ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଓ କୁହୁଡ଼ି ଯୋଗୁ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ସପ୍ତାହ ପାଇଁ ଉତ୍ତର-ପଶ୍ଚିମ ଭାରତରେ ଥଣ୍ଡା ଲହରୀ ସମ୍ଭାବନା ନାହିଁ। କିନ୍ତୁ ଘନ କୁହୁଡ଼ି ଏବଂ ଥଣ୍ଡା ଜାରି ରହିବ। କିଛି ଅଞ୍ଚଳରେ ହାଲୁକା ବର୍ଷା ଓ ତୁଷାରପାତ ମଧ୍ୟ ହୋଇପାରେ।
ୟୁପିରେ ୪୦ରୁ ଅଧିକ ଗାଡ଼ି ଧକ୍କା, ୭ ଜଣଙ୍କ ମୃତ୍ୟୁ
ଶନିବାର ଉତ୍ତର ପ୍ରଦେଶରେ ଋତୁର ସବୁଠାରୁ ଘନ କୁହୁଡ଼ି ଅନୁଭୂତ ହୋଇଛି। ଯାହା ଫଳରେ ଅନେକ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଘଟିଛି। ବିଭିନ୍ନ ସ୍ଥାନରେ ୪୦ ରୁ ଅଧିକ ଯାନବାହନ ଧକ୍କା ହୋଇଥିବାବେଳେ ସାତ ଜଣଙ୍କର ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଦେଢ଼ ବର୍ଷର ଶିଶୁକନ୍ୟା ମଧ୍ୟ ଅଛନ୍ତି। ଦୁର୍ଘଟଣାରେ ୫୦ ରୁ ଅଧିକ ଲୋକ ଆହତ ହୋଇଥିବା ରିପୋର୍ଟ ହୋଇଛି।
କୁହୁଡ଼ି ଯୋଗୁ ଦୃଶ୍ୟମାନତା ପ୍ରାୟ ଶୂନ୍ ହୋଇଯାଇଛି। ଫଳରେ ରାଜପଥ ଓ ପ୍ରମୁଖ ରାସ୍ତାରେ ଡ୍ରାଇଭରମାନେ ନିୟନ୍ତ୍ରଣ ହରାଇ ବସୁଛନ୍ତି। ରାଜ୍ୟରେ ଶନିବାର ୧୦୦ ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲୁଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଶ୍ରୀନଗରର ତାପମାତ୍ରା ମାଇନସ୍ ୪.୦ ଡିଗ୍ରି ସେଲସିୟସ୍କୁ ଖସିଲା
ଜମ୍ମୁ-କାଶ୍ମୀରରେ ସର୍ବନିମ୍ନ ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୪.୦ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଶୋପିଆନରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୫.୬ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ପହଲଗାମରେ ମାଇନସ୍ ୨.୬ ଡିଗ୍ରି ସେଲସିୟସ୍ , ଗୁଲମାର୍ଗରେ ମାଇନସ୍ ୪.୨ ଡିଗ୍ରି ସେଲସିୟସ୍ ଥିବାବେଳେ ସୋନମାର୍ଗରେ ମାଇନସ୍ ୨.୯ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁ ଡାଲ୍ ହ୍ରଦର କିଛି ଅଂଶ ଏବଂ ଅନ୍ୟାନ୍ୟ ଜଳାଶୟ ଜମାଟ ବାନ୍ଧିଯାଇଛି। ଯାହା ଫଳରେ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଆହୁରି ପଢ଼ନ୍ତୁ:2 Brothers Death Accident ଚାଲିଚାଲି ଆସୁଥିବା ବେଳେ ଧକ୍କା ଦେଲା ବୋଲେରୋ, ଆଖି ବୁଜିଲେ ଦୁଇ ଭାଇ
ହିମାଚଳ ପ୍ରଦେଶରେ ତୁଷାରପାତ
ହିମାଚଳ ପ୍ରଦେଶର ଲାହୌଲ-ସ୍ପିତି ଓ ଚମ୍ବା ଜିଲ୍ଲାରେ ନୂତନ ତୁଷାରପାତ ହୋଇଛି।ଫଳରେ ପର୍ଯ୍ୟଟକ ପ୍ରଭାବିତ ହୋଇଛନ୍ତି। ଶନିବାର ସ୍ପିତିର ଶିଙ୍କୁଲା ପାସ୍ ଅଞ୍ଚଳରେ ୨୫ ପର୍ଯ୍ୟଟକ ଯାନ ଫସି ରହିଥିଲା। ସ୍ଥାନୀୟ ପୁଲିସ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ପର୍ଯ୍ୟଟକ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିଥିଲେ। ସିମଲା ଏବଂ ଚୌପାଳ ଭଳି କିଛି ଅଞ୍ଚଳରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଥିବାବେଳେ​​ ସେଓବାଗରେ ସର୍ବନିମ୍ନ ତାପମାତ୍ରା ୧.୦ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇ ୮.୦ ଡିଗ୍ରି ସେଲସିୟସ୍ ଛୁଇଁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/18/untitled-2026-01-18-09-42-46.png)