ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆଠାରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ। ପୁର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ କରଞ୍ଜିଆ ଏସଡିପିଓଙ୍କୁ ଭେଟି ଗଣଦୁଷ୍କର୍ମ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଏହି ଦାବି କରିଛନ୍ତି।
ପୀଡ଼ିତାଙ୍କ ବୟାନ ଅନୁଯାୟୀ, ତାଙ୍କୁ ବାଇକ୍ରେ ୨ ଜଣ ବ୍ୟକ୍ତି ପ୍ରତାରଣାମୂଳକ ଭାବେ ଲିଫ୍ଟ ଦେଇ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ଆସାମୀମାନଙ୍କ ସହଯୋଗୀମାନେ ପୂର୍ବ ଯୋଜନା ଅନୁସାରେ ଉପସ୍ଥିତ ଥିଲେ। ସେହି ଅଞ୍ଚଳର ଏକ ଢାବାରେ ୩ ଜଣ ଅଭିଯୁକ୍ତ ମିଶି ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ।
ବିଜେଡି ପ୍ରତିନିଧି ମଣ୍ଡଳୀ ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଆସାମୀଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ପୀଡ଼ିତା କିଭଳି ନ୍ୟାୟ ପାଇବେ, ସେ ବିଷୟରେ ଏସଡିପିଓଙ୍କ ସହିତ ବିଜେଡି ପ୍ରତିନିଧି ମଣ୍ଡଳୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ତାର ଲଢ଼େଇ ଜାରି ରଖିବ ବୋଲି ଶ୍ରୀମତୀ ହେମ୍ବ୍ରମ କହିଛନ୍ତି।
ଏହି ପ୍ରତିନିଧି ମଣ୍ଡଳୀରେ ତନୁଜା ମହନ୍ତ, ଚକ୍ରଧର ହେମ୍ବ୍ରମ, ରାଇସେନ୍ ମୁର୍ମୁ, କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ଆନିସ ମାନ୍ନା, ପପି ପୃଷ୍ଟି, ସୁଭଦ୍ରା ମାରାଣ୍ଡି, ନମିତା ଘଣ୍ଟିଆଳି ପ୍ରମୁଖ ସାମିଲ ଥିଲେ।
Mayurbhanj | Crime
Follow Us