ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବାଇବାଲି ଗ୍ରାମରେ ଘର କାନ୍ଥ ଭୁଷୁଡ଼ି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତକ ଜଣକ ସେହି ଗ୍ରାମ ତୋଟା ସାହିର ବସନ୍ତ ପ୍ରଧାନଙ୍କ ପୁଅ ରିଷି ପ୍ରଧାନ(୨)। ଗତକାଲି ରାତିରେ ପରିବାରର ସମସ୍ତେ ଖାଇବା ପରେ ଘରେ ଶୋଇଥିଲେ। ହେଲେ ଭୋର୍ ସମୟରେ ଘରର ମାଟି କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। କାନ୍ଥଟି ଝାଟିମାଟିରେ ହୋଇଥିବାରୁ ବସନ୍ତ ତାଙ୍କ ପତ୍ନୀ ଓ ତାଙ୍କ ପୁଅ ରିଷି ଏହାରି ତଳେ ରହି ଯାଇଥିଲେ। ସେମାନଙ୍କ ପାଟି ଶୁଣି ପରିବାରର ଅନ୍ୟ ସଦସ୍ୟମାନେ ସେଠାରୁ ଉଦ୍ଧାର କରିଥିଲେ।
ବସନ୍ତ ଓ ତାଙ୍କ ପତ୍ନୀ ଭାଗ୍ୟ ଖଣ୍ଡିଆ ଖାବରା ହୋଇଥିବା ବେଳେ ପୁଅଙ୍କ ଅବସ୍ଥା ଗୁରୁତର ରହିଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଇନ୍ଦ୍ରଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ରିଷିର ସ୍ବାସ୍ଥାବସ୍ଥା ଗୁରୁତର ଥିବାରୁ ଭଞ୍ଜନଗର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ ଉକ୍ତ କାନ୍ଥଟି ଦୁର୍ବଳ ହୋଇ ଭୁଶୁଡ଼ି ପଡିଥିବା ବସନ୍ତ କହିଛନ୍ତି।
Follow Us