Tipper owner strike Photograph: (Sambad )
ମାଲକାନଗିରି: ଜିଲ୍ଲାରେ ବାଲି ଚାଲାଣ ବେଳେ ଟିପ୍ପରମାନଙ୍କୁ ପ୍ରଶାସନ ତରଫରୁ ଧରପଗଡ଼ କରାଯାଇ ଲକ୍ଷାଧିକ ଟଂକା ଜରିମାନା ଆଦାୟ କରାଯାଉଥିବାର ପ୍ରତିବାଦରେ ଆଜି ଠାରୁ ଟିପ୍ପର ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ମାଲକାନଗିରିସ୍ଥିତ ମାଲ୍ୟବନ୍ତ ପଡିଆରେ ୨୦୦ରୁ ଊର୍ଦ୍ଧ୍ବ ଟିପ୍ପର ଗୋଟିଏ ଜାଗାରେ ରଖି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି। ଜିଲ୍ଲାରେ କୌଣସି ଗୋଟିଏ ବି ଉନ୍ନୟନ କାମରେ ଟିପ୍ପର ଦ୍ବାରା ବାଲି, ପଥର, ଚିପସ୍ ଇତ୍ୟାଦି ଯୋଗାଣ କରାଯିବ ନାହିଁ ବୋଲି କୁହାଯାଇଛି। ଏହାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଟିପ୍ପର ମାଲିକ ସଂଘ ପକ୍ଷରୁ କୁହାଯାଇଛି।
ଜିଲ୍ଲାରେ ପ୍ରାୟ ୫୦୦ କୋଟିରୁ ଊର୍ଦ୍ଧ୍ବ ଟଂକାର ଉନ୍ନୟନ କାମ ଚାଲିଥିବା ବେଳେ ୬୦ରୁ ଅଧିକ ହାଇ ଲେବେଲ ବ୍ରିଜ କାମ ଚାଲିଛି। ଆଉ ଦୁଇ ମାସ ପରେ ବର୍ଷା ଆସିଗଲେ ସବୁ କାମ ଠପ୍ ହୋଇଯିବ। ଅନ୍ୟ ଦିଗରେ ଠିକାଦାରମାନଙ୍କୁ ସରକାର ଚେତାବନୀ ଦେଇଛନ୍ତି ଯେ ଜୁନ ପୂର୍ବରୁ କାମଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ ସାରିବା ପାଇଁ। ନଚେତ ସମସ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗୋଟିଏ ବର୍ଷା ବି ଦୁଇ ମାସ ମଧ୍ୟରେ ହୁଏ ତେବେ ଜିଲ୍ଲାର ସମସ୍ତ ବ୍ରିଜରେ ପାଣି ଭର୍ତ୍ତି ହେବା କାମ ବନ୍ଦ କରିବାକୁ ଠିକାଦାରମାନେ ବାଧ୍ୟ ହେବେ। ଏହି ପରିପ୍ରେକ୍ଷୀରେ ଟିପ୍ପର ମାଲିକ ସଂଘର ଧର୍ମଘଟ ଆଗକୁ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ଅସୁବିଧାରେ ହିଁ ପକାଇବ ବୋଲି କୁହାଯାଇଛି। ଅନ୍ୟଦିଗରେ ବ୍ୟକ୍ତିଗତ ଘର କରୁଥିବା ଲୋକେ ମଧ୍ୟ ଏବେ ଅସୁବିଧାରେ ପଡିଛନ୍ତି। ସେମାନଙ୍କୁ ମଧ୍ୟ ବାଲି, ଇଟା, ପଥର ଇଦ୍ୟାଦି ମିଳୁନଥିବାରୁ କେବେ ଏହି ଆନ୍ଦୋଳନ ସମାପ୍ତ ହେବ ତାହା ଉପରେ ସେମାନେ ମଧ୍ୟ ନଜର ରଖିଛନ୍ତି।
ଟିପ୍ପର ମାଲିକ ସଂଘର କହିବା ହେଲା ଆମେ ଗାଡିର ଟ୍ୟାକ୍ସ ସହ ସରକାରଙ୍କର ସମସ୍ତ ରୋୟାଲଟି ଇତ୍ୟାଦି ଶହେ ପ୍ରତିଶତ ପୈଠ କରିବା ପରେ ଆମ ପାଖରେ କିଛି ରହୁନାହିଁ। ଅନ୍ୟଦିଗରେ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀମାନଙ୍କର ଦରମା ରହିଲା। ତେବେ ସରକାର ଏଭଳି ଧରପଗଡ କରି ଲକ୍ଷାଧିକ ଟଂକା ଜୋରିମାନା ପକାଇଲେ ଗାଡି ଚଲାଇବା ମୁସକିଲ ହୋଇପଡିବ ବୋଲି କୁହାଯାଇଛି। ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।
Malkangiri
Follow Us