ସାବଧାନ: ଜେଲ୍ ସମ୍ମୁଖରେ ବଡ ଗର୍ତ୍ତ, ଅଘୋଷିତ ବ୍ଲାକ୍‌ ସ୍ପଟ୍

କୋରାପୁଟ ଜିଲ୍ଲା ବୋରିଗୁମ୍ମା–ନବରଙ୍ଗପୁର ୨୬ ନମ୍ବର ଜାତୀୟ ରାଜପଥର ଚାମୁରିଆଗୁଡ଼ା ଜେଲ୍‌ ସମ୍ମୁଖ ରାସ୍ତାରେ ହୋଇଛି ବଡ଼ ଗର୍ତ୍ତ। ଏଠାରେ ପ୍ରତ୍ୟେକ ଦିନ ହେଉଛି ଦୁର୍ଘଟଣା।

Hole in NH

Hole in NH Photograph: (sambad.in )

ନବରଙ୍ଗପୁର: ସାବଧାନ। ବୋରିଗୁମ୍ମା–ନବରଙ୍ଗପୁର ୨୬ ନମ୍ବର ଜାତୀୟ ରାଜପଥର ଚାମୁରିଆଗୁଡ଼ା ଜେଲ୍‌ ସମ୍ମୁଖ ରାସ୍ତାରେ ହୋଇଛି ବଡ଼ ଗର୍ତ୍ତ। ଏଠାରେ ପ୍ରତ୍ୟେକ ଦିନ ହେଉଛି ଦୁର୍ଘଟଣା। ଗତ ସାଢ଼େ ୩ବର୍ଷ ତଳେ ବୋରିଗୁମ୍ମା-ନବରଙ୍ଗପୁର ୨୬ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାମ ୫୨କୋଟିରେ କରାଯାଇଥିଲା। ରାସ୍ତା ପ୍ରଶସ୍ତିକରଣ କାମ ସରିବାର ଅଳ୍ପ କିଛି ଦିନ ପରେ ଅଚାନକ ଭାବେ  ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାସ୍ତାକୁ ଖୋଳି ଏନଏଚ୍ ରାସ୍ତା ତଳେ ଥିବା ପାଇପ୍ ଲାଇନରେ ଦେଖାଦେଇଥିବା ସମସ୍ୟାକୁ ସଜାଡ଼ିଥିଲେ।

ଜନସ୍ବାସ୍ଥ୍ୟ ବିଭାଗ ଖୋଳିଥିବା ଗାତକୁ ସାମୟିକ ଭାବେ ସିମେଣ୍ଟ କଂକ୍ରିଟ ଅଳ୍ପ ପକାଇଥିଲେ। ରାସ୍ତାର ଉଚ୍ଚତା ଅନୁଯାୟୀ ସଜାଡ଼ି ସମତଳ କରିନଥିଲେ। ଗର୍ତ୍ତ ନିକଟକୁ ଆସିବା ପରେ ଗାଡ଼ି ଗୁଡିକ ଏହି ଗର୍ତ୍ତରୁ  ଦୁରେଇ ଯିବା ପାଇଁ ଅପରପାର୍ଶ୍ବକୁ ମୋଢ଼ୁଛନ୍ତି। ସେ ସମୟରେ କିଛି ବାଇକ କିମ୍ବା ଗାଡ଼ି ଆସିଗଲେ ଛୋଟ ବଡ ଦୁର୍ଘଟଣା ହେଉଛି। ଗତ କାଲି ସଂଧ୍ୟାରେ ବାଇକ୍ ଓ କାର ମୁହାଁମୁହିଁ ହେବା ପରେ ବାଇକ୍ ଚାଳକ ଜଣକ ଦୁରକୁ ଛିଟକି  ପଡିଥିଲେ। ତାଙ୍କ ବାଇକ ପଛରେ ବସିଥିବା ତାଙ୍କ ପତ୍ନୀ ଛିଟକି ପଡିଥିଲେ। ଉଭୟ ଗୁରୁତର ଆହତ ହୋଇଥିବା ବେଳେ ବାଇକଟି ଗୁଣ୍ଡ ହୋଇଯାଇଥିଲା।

ଏହି ରାସ୍ତାଟି ୨ଜିଲ୍ଲାର ଲାଇଫ୍‌ଲାଇନ୍ ଭାବେ ପରିଚିତ। ସେଭଳି ଏହି ରାସ୍ତା ଉପରେ ୨ଜିଲ୍ଲା ନବରଙ୍ଗପୁର,କୋରାପୁଟ ସହ କଳାହାଣ୍ଡି, ଛତିଶଗଡ ବାସିନ୍ଦାଙ୍କ ସହ ପଶ୍ଚିମ ଓଡିଶାର ଲୋକେ ବି ନିର୍ଭର। ରାସ୍ତାରେ ଶହ ଶହ ଗାଡ଼ି ଯିବା ଆସିବା କରୁଥିବାରୁ ଏବଂ ଠିକରେ ଏହି ଗର୍ତ୍ତ ସଜାଡି ନଥିବାରୁ ତାହା ଦବି ଯାଇ‌ ସେଠାରେ ଅସମତଳ ହୋଇ  ପାଣି ରହି ଛୋଟ ବଡ ଗର୍ତ୍ତ ହୋଇଛି। ନିୟମିତ ଦୁର୍ଘଟଣା ହୋଇ ଆଘୋଷିତ  ବ୍ଲାକ ସ୍ପଟ ହୋଇଛି। ଚାଉଁରିଆଗୁଡା ଅଂଚଳର ବହୁ ବୁଦ୍ଧିଜୀବୀ ଜୟପୁର ଏନଏଚ୍ ନିର୍ବାହୀ ଯନ୍ତ୍ରୀ , ବୋରିଗୁମ୍ମା ଏନଏଚ୍ ଏସଡିଓ, କନିଷ୍ଠଯନ୍ତ୍ରୀଙ୍କୁ ଏ ନେଇ ଅଭିଯୋଗ କରିଥିଲେ। ଏନଏଚ୍  ପକ୍ଷରୁ ଅଭିଯୋଗକୁ ଖାମଖିଆଲି କରି ଛାଡ଼ି ଦେଇଥିବା ଚାମୁରିଆଗୁଡାବାସୀ ଅଭିଯୋଗ କରିଛନ୍ତି। ଏନଏଚ ପକ୍ଷରୁ ତୁରନ୍ତ ପଦକ୍ଷେପ ‌ନ ନେଲେ ଏନଏଚ ବିରୋଧରେ ପୁଲିସରେ ଅଂଚଳବାସୀ ଏତଲା ଦେବେ ବୋଲି କହିଛନ୍ତି।  

ତୁରନ୍ତ କଲଭର୍ଟ କାମ କରିବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି। କଲଭର୍ଟର ଅବସ୍ଥା ସଂପର୍କରେ ଜାଣିଛନ୍ତି ବୋଲି କହିଛନ୍ତି ଏନଏଚ ସହକାରୀ ଯନ୍ତ୍ରୀ ବିନୋଦ କୁମାର ବଗର୍ତ୍ତୀ।ଏହାରି ମଧ୍ୟରେ ବୋରିଗୁମ୍ମା-ନବରଙ୍ଗପୁର ମାଝୀଗୁଡା ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ନବୀକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ଠିକାଦାର କେବଳ ଚୁକ୍ତି ନାମା କରିବାର ବାକି ରହିଛି ବୋଲି କହିଛନ୍ତି ସହକାରୀ ଯନ୍ତ୍ରୀ। ଯେହେତୁ ଏହାର ଦୀର୍ଘ ମିଆଦି କାମ କରାଯିବାର ରହିଛି ତେଣୁ କାମଚଳା ଭାବେ ୨ଟି ହ୍ୟୁମ ପାଇପ୍ ଦେଇ ସଂପ୍ରତି କଲଭର୍ଟ ତିଆରି କରାଯିବ ବୋଲି କହିଛନ୍ତି ସହକାରୀ ଯନ୍ତ୍ରୀ। 

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe