ପୁରୀ: ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଶୁକ୍ରବାର ଶ୍ରଦ୍ଧାଳୁମାନେ ଶେଷ ଦର୍ଶନ କରିଛନ୍ତି। ଶ୍ରୀଜିଉମାନେ ଆସନ୍ତାକାଲି (ବୁଧବାର) ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଫେରିଆସିବେ। ଜନ୍ମବେଦୀରୁ ବାହାରି ଧାଡ଼ି ପହଣ୍ଡିରେ ଆସି ଶରଧାବାଲିରେ ପ୍ରସ୍ତୁତ ଥିବା ରଥ ଉପରେ ବିରାଜିବେ। ବଡ଼ଦାଣ୍ଡ ପୁଣି ଥରେ ଜନସମୁଦ୍ର ପାଲଟିବ। ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହେବ।
ଏହା ପୂର୍ବରୁ ଆଜି ଆଡ଼ପ ମଣ୍ଡପରେ ନବମୀ ଅବସରରେ ଶ୍ରୀଜିଉମାନଙ୍କୁ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି। ମୁଣ୍ଡିଆ ମାରି ମନର କଥା କହିଛନ୍ତି। ଶ୍ରଦ୍ଧାଳୁମାନେ ସନ୍ଧ୍ୟା ୬ଟା ଯାଏ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଶାନ୍ତିଶୃଙ୍ଖଳାର ସହ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ସମ୍ମୁଖରେ ବ୍ୟାରିକେଡ କରାଯାଇଥିବା ବେଳେ ନୀତିକୁ ଶୃଙ୍ଖଳିତ କରାଯାଇଥିଲା। ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।
ପୌରାଣିକ ତଥ୍ୟ ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ରାଜା ନବମୀ ତିଥିରେ ତଥା ଆଜିର ଦିନରେ ସଂଧ୍ୟା ସମୟରେ ମହାପ୍ରଭୁଙ୍କ ମୁଖମଣ୍ଡଳକୁ ଦର୍ଶନ କରିଥିଲେ।
ସୂଚନା: ଏହି ଖବରକୁ କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ସମସ୍ତ ପାଠକଙ୍କୁ ଏହି ମୁହୂର୍ତ୍ତର ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ ଜାରି ରଖିଛୁ। ଆମେ ଆପଣଙ୍କ ପାଇଁ ସଦ୍ୟତମ ଖବର ତୁରନ୍ତ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରାଥମିକ ସୂଚନା ମାଧ୍ୟମରେ ଆମେ କ୍ରମାଗତ ଭାବରେ ଏହି ଖବର ଅପଡେଟ୍ କରୁଛୁ। ସଦ୍ୟତମ ଖବର ଏବଂ ଅପଡେଟ୍ ପାଇଁ sambad.in ସହିତ ରୁହନ୍ତୁ।
rath yatra | puri | Puri Jagannath temple
- Jul 04, 2025 22:27 IST
ଶରଧାବାଲିରେ ମହାଦେବ ବେଶଧାରୀ ଶ୍ରଦ୍ଧାଳୁ
ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ ଆଜି ସନ୍ଧ୍ୟାରେ ଶେଷ ହୋଇଛି। ରାତି ପାହିଲେ ଶ୍ରୀଜିଉମାନେ ‘ବାହୁଡ଼ା ଯାତ୍ରା’ରେ ଶ୍ରୀମନ୍ଦିର ଅଭିମୁଖେ ଫେରିବେ। ରଥାରୁଢ଼ ମହାପ୍ରଭୁ ହର୍ଷୋଲ୍ଲାସରେ ଶ୍ରୀକ୍ଷେତ୍ର ପହଞ୍ଚି ଥିବା ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଏଥି ପାଇଁ ଭକ୍ତମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। ଭକ୍ତମାନେ ଆଜି ଠାରୁ ଶରଧାବାଲିରେ ଭିଡ଼ ଲଗାଇଛନ୍ତି। ରାତି ପାହିଲା ବେଳକୁ ଶରଧାବାଲି ଜନସମୁଦ୍ରରେ ପରିଣତ ହୋଇସାରିଥିବ। ପୁରୀ ବଡ଼ଦାଣ୍ଡ ପୁଣି ଲୋକାରଣ୍ୟ ହେବ।
Photo: Anuj ମହାପ୍ରଭୁଙ୍କ କରୁଣା ଅପାର। ସେ ଭାବ ବିନୋଦିଆ ଠାକୁର। ସେଥି ପାଇଁ ତାଙ୍କୁ ଜଣା ଯେ, କାହାକୁ କେମିତି ଡାକିବେ। ଶରଧାବାଲିରେ ଭକ୍ତମାନେ ନିଜନିଜ ଶୈଳୀରେ କାଳିଆ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି। ଏଠାରେ ବିଭିନ୍ନ ବେଶଧାରୀମାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ପଶ୍ଚିମବଙ୍ଗର ଅବନ୍ତୀ ନାମକ ଭକ୍ତ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପାଇଁ ପୁରୀ ଆସିଛନ୍ତି। ମହାଦେବ ବେଶଧାରୀ ଭକ୍ତଜଣକ ହାତରେ ତ୍ରିଶୂଳ ଓ ଡମ୍ବରୁ ଧରି ବୁଲୁଛନ୍ତି। ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସେ ଆସନ୍ତାକାଲି ବଡ଼ଦାଣ୍ଡରେ ଶିବ ତାଣ୍ଡବ କରିବେ। ହରଙ୍କ ବେଶରେ ହରିଙ୍କୁ ଦର୍ଶନ କରିବେ।
- Jul 04, 2025 20:57 IST
ଆଜି ରାତି ୧୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା
ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ ଥିଲା। ପ୍ରତିବର୍ଷ ଭଳି ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ସାରି ନାକଚଣା ଦ୍ୱାର ଦେଇ ବାହାରିବାର ବ୍ୟବସ୍ଥା କରାଯାଇଥିଲା।
ବ୍ୟବସ୍ଥାବଳୀ ମୁତାବକ, ଭକ୍ତମାନେ ଭୋର ୫ଟାରୁ କେବଳ ବାହାରକାଠ ନିକଟରେ ଦର୍ଶନ କରିଥିଲେ। ସନ୍ଧ୍ୟା ଦର୍ଶନ ପାଇଁ ଟିକେଟ୍ଧାରୀ ଗର୍ଭଗୃହକୁ ପ୍ରବେଶ କରିପାରିବାକୁ ବାରଣ କରାଯାଇଥିଲା। ମାତ୍ର ସେବକ ପରିବାରର ମହିଳାମାନଙ୍କୁ ଏହି ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଇଥିଲା। ଦର୍ଶନ ବନ୍ଦ ରହିଲେ ମଧ୍ୟ ଆଜି ଆଡ଼ପ ଅବଢ଼ା ରାତି ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଭକ୍ତମାନେ ନାକଚଣା ଦ୍ବାର ଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ। ଏଣେ ଶରଧାବାଲି ଉତ୍ସବମୁଖର ହୋଇଉଠିଛି। ଗୁରୁବାର ଦିନ ତିନି ରଥର ଦକ୍ଷିଣ ମୋଡ଼ ନୀତି ସରିଛି।