ଏଏସ୍‌ଆଇର ସମ୍ମିଳନୀ: ଭାଗନେଲେ ୧୧୨ଟି ଶିକ୍ଷାନୁଷ୍ଠାନର ୪ ଶହ ଜ୍ୟୋତିର୍ବିଦ

ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ଭାରତୀୟ ଜ୍ୟେତିର୍ବିଜ୍ଞାନୀ ସଂଗଠନ(ଏଏସ୍‌ଆଇ)ର ୪୩ତମ ବାର୍ଷିକ ସମ୍ମିଳନୀ ଆରମ୍ଭ ହୋଇଯାଇଛି। ଏଥିରେ ଦେଶର ୧୧୨ଟି ଶିକ୍ଷାନୁଷ୍ଠାନର ୪୦୦ ଜ୍ୟୋତିର୍ବିଦ ଯୋଗ ଦେଇଛନ୍ତି।

ରାଉରକେଲା: ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ଭାରତୀୟ ଜ୍ୟେତିର୍ବିଜ୍ଞାନୀ ସଂଗଠନ(ଏଏସ୍‌ଆଇ)ର ୪୩ତମ ବାର୍ଷିକ ସମ୍ମିଳନୀ ଆରମ୍ଭ ହୋଇଯାଇଛି। ମୁଖ୍ୟଅତିଥି ଏନ୍‌ଆଇଟି ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଉଦ୍‌ବୋଧନରେ ଆର୍ଯ୍ୟଭଟ୍ଟ, ବରାହମିହିର, ଭାସ୍କରଙ୍କ ଭଳି ଭାରତୀୟ ଗଣିତଜ୍ଞଙ୍କ ପ୍ରାଚୀନ ଅବଦାନ ଓ ଇସ୍ରୋ ଦ୍ବାରା ମହାକାଶ ମିଶନ ଭଳି ଆଧୁନିକ ସଫଳତା ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ।

ଆଇଆଇଏସ୍‌ଟି(ଥିରୁବନନ୍ତପୁରମ୍‌)ର ନିର୍ଦ୍ଦେଶକ ତଥା ଏଏସ୍‌ଆଇ ସଭାପତି ପ୍ରଫେସର ଦୀପଙ୍କର ବାନାର୍ଜୀ ସଂଗଠନର ବିଭିନ୍ନ କାର୍ଯ୍ୟକଳାପ ତଥା ଭାରତୀୟ ଜ୍ୟୋତିର୍ବିଜ୍ଞାନ ସମ୍ପ୍ରଦାୟ ଦ୍ୱାରା ଗୃହୀତ ଭିଜନ ଡକ୍ୟୁମେଣ୍ଟ୍‌ ଉପରେ କହିଥିଲେ। ଆୟୋଜନ କମିଟି ସଂଯୋଜକ ପ୍ରଫେସର ଅନନ୍ତ ଚରଣ ପ୍ରଧାନ, ଏନ୍‌ଆଇଟି ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଜ୍ୟୋତି ପ୍ରକାଶ କର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଜ୍ୟୋତିର୍ବିଜ୍ଞାନର ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ବହୁ ପ୍ରତିଷ୍ଠିତ ତଥା ପୁରସ୍କାରପ୍ରାପ୍ତ ଜ୍ୟୋତିର୍ବିଦ ପ୍ରସଙ୍ଗରେ ଆଲୋଚନା କରିଥିଲେ।

publive-image

ଏହି ଅବସରରେ ଜ୍ୟେତିର୍ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଭାରତୀୟ ଏକ୍ସ-ରେ ଜ୍ୟୋତିର୍ବିଜ୍ଞାନର ଅନ୍ୟତମ ପ୍ରବର୍ତ୍ତକ ପ୍ରଫେସର ପ୍ରହଲ୍ଲାଦ ସି. ଅଗ୍ରୱାଲଙ୍କୁ ‘ଗୋବିନ୍ଦ ସ୍ୱରୂପ ଜୀବନବ୍ୟାପୀ ସାଧନା ପୁରସ୍କାର’, ଡ. ଅନୁପମ ଭରଦ୍ବାଜ(ଆଇୟୁସିଏଏ. ପୁନେ) ଓ ଡ. ଜେ.ପି. ନିନାନ(ଟିଆଇଏଫ୍‌ଆର୍‌, ମୁମ୍ବାଇ)ଙ୍କୁ ଯୁଗ୍ମଭାବେ ଯୁବ ବୈଜ୍ଞାନିକ ପୁରସ୍କାର, ଗ୍ୟାଲେକ୍ସି ଓ ରେଡିଓ ଆଷ୍ଟ୍ରୋନୋମି କ୍ଷେତ୍ରରେ ଅବଦାନ ପାଇଁ ଆଇଆଇଏସ୍‌ସି(ବେଙ୍ଗାଲୁରୁ) ପ୍ରଫେସର ନିରୁପମ ରାୟଙ୍କୁ ‘ଲକ୍ଷ୍ମୀନାରାୟଣ ଓ ନାଗାଲକ୍ଷ୍ମୀ ମୋଡାଲି ପୁରସ୍କାର’, ଡ. ବି.ଏସ୍‌. ଶୈଳଜାଙ୍କୁ ‘ଜୁବିନ କେମ୍ଭାବି ପୁରସ୍କାର’, ଶ୍ରେଷ୍ଠ ପିଏଚ୍‌ଡି ଥେସିସ୍‌ ପାଇଁ ଡ. ଦେବଜ୍ୟୋତି କାଂସବାନିକ ଓ ଡ. ଆଦିତ୍ୟ ବିଜୟ କୁମାରଙ୍କୁ ‘ଜଷ୍ଟିସ ଭି.ଜି.ଓକ୍‌ ପୁରସ୍କାର’, ସିପ୍ରା ହୋତାଙ୍କୁ ‘ଆଷ୍ଟ୍ରୋସାଟ୍‌ ପୁରସ୍କାର’, ସର୍ବୋତ୍କୃଷ୍ଟ ପ୍ରକାଶନ ପାଇଁ ଡ. ସିନ୍ଧୁ ସତ୍ୟଭୋଲୁଙ୍କୁ ‘ଶ୍ରେଷ୍ଠ ଯୁବ ଜ୍ୟୋତିର୍ବିଦ ପୁରସ୍କାର’ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, କାର୍ଯ୍ୟକ୍ରମରେ ଭାରତର ୧୭ଟି ରାଜ୍ୟ ତଥା ୧୭ଟି ଦେଶର ୧୧୨ଟି ଶିକ୍ଷାନୁଷ୍ଠାନରୁ ୪ ଶହରୁ ଅଧିକ ଜ୍ୟୋତିର୍ବିଦ ଅଂଶଗ୍ରହଣ କରିଛନ୍ତି। ଅନୁଷ୍ଠାନ ମଧ୍ୟରେ ୨୯ଟି ବିଦେଶୀ ପ୍ରତିଷ୍ଠାନ,୩୭ଟି ଭାରତୀୟ ଗବେଷଣା ପ୍ରତିଷ୍ଠାନ ଓ ୪୬ଟି ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ଏଏସ୍‌ଆଇ ସମ୍ପାଦକ ପ୍ରଫେସର ସରିତା ଭିଗ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଫେସର ଅଭୟ ପ୍ରତାପ ଯାଦବ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe