Elephant killed minor at lanjigarh Photograph: (sambad.in)
ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ଵନାଥପୁର ରେଞ୍ଜ ଲାଞ୍ଜିଗଡ଼ ସେକ୍ସନ ତ୍ରିଲୋଚନପୁର ପଞ୍ଚାୟତ କୁନ୍ନା କାଡୁ ଗାଁର କାଣୁ ମାଝୀଙ୍କ ପୁତ୍ର ରବି ମାଝୀ(୭)ଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ସାନଭାଇ ସାମରି ମାଝୀ(୫)ଙ୍କୁ ହାତୀ ଫିଙ୍ଗି ଦେଇଥିବା ବେଳେ ପିଠିରେ ଆଘାତ ଲାଗିଥିବା ସୂଚନା ମିଳିଛି। କାଣୁ ମାଝୀ ଆଜିକୁ ୩ ବର୍ଷ ହେଲା ହରଡାଗୁଡା ଗାଁରେ ଘର କରି ନିକଟସ୍ଥ ଜଙ୍ଗଲରେ ପଢୁଚାଷ କରୁଥିବା ବେଳେ ଆଜି ସକାଳେ ସାଢ଼େ ୮ ଘଣ୍ଟା ସମୟରେ ଦୁଇ ଭାଇ ରବି ମାଝୀ ଓ ସାନଭାଇ ସାମରି ମାଝୀ ନିଜ ଚାଷ ଗୁଡ଼ିଆକୁ ଯାଉଥିବା ବେଳେ ଗାଁ ନିକଟସ୍ଥ ପାଣିଟାଙ୍କି ନିକଟରେ ଏକ ଦନ୍ତା ହାତୀ ଆକ୍ରମଣ ଯୋଗୁଁ ରବିର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବନ ବିଭାଗ କି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ସୂଚନା ମିଳିଛି।
ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବୃଦ୍ଧି
ସୂଚନା ଯୋଗ୍ୟ ଯେ,ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧ ପାଉଥିବାର ପରିଲକ୍ଷିତ ହୋଇଛି। ଏଣେ ଗତ ୨୭ ତାରିଖରେ ବିଜେପୁର ଠାରୁ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ସଲପକନା ଗାଁଠାରୁ ଆମଗୁଡା ଗାଁ ପର୍ଯ୍ୟନ୍ତ ଲାଗି ରହିଥିବା ଜଙ୍ଗଲରେ ଘୁରି ବୁଲୁଛି ଏକଟିକିଆ ଦନ୍ତା ହାତୀ।ଏହି ମୁଖ୍ୟ ରାସ୍ତାଟି ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବିଶାଖାପାଟଣମକୁ ସଂଯୋଗ କରୁଥିବା ବେଳେ ଲୋକେ ସଦାସର୍ବଦା ଯାତାୟତ କରନ୍ତି। ବର୍ତ୍ତମାନ ସନ୍ଧ୍ୟା ସମୟରେ ଦନ୍ତା ହାତୀ ବୁଲୁଥିବା ଦେଖି ଲୋକେ ଉକ୍ତ ରାସ୍ତାରେ ଯାତାୟତ କରିବାପାଇଁ ଭୟଭୀତ ହେଉଛନ୍ତି l ଏନେଇ ବିଜେପୁର ବନପାଳ ପଦ୍ମଲୋଚନ ଶବରକୁ ପଚାରିବାରୁ ବନବିଭାଗର ସମସ୍ତ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛୁ ଏବଂ ହାତୀର ଗତିବିଧି ଉପରେ ନଜର ରଖିଛୁ ବୋଲି ପ୍ରକାଶ କରିଛନ୍ତି।ହେଲେ କିଛି ମାସ ତଳେ ଏହି ଜଙ୍ଗଲକୁ ଲାଗି ରହିଥିବା ତ୍ରିଲୋଚନପୁର ପଞ୍ଚାୟତର ଵେରେନପିଣ୍ଡା ଗାଁର ରାଇ ମାଝୀ(୫୬ବର୍ଷ)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ଦୋରାସାର୍ଲି ଗାଁର ମୁଗାନା ମାଝୀ(୭୦)ଓ ତାଙ୍କ ସ୍ତ୍ରୀ ଗାଦ ମାଝୀ(୬୬)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା।
ଆହୁରି ପଢ଼ନ୍ତୁ: BJD Amar Patnaik joins BJP: ବିଜେଡିକୁ ଶକ୍ତ ଧକ୍କା, ବିଜେପିରେ ଯୋଗ ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
ସେହିପରି କୁମଖାଲ ପଞ୍ଚାୟତ କାତୁଲବାଇ ଗାଁର ଜଣେ ୧୮ବର୍ଷୀୟ ଯୁବକ ଜଙ୍ଗଲକୁ ନିଜ ଗାଈ ଚରାଇବାକୁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ। ଏଥିରେ ତାଙ୍କର ପ୍ରାଣହାନି ଘଟିଥିଲା l ବର୍ତମାନ ଲାଞ୍ଜିଗଡ଼ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲୀ ହାତୀଙ୍କ ଉପଦ୍ରଵ ଜାରି ରହିଥିବା ବେଳେ ଧାନ ଫସଲ ସମେତ ଘରଦ୍ୱାର ଭଙ୍ଗାରୁଜା କରୁଥିବାରୁ ସନ୍ଧ୍ୟା ହେଲେ ଅଞ୍ଚଳ ଲୋକେ ହାତୀର କୋକୁଆ ଭୟରେ ଥରୁଛନ୍ତି।ଉକ୍ତ ଅଞ୍ଚଳରେ ରାତି ନ ହଉଣୁ ବିଜୁଳି କଟା ଯୋଗୁଁ ଲୋକେ ଆହୁରି ଭୟଭୀତ ହେଉଥିବା ବେଳେ ବିଜୁଳି ଆଲୁଅ ନଥିବା ଯୋଗୁଁ ମଧ୍ୟ ହାତୀ ଗାଁ ମୁହାଁ ହୋଇ ଅନେକ ଧନ ଜୀବନ ନଷ୍ଟ କରୁଛନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି l ତେଵେ ବନବିଭାଗ ଏଥିପ୍ରତି ସଜାଗରହି ଲୋକେ ଓ ଫସଲ କେମିତି ସୁରକ୍ଷିତ ରହିବେ ସେନେଇ ବନ ବିଭାଗ ଦୃଷ୍ଟି ଦେବା ଲାଗି ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି l
Follow Us