋକୁଆ ଭୟ ଖେଳାଇଦେଇଛି।
ରାଉରକେଲାରେ ଅପରାଧିକ କାର୍ଯ୍ୟକଳାପ ବହୁମାତ୍ରାରେ ବଢ଼ିବାରେ ଲାଗିଛି। ରାଉରକେଲାରେ ୭ ଡକାୟତ ଗିରଫ ହୋଇଥିବା ବେଳେ ଡକାୟତ ଗ୍ୟାଙ୍ଗ୍ ପାଖରୁ ଦେଶୀ ବନ୍ଧୁକ ଓ ଜୀବନ୍ତ ବୋମା ଉଦ୍ଧାର ହେଉଛି।
ରଘୁନାଥପାଲି ଥାନା ଅଞ୍ଚଳରେ ରବିବାର-ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା। ସ୍ଥାନୀୟ ଚୋରାଟୋଲା ଆଲୋକ ପ୍ରଜାପତି(୨୮), ଲାଲମାଟି ରୁପୁଟୋଲାର ସୋନୁ ସମାସୀ(୩୦), ଧନୁ ବାହାଦୁର(୨୨) ଓ ଆଉ ୪ ଜଣ ଡକାୟତି ତରକେରା ପେଟ୍ରୋଲ ପମ୍ପ୍ ପାଚେରୀ ପାଖରେ ଡକାୟତି ପାଇଁ ଯୋଜନା କରୁଥିଲେ। ସେମାନଙ୍କ ପାଖରେ ଗୋଟିଏ ଦେଶୀ ପସ୍ତଲ ସମେତ ୨ଟି ଜୀବନ୍ତ ବୋମା, ଗୋଟିଏ ଖଣ୍ଡା, ଗୋଟିଏ ଛୁରୀ, ଗୋଟି ଟର୍ଚ୍ଚ୍ ଲାଇଟ୍ ରହିଥିଲା। ସେମାନେ ରାଉରକେଲା ସହରରେ ଡକାୟତି ପାଇଁ ସବୁ ଯୋଜନା କରି ବାହାରୁଥିଲେ। ସେମାନେ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ରଘୁନାଥପାଲି ପୁଲିସର ନଜରରେ ପଡ଼ିଯାଇଥିଲେ। ପରେ ପୁଲିସ ସେମାନଙ୍କୁ ଯୋଜନାବଦ୍ଧଭାବେ ଚଢ଼ଉ କରିଥିଲେ। ତେବେ ତିନିଜଣ ଅଭିଯୁକ୍ତଙ୍କୁ କାବୁ କରିନେଇଥିବାବେଳେ ଅନ୍ୟ ୪ ଜଣ କିନ୍ତୁ ଫେରାର ହୋଇଯାଇଥିଲେ। ଅଭିଯୁକ୍ତଙ୍କ ପାଖରୁ ସମସ୍ତ ମାରଣାସ୍ତ୍ର ଜବତ ହୋଇଛି। ଏହି ଡକାୟତ ଗ୍ୟାଙ୍ଗ୍ ନାଁରେ ଏକାଧିକ ମାମଲା ରହିଛି। ସେମାନେ ନିଜେ ଘରେ ବୋମା ତିଆରି କରିଥିବା ପୁଲିସ ସୂଚନାରୁ ପ୍ରକାଶ।
ଏଣେ ସ୍ଥାନୀୟ ମ୍ୟୁନିସିପାଲ କଲେଜ ପଡ଼ିଆରେ ଡକାୟତି ପାଇଁ ଯୋଜନା କରୁଥିବା ୪ ଜଣଙ୍କ ଡକାୟତଙ୍କୁ ଉଦିତନଗର ପୁଲିସ ଗିରଫକରି କୋର୍ଟଚାଲାଣ କରିଛି। ତେବେ ଅନ୍ୟ ୨ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମାଲଗୋଦାମ ଆଇସ୍ ଫ୍ୟାକ୍ଟ୍ରି ଅଞ୍ଚଳର ସୌରଭ ଗିରି(୨୩), ମହମ୍ମଦ ସୋହେଲ ଓରଫ୍ ପିଗି(୨୨), ସଚିନ କୁମାର କୁର୍ମି(୨୩) ଓ ମାଲଗୋଦାମ ସ୍ବିପର୍ ବସ୍ତିର ସନ୍ତୋଷ ନାଗ ଓରଫ୍ ସନ୍ନି(୨୦)। ସେମାନଙ୍କ ପାଖରୁ ଜୀବନ୍ତ ଗୁଳି ସହ ଦେଶୀ ବନ୍ଧୁକ, ଛୁରୀ, ଲୁହାରଡ୍, ରଶି, ଲଙ୍କା ଗୁଣ୍ଡ, ମୋଟରସାଇକଲ(ଓଡି-୨୩ଜି-୧୩୨୯) ଆଦି ଜବତ ହୋଇଛି। ଉଲ୍ଲେଖଯୋଗ, ରବିବାର-ସୋମବାର ରାତି ପ୍ରାୟ ୨.୪୫ ମିନିଟ୍। ୬ ଜଣ ଡକାୟତ ମ୍ୟୁନିସିପାଲ କଲେଜ ପଡ଼ିଆ ପାଖରେ ବିୟର୍ ମଦ ପିଉଥିଲେ। ସେମାନେ ମଦ ପିଇବାପରେ ସ୍ଥାନୀୟ ଅଞ୍ଚଳରେ ବିଶ୍ରା ଡାହାର୍ ଅଞ୍ଚଳରେ ଡକାୟତି କରିବାକୁ ସ୍ଥିର କରିଥିଲେ। ଠିକ୍ ଏତିକିବେଳେ ପାଟ୍ରୋଲିଂ କରୁଥିବା ଉଦିତନଗର ପୁଲିସର ସନ୍ଦେହ ଜାତ ହୋଇଥିଲା। ଏଣୁ ସଦଳବଳ ଚଢ଼ଉକରି ୪ ଜଣଙ୍କୁ ଗିରଫକରିବାରେ ସଫଳ ହୋଇଛି।
Follow Us