ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ସମସ୍ତଙ୍କୁ ପ୍ରଭାବିତ କରୁଛି: ନବୀନ

ରାଜ୍ୟ ସରକାରଙ୍କ ଦ୍ବାରା ଆଜି ବିଧାନସଭାରେ ଉପସ୍ଥାପିତ ବଜେଟ୍‌କୁ ନେଇ ବିରୋଧୀ ଦଳ ପ୍ରତିକ୍ରିୟା ଦେଇଛି। ବିଜେଡି ସୁପ୍ରିମୋ ଏନେଇ କହିଛନ୍ତି ଡବଲ ଇଞ୍ଜିନ ସରକାର ବିପରୀତ ଦିଗରେ ଗତି କରୁଛି।

Mohan Charan Majhi and Naveen Pattnaik

Mohan Charan Majhi and Naveen Pattnaik Photograph: (sambad.in)

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ଆଜି ବିଧାନସଭାରେ ଉପସ୍ଥାପିତ ବଜେଟ୍‌କୁ ନେଇ ବିରୋଧୀ ଦଳ ପ୍ରତିକ୍ରିୟା ଦେଇଛି। ବିଜେଡି ସୁପ୍ରିମୋ ଏନେଇ କହିଛନ୍ତି ଡବଲ ଇଞ୍ଜିନ ସରକାର ବିପରୀତ ଦିଗରେ ଗତି କରୁଛି। ସେ କହିଛନ୍ତି, ରାଜ୍ୟର ବିଜେପି ସରକାର ଗତ ବଜେଟ୍‌ରେ ଆସିଥିବା ଅନୁଦାନରୁ ଅନେକ ଏ ଯାଏଁ ଖର୍ଚ୍ଚ କରିପାରି ନାହିଁ। ଶିଳ୍ପ ବିକାଶ ସହ ଅର୍ଥନୀତି ଖସୁଛି। ରାଜ୍ୟ ସରକାର ଏବେ ବିକାଶର ବିପରୀତ ଦିଗରେ ଗତି କରୁଛି। ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ସମସ୍ତଙ୍କୁ ପ୍ରଭାବିତ କରୁଛି, ଚାଷୀ ହଇରାଣ, ମିସନ ଶକ୍ତିରେ ମହିଳା କାମ ପାଉ ନାହାନ୍ତି। 

ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆର୍ଥିକ ବର୍ଷ ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ୧୬ଟି ନୂଆ ଯୋଜନା ସାମିଲ ରହିଛି। 

ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ରାଜ୍ୟ ସରକାର ଏବେ ବଜେଟରେ ଏତେ ଟଙ୍କା ଘୋଷଣା କରିବା ବଡ଼ କଥା ନୁହେଁ। ଏହା କାର୍ଯ୍ୟକାରୀ କରିବା ଦରକାର। ଯାହା ରାଜ୍ୟର ବିକାଶରେ କାମ ଆସିବ। ଏହି ବଜେଟ ଖର୍ଚ୍ଚ ହେବା ଦରକାର। ଆମେ ଏହା ଉପରେ ନଜର ରଖିବୁ। 

ସୂଚନାଯୋଗ୍ୟ, ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ବଜେଟ୍‌ରେ ଶିକ୍ଷା,ସ୍ବାସ୍ଥ୍ୟ, ଗମନାଗମନ, ପରିବହନ, ବାଣିଜ୍ୟ, କୃଷି, ମହିଳା, ଶିଶୁ ବିକାଶ, ସାମାଜିକ ସୁରକ୍ଷା, କ୍ରୀଡ଼ା, ଭିତ୍ତିଭୂମି, ପର୍ଯ୍ୟଟନ, ଶିଳ୍ପ, ନିଯୁକ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି। ପୂର୍ବରୁ ପରିଚାଳିତ ଯୋଜନାକୁ ବଳ ଯୋଗାଇଥିବା ‌ବେଳେ ୧୬ଟି ନୂଆ ଯୋଜନା ଆରମ୍ଭ କରିଛନ୍ତି। ବଜେଟର ପ୍ରଥମ ଭାଗରେ ସେ କୃଷି ବଜେଟ୍ ସଂପର୍କରେ ଘୋଷଣା କରିଥିଲେ। କୃଷି କ୍ଷେତ୍ର ପାଇଁ ୨୦୨୫-୨୬ ବଜେଟରେ ମୋଟ ୩୭,୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ଗ୍ରାମାଞ୍ଚଳରେ ରହନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷି ଉପରେ ନିର୍ଭରଶୀଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe