Bali-Jatra-Cuttack-Extended: ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ chief minister ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହାଦ୍ବାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତା କାଲି ୧୩ ତାରିଖ ଦିନ ଉଦ୍‌ଯାପିତ ହେବ।

BALI JATRA EXTENDED

BALI JATRA EXTENDED Photograph: (sambad.in)

କଟକ: ଆଉ ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା। ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହାଦ୍ବାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତା କାଲି ୧୩ ତାରିଖ ଦିନ ଉଦ୍‌ଯାପିତ ହେବ। ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀମାନଙ୍କ କାରବାରକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏହାର ଅବଧି ବୃଦ୍ଧି କରିଛନ୍ତି। ଏଣେ ଆସନ୍ତାକାଲି ପ୍ରଖ୍ୟାତ ବଲିଉଡ ଗାୟିକା ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ରହିଛି।

ଚଳିତ ବର୍ଷଠାରୁ ବାଲିଯାତ୍ରା ପାଇଁ ୧୦ କୋଟି ଟଙ୍କା : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କଟକର ଐତିହାସିକ ବାଲିଯାତ୍ରା ଆୟୋଜନ ପାଇଁ ପୂର୍ବରୁ ରାଜ୍ୟ ସରକାର ୨ କୋଟି ଟଙ୍କା ପ୍ରଦାନ କରୁଥିଲେ। କିନ୍ତୁ ଚଳିତ ବର୍ଷଠାରୁ ବାଲିଯାତ୍ରା ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରୁ ୫ କୋଟି ଟଙ୍କା ଦିଆସରିଥିବା ବେଳେ ଅବଶିଷ୍ଟ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ବାଲିଯାତ୍ରାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନନ୍ଦିକେଶରୀ ପଠାର ବିକାଶ କରାଯାଇ ସେଠାକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯିବ। ଆସନ୍ତା ବାଲିଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସରିବ। ସାବରମତୀ ଢାଞ୍ଚାରେ ମହାନଦୀ ରିଭର୍‌ ଫ୍ରଣ୍ଟ ନିର୍ମାଣ କରାଯିବ। ମହାନଦୀ ରିଭର୍‌ ଫ୍ରଣ୍ଟ ପାଇଁ ରାଜ୍ୟ ସରକାର ୨ଶହ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥି ପାଇଁ ୩୮କୋଟି ପ୍ରଦାନ କରାଯାଇଛି। କଟକ ବାଲିଯାତ୍ରାକୁ ଓଡ଼ିଶାର ଅସ୍ମିତା, ବୀରତ୍ବ, ସାହସିକତା, କଳା, ସଂସ୍କୃତି ତଥା ନୈବାଣିଜ୍ୟର ପ୍ରତୀକ ଭାବେ ବର୍ଣ୍ଣନ କରି ମୁଖ୍ୟମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ। କଟକ, ଭୁବନେଶ୍ବର, ଖୋର୍ଦ୍ଧା, ବାଙ୍କିକୁ ସଂଯୋଗ କରୁଥିବା ୧୧୧ କିଲୋମିଟର ରାସ୍ତା ୬ଲେନ୍‌ ବିଶିଷ୍ଟ ହେବ ବୋଲି ଘୋଷଣା କରିଥିଲେ।

ବାଲିଯାତ୍ରା ଓଡ଼ିଆ ଅସ୍ମିତା, ନୌବାଣିଜ୍ୟ ପରମ୍ପରାର ପ୍ରତୀକ: ମୁଖ୍ୟମନ୍ତ୍ରୀ

ଆଗାମୀ ଦିନରେ କଟକ ନୌବାଣିଜ୍ୟ ସଂଗ୍ରହାଳୟରେ ଏକ ‌ବୋଇତ ପ୍ରତିଷ୍ଠା କରାଯିବ। କଟକରେ ତାରକସି ହବ୍‌ ପାଇଁ ୧୦‌କୋଟି ଅନୁଦାନ ଦିଆଯାଇଥିବା ବେଳେ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ୯୪କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ବାଲିଯାତ୍ରା ରାଷ୍ଟ୍ରୀୟ ମାନ୍ୟତା ପାଇଥିବା ବେଳେ ୟୁନେସ୍କୋ ମାନତ୍ୟ ପାଇଁ ରାଜ୍ୟ ସରକାର ଓ ୟୁନେସ୍କୋ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ବାରବାଟୀ ଦୁର୍ଗ ଓ ଗଡ଼ଖାଇ ଉନ୍ନତୀକରଣ ପାଇଁ ଡିପିଆର୍‌ ପ୍ରସ୍ତୁତି ଚାଲିଥିବା ବେଳେ କଟକର ଶହେ ବର୍ଷ ପୁରୁଣା ବା ଶହେ ବର୍ଷ ପାଖାପାଖି ହୋଇଥିବା ୫ଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟର ମାନ୍ୟତା ଦିଆଯାଇ ଏହାର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ସ୍ମରଣିକା ଉନ୍ମୋଚନ କରିବା ସହ ବିଭିନ୍ନ ବ୍ୟକ୍ତିବି‌‌ଶେଷଙ୍କୁ ସମ୍ମାନିତ କରିଥିଲେ। 

ଆହୁରି ପଢ଼ନ୍ତୁ: Bihar Exit Poll: ବିହାରରେ ପୁଣି ଏନଡିଏ ସରକାର! ସାମ୍ନାକୁ ଆସିଲା ବୁଥ ବାହୁଡା ମତ

ବାଲିଯାତ୍ରାରେ ବେପାର ଜମୁଛି

ବାଲିଯାତ୍ରାରେ ଗତ ୫ ଦିନ ଭିତରେ ଓରମାସ୍‌ ପକ୍ଷରୁ ଚାଲିଥିବା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ୨୩ କୋଟି ୧୨ଲକ୍ଷ ୬୬ହଜାର ଟଙ୍କାର ବ୍ୟବସାୟ କରିଛି। ପ୍ରଥମ ଦିନ ବେପାର ମାନ୍ଦା ଥିଲା ବେଳେ ୮୯ଲକ୍ଷ  ୩୬ହଜାର ଟଙ୍କାର ବ୍ୟବସାୟ ହୋଇଥିଲା। ତେବେ ଏହାପରଠୁ ପ୍ରତ୍ୟେକ ଦିନ ବ୍ୟବସାୟ ବୃଦ୍ଧି ହୋଇଛି। ଗୁରୁବାର ୨କୋଟି ୧୩ଲକ୍ଷ ଟଙ୍କା, ଶୁକ୍ରବାର ୩କୋଟି ୯୧ଲକ୍ଷ ୮୭ହଜାର ଟଙ୍କାର ବେପାର ହୋଇଥିଲା। ଶନିବାର ଓ ରବିବାର ଲୋକଙ୍କ ସଂଖ୍ୟା ଢେର ବୃଦ୍ଧି ପାଇଥିଲା। କେବଳ ଏହି ଦୁଇ ଦିନରେ ପାଖାପାଖି ୧୬ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଶନିବାର ୬କୋଟି ୮୩ଲକ୍ଷ ୪୭ହଜାର ଏବଂ ରବିବାର ୯କୋଟି ୩୪ଲକ୍ଷ ୯୬ହଜାର ଟଙ୍କାର ବ୍ୟବସାୟ ହୋଇଛି। ଓରମାସ୍‌ରେ ଏଥର ପାଖାପାଖି ୫୦୦ ଷ୍ଟଲ୍‌ ପଡ଼ିଥିଲା ବେଳେ ୨୫ଟି ଫୁଡ୍‌କୋର୍ଟ ରହିଛି। ଫୁଡ୍‌କୋର୍ଟରେ ପ୍ରଥମ ଦୁଇ ଦିନ ବେପାର ମାନ୍ଦା ଥିଲା ବେଳେ ସପ୍ତାହନ୍ତରେ କିନ୍ତୁ ପ୍ରବଳ ଜନସମାଗମ ହୋଇଥିଲା।

ଆହୁରି ପଢ଼ନ୍ତୁ:  Police-SI-Scam Bail: ପୁଲିସ ଏସ୍‌ଆଇ କେଳେଙ୍କାରୀ: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ୬ଜଣଙ୍କ ଜାମିନ ଆବେଦନ 

ସେହିପରି ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ ହାତତିଆରି ସାମଗ୍ରୀ ସହିତ ଆଚାର, ଶାଢ଼ି, ଝୋଟ ସାମଗ୍ରୀ, କନ୍ଧମାଳ, କୋରାପୁଟ ଆଦି ସ୍ଥାନର ମାଣ୍ଡିଆ ଜାତୀୟ ସାମଗ୍ରୀ, ଚାଉଳ, ହଳଦି, ଘରକରଣା ସାମଗ୍ରୀ ଇତ୍ୟାଦି ଅଧିକ ମାତ୍ରାରେ ବିକ୍ରି ହୋଇଛି। ପୁଣି ୨୫ ରାଜ୍ୟରୁ ହସ୍ତତନ୍ତ ସାମଗ୍ରୀ ଅଣାଯାଇଥିବା ବେଳେ ସେଗୁଡ଼ିକ ମଧ୍ୟ ବେଶ୍‌ ଆଦୃତ ପାଇଛି। ଏ ସଂକ୍ରାନ୍ତରେ ଓରମାସ୍‌ର ଯୁଗ୍ମ ସିଇଓ ବିପିନ ରାଉତ କହିଛନ୍ତି, ଘରେ ନିତ୍ୟ ବ୍ୟବହାର କରିବା କିମ୍ବା ସୋ’କେସ୍‌ରେ ସଜାଇବା ଭଳି ସାମଗ୍ରୀ ଆସିଥିବାରୁ ସେଗୁଡ଼ିକୁ କିଣିବାକୁ ଲୋକମାନେ ପସନ୍ଦ କରୁଛନ୍ତି। ଏଥିସହିତ ମା’ମାନଙ୍କ ଆୟ ବୃଦ୍ଧି ହୋଇଥିଲା ବେଳେ ଏବେ ସେମାନଙ୍କୁ ଡିଜିଟାଲ୍‌ କ୍ଷେତ୍ରରେ ସାକ୍ଷର କରାଯାଇଛି। ତେଣୁ ସେମାନେ ନିଜ ସାମଗ୍ରୀକୁ ମେଳାରେ ବିକ୍ରି କରିବା ସହିତ ଆଗକୁ ସୋସିଆଲ୍‌ ମିଡିଆ କିମ୍ବା ୱେବ୍‌ସାଇଟ୍‌ ମାଧ୍ୟମରେ ମଧ୍ୟ ବିକ୍ରି କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe