BJD leader Amar Patnaik joins BJP Photograph: (sambad.in)
ଭୁବନେଶ୍ବର: ବିଜେଡିକୁ ଶକ୍ତ ଧକ୍କା। ପଦ୍ମ ଧରିଲେ ଅମର ପଟ୍ଟନାୟକ। ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ ଓ ଦଳର ମୁଖପାତ୍ର ଅମର ପଟ୍ଟନାୟକ ଆଜି ବିଜେପିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂ ତୋମର ପ୍ରମୁଖଙ୍କ ଉପସ୍ଥିତିରେ ଅମର ପଟ୍ଟନାୟକ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂ ତୋମର ଅମର ପଟ୍ଟନାୟକଙ୍କୁ ଦଳର ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି। ଦଳର ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବରିଷ୍ଠ ନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।
ଅଡ଼ୁଆରେ ବିଜେଡି
ବିଜେପିର କାର୍ଯ୍ୟଶୈଳୀ ଓ ଓଡ଼ିଶାରେ ବିକାଶ ଧାରାରେ ଦଳର ଭୂମିକା ନେଇ ଉତ୍ସାହିତ ହୋଇ ସେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ଅମର ପଟ୍ଟନାୟକ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋତେ ଯେଉଁ କାର୍ଯ୍ୟରେ ନିୟୋଜିତ କରାଇବେ ମୁଁ ସେହି ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବି କହିଛନ୍ତି ଅମର ପଟ୍ଟନାୟକ। ନୂଆପଡ଼ାରେ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାରରେ ଯୋଗ ଦେଉଥିବା ବେଳେ ଅମର ପଟ୍ଟନାୟକ ବିଜେପିରେ ସାମିଲ ହେବା ଘଟଣା ବିଜେଡିକୁ ଅଡ଼ୁଆରେ ପକାଇଛି।
୨୦୧୮ରେ ବିଜେଡିରେ ସାମିଲ ହୋଇଥିଲେ ଅମର ପଟ୍ଟନାୟକ
ସୂଚନାଯୋଗ୍ୟ, ପୂର୍ବତନ ଆକାଉଣ୍ଟାଣ୍ଟ୍ ଜେନେରାଲ୍ ଅମର ପଟ୍ଟନାୟକ ୨୦୧୮ ଅଗଷ୍ଟ ୨୯ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ଆଭିମୁଖ୍ୟ, ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଲୋକମାନଙ୍କୁ ଠିକ୍ ଓ ତ୍ବରିତ ସୂଚନା ପ୍ରଦାନ କରିବା ପାଇଁ ବିଜେଡି ଆଇଟି ସେଲ୍ ଗଠନ ହୋଇଥିଲା। ଏହାର ଅଧ୍ୟକ୍ଷ ଭାବେ ଦଳର ମୁଖପାତ୍ର ଅମର ପଟ୍ଟନାୟକଙ୍କୁ ବିଜେଡି ସଭାପତି ତଥା ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିଲେ। ସେହିପରି ଏହି ସେଲ୍ର ସଦସ୍ୟ ଭାବେ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ମୁଖପାତ୍ର ସସ୍ମିତ ପାତ୍ର, ସୁଲୋଚନା ଦାସ, ମହିଳା ବିଜେଡି କାର୍ଯ୍ୟକାରୀ ସଭାପତି ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର ଏବଂ ପ୍ରସନଜିତ୍ ପତିଙ୍କୁ ଶ୍ରୀ ପଟ୍ଟନାୟକ ମନୋନୀତ କରିଥିଲେ।
୨୦୧୯ରେ ବିଜୁ ଜନତା ଦଳ ପକ୍ଷରୁ ଦଳର ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ସେଲ୍ର ମୁଖ୍ୟ ତଥା ପୂର୍ବତନ ଆକାଉଣ୍ଟାଣ୍ଟ୍ ଜେନେରାଲ୍ ଅମର ପଟ୍ଟନାୟକ ଏବଂ ମୁଖପାତ୍ର ସସ୍ମିତ ପାତ୍ରଙ୍କ ନାମ ଦଳର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ୨୦୧୯ରେ ରାଜ୍ୟସଭାକୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ।
ଆହୁରି ପଢ଼ନ୍ତୁ: ICC Women's World Cup: ଭାରତୀୟ ଟିମ୍ ଭଲ ଖେଳିବା ସହିତ ଉପଯୁକ୍ତ ଫଳାଫଳ ପାଇଛନ୍ତି: ରାଷ୍ଟ୍ରପତି
ରାଜ୍ୟସଭାରେ ପ୍ରଥମ ଭାଷଣ ରଖି ବିଜେଡି ସାଂସଦ ଅମର ପଟ୍ଟନାୟକ ପୁରୀରେ ଆୟୁଷ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ରାଜ୍ୟସଭାରେ ଆୟୁଷ ମନ୍ତ୍ରାଳୟର କାର୍ଯ୍ୟକାରିତା ସମ୍ପର୍କିତ ଆଲୋଚନାରେ ଭାଗ ନେଇଥିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ। ସେ ତାଙ୍କ ଭାଷଣରେ ଆୟୁଷ ଚିକିତ୍ସା ପ୍ରଣାଳୀ ଓ ପଦ୍ଧତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ପୁରୀରେ ସ୍ନାନପୂର୍ଣ୍ଣିମାଠାରୁ ୧୫ ଦିନ ପର୍ଯ୍ୟନ୍ତ ତିନି ବିଗ୍ରହ ଜ୍ବରରେ ପଡ଼ି ପ୍ରାଚୀନ ପଦ୍ଧତିରେ ଚିକିତ୍ସିତ ହେବା ପରମ୍ପରା ସମ୍ପର୍କରେ ଆଲୋକପାତ କରି ସେ ପୁରୀରେ ଆୟୁଷ ବିଶ୍ବବିଦ୍ୟାଳୟ ସ୍ଥାପନ ନେଇ ଦାବି କରିଥିଲେ ଯେଉଁଥିରେ କି ସମସ୍ତ ଆୟୁର୍ବେଦ ସମ୍ପର୍କିତ ଅଧ୍ୟୟନ ହୋଇପାରିବ। ଭାରତବର୍ଷରେ ଏଭଳି ବିଶ୍ବବିଦ୍ୟାଳୟ କେଉଁଠାରେ ପ୍ରତିଷ୍ଠା କରାଯାଇ ପାରି ନାହିଁ ବୋଲି ସେ କହିଥିଲେ। ଚଳିତ ବଜେଟ୍ରେ ଆୟୁଷ ପାଇଁ ୧୫ ପ୍ରତିଶତ ଆବଣ୍ଟନ ବୃଦ୍ଧି ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଥିଲେ। ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଅମର ପଟ୍ଟନାୟଙ୍କ ରାଜ୍ୟସଭାର ପ୍ରଥମ ବିତର୍କକୁ ପ୍ରଶଂସା କରିଥିଲେ।
ଆହୁରି ପଢ଼ନ୍ତୁ: Attack On Bull: ମରିଗଲା ମାନବିକତା: ବ୍ରେଡ୍ ଖାଇଲା ବୁଲା ଷଣ୍ଢ, ଛୁରୀ ଭୁସିଲା ଦୋକାନୀ
Follow Us