କୋର୍ଟରେ ମାମଲା: ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗଙ୍କୁ ଛାଡ଼ପତ୍ର ଦେବେ ଜଗବନ୍ଧୁ!

ବ୍ଲାକମେଲିଂ ଅଭିଯୋଗରେ ୨୦୨୨ ଅକ୍ଟୋବର ମାସରେ ଜେଲ୍‌ ଯାଇ ରାଜ୍ୟ ଏବଂ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଥିବା ଅର୍ଚ୍ଚନା ନାଗଙ୍କୁ ନେଇ ପୁଣି ଥରେ ଖବର ଆସିଛି।

Archana Nag and Jagabandhu Chand

Archana Nag and Jagabandhu Chand Photograph: (sambad.in)

ଭୁବନେଶ୍ୱର: ବ୍ଲାକମେଲିଂ ଅଭିଯୋଗରେ ୨୦୨୨ ଅକ୍ଟୋବର ମାସରେ ଜେଲ୍‌ ଯାଇ ରାଜ୍ୟ ଏବଂ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଥିବା ଅର୍ଚ୍ଚନା ନାଗଙ୍କୁ ନେଇ ପୁଣି ଥରେ ଖବର ଆସିଛି। ଏଥରର ଖବର ଟିକିଏ ଅଲଗା। ଅର୍ଚ୍ଚନା ନାଗ ତାଙ୍କର ସ୍ବାମୀ ଠାରୁ ଅଲଗା ହେବେ ବୋଲି ଚର୍ଚ୍ଚା ହେଉଛି। ପତ୍ନୀ ଅର୍ଚ୍ଚନା ନାଗଙ୍କୁ ଛାଡ଼ପତ୍ର ଦେବା ପାଇଁ ସ୍ବାମୀ ଜଗବନ୍ଧୁ ଚାନ୍ଦ କୋର୍ଟରେ ଆବେଦନ କରିଛନ୍ତି। ଏନେଇ ଭୁବନେଶ୍ୱର ପରିବାର ଅଦାଲତରେ ମାମଲା ରୁଜୁ ହୋଇଛି। ଅଦାଲତ ମାମଲା ଏକ ପ୍ରକ୍ରିୟା ଦେଇ ଚାଲିଥାଏ। ତେଣୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆଗାମୀ ଜୀବନ କେମିତି କଟିବ ତାହା ସମୟ କହିବ। 

ଅର୍ଚ୍ଚନା ନାଗ ଓ ଅନ୍ୟମାନଙ୍କ ବିରୋଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ଭୁବନେଶ୍ବରର ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଆଇପିସିର ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ପୁଲିସ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥି ସହିତ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୨୨, ଅକ୍ଟୋବର ୬ତାରିଖରେ ଅର୍ଚ୍ଚନା ଗିରଫ ହୋଇ ଜେଲ ଯାଇଥିଲେ। ଅର୍ଚ୍ଚନାଙ୍କ ବେଆଇନ କାର୍ଯ୍ୟକଳାପ ଓ କଳାଟଙ୍କା ପ୍ରସଂଗ ସମ୍ମୁଖକୁ ଆସିବା ପରେ ଇଡି ଘଟଣାର ତଦନ୍ତ କରିଥିଲା। ୨୦୨୨, ଡିସେମ୍ବର ୧୩ରେ ଇଡି ଅର୍ଚ୍ଚନାଙ୍କୁ ଗିରଫ କରିଥିଲା।

ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରି ଥିଲେ। ଅର୍ଚ୍ଚନା ଯେଉଁ ଦିନ ଜେଲରୁ ବାହାରିଥିଲେ, ତାଙ୍କୁ ନେବା ଲାଗି ସ୍ବାମୀ ଜଗବନ୍ଧୁ ଚାନ୍ଦ ଆସିଥିଲେ।

ଅଢ଼େଇ ବର୍ଷ ପୂର୍ବରୁ ବହୁଚର୍ଚ୍ଚିତ ହନି ଟ୍ରାପ୍‌ ମାମଲାରେ ଅର୍ଚ୍ଚନା ନାଗ ଚର୍ଚ୍ଚିତ ଚେହେରା ପାଲଟିଥିଲେ। ରାଜଧାନୀର ଲେଡି ବ୍ଲାକମେଲର ଭାବେ ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲା ସମଗ୍ର ରାଜ୍ୟର ଆଲୋଡ଼ନ ବିଷୟ ପାଲଟିଥିଲା। ଏନେଇ ଅଭିଯୋଗ ହେବା ପରେ ଅର୍ଚ୍ଚନା ନାଗ ଚମ୍ପଟ ମାରିଥିଲେ। ପରବର୍ତ୍ତୀ ସମୟରେ ଅର୍ଚ୍ଚନାକୁ କମିସନରେଟ୍‌ ପୁଲିସ୍‌ ଗିରଫ କରିଥିଲା। ଏଥିସହ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ବନ୍ଧୁ ଖଗେଶ୍ୱରଙ୍କୁ ମଧ୍ୟ ଗିରଫ କରି କମିସନରେଟ୍‌ ପୁଲିସ୍‌ ଝାରପଡ଼ା ଜେଲ୍‌ ପଠାଇ ଦେଇଥିଲା। 

ତିନି ବର୍ଷରେ କୋଟିପତି
୨୦୧୫ ମସିହାରେ ଅର୍ଚ୍ଚନା ନାଗ କାଳହାଣ୍ଡି ଜିଲାରେ ଏକ ଗରିବ ପରିବାରରୁ ଆସି ଭୁବନେଶ୍ବରରେ ପହଞ୍ଚି ଥିଲେ। ସେ ଅଳ୍ପ ସମୟ ମଧ୍ୟରେ ସେ ଏକ ବିଲାସପୂର୍ଣ୍ଣ ଜୀବନଶୈଳୀ ଆରମ୍ଭ କରିଥିଲେ, ଯାହା ମଧ୍ୟରେ ରହିଛି ଏକ ଆଲିଶାନ ଘର, ବିଳାସପୂର୍ଣ୍ଣ ଗାଡ଼ି, ମହଙ୍ଗା ବ୍ରିଡର କୁକୁର ଏବଂ ଏକ ଧଳା ଘୋଡ଼ା। ପୁଲିସ କହିବା ଅନୁସାରେ, ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ୨୦୧୮ରୁ ୨୦୨୨ ମଧ୍ୟରେ ପ୍ରାୟ ୩୦ କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଥିଲେ, ଯାହାର ମୁଖ୍ୟ ଉତ୍ସ ଥିଲା ହନିଟ୍ରାପ ଓ ବ୍ଲାକମେଲିଂ।

court

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe