୩ ମାସ ମଧ୍ୟରେ ସବୁ ଓଡ଼ିଆ ପରିବାରଙ୍କ ପାଖରେ ପହଞ୍ଚିବ ‘ଆୟୁଷ୍ମାନ ଭାରତ’ କାର୍ଡ

ଓଡ଼ିଶାର ବିକାଶ ଇତିହାସରେ ଆଜି ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ରାଜ୍ୟର ୧ କୋଟି ୩ ଲକ୍ଷ ପରିବାର ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା' ଓ 'ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା' ଏବଂ 'ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା' ଲାଗୁ ହୋଇଯାଇଛି।

ଅଦ୍ୟତନ ହୋଇଛି

କଟକ: ଓଡ଼ିଶାର ବିକାଶ ଇତିହାସରେ ଆଜି ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ରାଜ୍ୟର ୧ କୋଟି ୩ ଲକ୍ଷ ପରିବାର ପାଇଁ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା' ଓ 'ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା' ଏବଂ 'ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା' ଲାଗୁ ହୋଇଯାଇଛି। ଏହି ସ୍ବାସ୍ଥ୍ୟ କାର୍ଡ ଓଡ଼ିଶା ସହିତ ରାଜ୍ୟ ବାହାରେ ଥିବା ୨୯ ହଜାର ଡାକ୍ତରଖାନାରେ କାମ କରିବ। ଏହି କାର୍ଡଗୁଡ଼ିକ ଆଗାମୀ ୩ ମାସ ମଧ୍ୟରେ ସମସ୍ତଙ୍କର ପାଖରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। 

କଟକ ବାଲିଯାତ୍ରା ତଳପଡ଼ିଆରେ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ୬ ବର୍ଷ ଆଗରୁ ଲାଗୁ ହେବାର ଥିଲା। କିନ୍ତୁ ତତ୍କାଳୀନ ସରକାର ଏହାକୁ ଲାଗୁ କରିନଥିଲେ। ରାଜ୍ୟରେ ନୂଆ ସରକାର ଆସିବାର ବର୍ଷେ ନପୁରୁଣୁ ପରେ ଏହି ଯୋଜନା ଲାଗୁ ହୋଇପାରିଛି। ଏଥି ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ମଧ୍ୟ ଆରମ୍ଭ ହୋଇଯାଇଛି। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଲୋକମାନେ ମଧ୍ୟ ଏହି ଯୋଜନାରୁ ଲାଭବାନ ହେବେ। ଏହା ପୁଣି ନିଃଶୁଳ୍କ ମାଧ୍ୟମରେ। 

ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶା, ଦିଲ୍ଲୀ ସମତେ ଦେଶର ୩ଟି ରାଜ୍ୟରେ ଲାଗୁ ହୋଇପାରି ନଥିଲା। ଏବେ ମୋଦୀ ସରକାର ଓଡ଼ିଶା ଓ ଦିଲ୍ଲୀରେ ଲାଗୁ କରିଛନ୍ତି। ଡବଲ ଇଂଜିନ ସରକାର ବିକାଶର ଗତିକୁ ବଢ଼ାଇ ପାରିଛନ୍ତି।

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ  

publive-image

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୧୦ ମାସ ମଧ୍ୟରେ ୪୦୦୦ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ  ଆହୁରି ୫୩୭୪ ଡାକ୍ତରଙ୍କୁ ନିଯୁକ୍ତି ମିଳିବ। ସ୍ବାସ୍ଥ୍ୟ ହିଁ ସଂପଦ। ଏହାକୁ ଲକ୍ଷ୍ୟରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆୟୁଷ୍ମାନ ଭାରତ ଯୋଜନା’ର ଶୁଭାରମ୍ଭ କରିଥିଲେ। ଗରିବ ଲୋକଙ୍କୁ କିଭଳି ଉପଯୁକ୍ତ ଚିକିତ୍ସା ଦିଆଯାଇପାରିବ, ତାହା ହିଁ ଲକ୍ଷ୍ୟ ରଖାଯାଇଥିଲା। 

ରାଜ୍ୟର ୨୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଦେୟମୁକ୍ତ ଚିକିତ୍ସା ପାଇପାରିବେ। ଏହି କାର୍ଡ ପରିବାରର ଜଣେ ବ୍ୟକ୍ତିଙ୍କୁ ଦିଆଯାଉନାହିଁ। ବରଂ ପରିବାରର ସମସ୍ତ ସଦସ୍ୟଙ୍କୁ ଏହି କାର୍ଡ ଦିଆଯାଉଛି। ରାଜ୍ୟରେ ଆଗାମୀ ଦିନରେ ଭଦ୍ରକ, ଜଗତସିଂହପୁର, ନବରଂଗପୁର ଓ ଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜ ହେବ। ସେହିପରି ଅନ୍ୟ ୪ଟି ଜିଲ୍ଲରେ ଡେଣ୍ଟାଲ କଲେଜ ପ୍ରତିଷ୍ଠା କରାଯିବ। ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବପୂର୍ଣ୍ଣ ମନେ କରୁଛନ୍ତି। ଏଥି ପାଇଁ ଏକ ସୁସ୍ଥ ବଜେଟ୍ ବ୍ୟବସ୍ଥା କରିଛନ୍ତି।  

ସମାରୋହରେ ମୁଖ୍ୟ ଅତିଥି  କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,  ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କଟକ ସାଂସଦ ଭତ୍ତୃହରି ମହତାବ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ, ନିଆଳି ବିଧାୟକ ଛବି ମଲ୍ଲିକ, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। 

Health | Ayushman Bharat Scheme

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe