ଭୁବନେଶ୍ବର: ହାତରୁ କ୍ଷମତା ଖସିଯିବାର ୪ମାସ ଭିତରେ ବିଜୁ ଜନତା ଦଳ(ବିଜେଡି)ରୁ ଦଳୀୟ ନେତାମାନେ ମୁହଁ ଫେରାଇବାରେ ଲାଗିଛନ୍ତି। ପଞ୍ଚାୟତସ୍ତରରୁ ସାଂସଦ ପର୍ଯ୍ୟନ୍ତ ନେତାମାନେ ବିଜେଡି ଛାଡୁଛନ୍ତି। ଗତ ଜୁଲାଇ ଠାରୁ ଏପର୍ଯ୍ୟନ୍ତ (୨୦୨୪ ଅକ୍ଟୋବର ୧୦) ବହୁ ନେତା ବିଜେଡି ଛାଡ଼ିଛନ୍ତି। ବିଜେଡି ଛାଡ଼ିଥିବା ଅଧିକାଂଶ ନେତା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଉଛନ୍ତି। ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଗତକାଲି ବିଜେଡି ଛାଡ଼ିଛନ୍ତି। ଶ୍ରୀ ବେହେରା ଦଳ ଛାଡ଼ିବା ନେଇ ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି।
ଶ୍ରୀ ରାଉତରାୟ କହିଛନ୍ତି, ପ୍ରକାଶ ବେହେରାଙ୍କୁ ବିଜେଡିରେ ସାମିଲ କରିବା ନେଇ ଆମର କିଛିଟା ଭୁଲ୍ ନିଷ୍ପତ୍ତି ଥିଲା। ପ୍ରକାଶ ବେହେରା କେବେ ବିଜେଡିରେ ନଥିଲେ। ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ତାଙ୍କୁ ସମ୍ମାନଜନକ ବାରବାଟୀ-କଟକ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା।
ତେବେ ସେତେବେଳେ ଆମର କିଛିଟା ଭୁଲ୍ ନିଷ୍ପତ୍ତି ଥିଲା। ସେତେବେଳର ପରିସ୍ଥିତି ଦେଖି ଶୀର୍ଷ ନେତୃତ୍ବ ସେଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି। କିନ୍ତୁ ସେ ନିଷ୍ପତ୍ତି ଲୋକଙ୍କ ଆଖିକୁ, ଆମ ଆଖିକୁ ଠିକ୍ ଲାଗୁନଥିଲା। ଏବେ ଆମଦାନୀ ନେତା ଧୀରେଧୀରେ ସେମାନଙ୍କ ରଙ୍ଗ ଦେଖାଉଛନ୍ତି। ପରିସ୍ଥିତିରେ ପଡ଼ି ବିଜେଡି ଆସିଥିବା ନେତାମାନେ ସ୍ବାର୍ଥ ପାଇଁ ଦଳ ଛାଡୁଛନ୍ତି। କାରଣ ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି ବୋଲି ସମ୍ବିତ ମତ ଦେଇଛନ୍ତି।
ଗଣମାଧ୍ୟମରେ ସମ୍ବିତ ରାଉତରାୟଙ୍କ ପ୍ରତିକ୍ରିୟା ଆସିବା ପରେ ପ୍ରକାଶ ବେହେରା ମଧ୍ୟ ମୁହଁ ଖୋଲିଛନ୍ତି। ଶ୍ରୀ ବେହେରା କହିଛନ୍ତି, ସମ୍ବିତ ବାବୁ ତାଙ୍କ ଦଳର କଥା ବୁଝନ୍ତୁ। ତାଙ୍କ ନିର୍ବାଚନ ମଣ୍ଡଳୀରରେ କ’ଣ ହେଉଛି ତାହା ଦେଖନ୍ତୁ।
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ-୨୦୨୪ରେ କଟକ-ବାରବାଟୀ ଆସନରୁ ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା ଗୁରୁବାର ଦଳ ଛାଡ଼ିଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ପ୍ରକାଶ ବେହେରା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଇସ୍ତଫା ପତ୍ରରେ କହିଛନ୍ତି, ବହୁ ଚିନ୍ତନ ପରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଅଛି। ଆପଣ ମୋତେ ବାରବାଟୀ-କଟକ ଭଳି ସମ୍ମାନଜନକ ଆସନରୁ ପ୍ରାର୍ଥୀ କରିଥିବାରୁ କୃତଜ୍ଞତା ଜଣାଉଛି ଓ ଆପଣଙ୍କ ନେତୃତବକୁ ସମ୍ମାନ ଜଣାଉଛି। ଯେହେତୁ ମୁଁ ଜଣେ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ବାସ ରଖୁଥିବା ଓ ଜନସାଧାରଣଙ୍କ ସମସ୍ୟା, ବିକାଶ ଓ ସଂଗଠନ ସହ ଯୋଡ଼ିହୋଇ ରହୁଥିବା ବ୍ୟକ୍ତିତ୍ବ। ତେଣୁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ମନେ କଲି। ବାରବାଟୀ-କଟକ ଜନତା ଅତି ସ୍ବଳ୍ପ ସମୟ ମଧ୍ୟରେ ଯେଉଁଭଳି ଭାବେ ମୋତେ ସମର୍ଥନ ଦେଇଛନ୍ତି, ସେଥିପାଇଁ କୃତଜ୍ଞ। କଟକର ଜନସାଧାରଣ ଓ କର୍ମକର୍ତ୍ତାମାନେ କଟକର ସମସ୍ୟା ବାବଦରେ ମୋର ଆବଶ୍ୟକତା ଯେତେବେଳେ ଅନୁଭବ କରିବେ, ମୁଁ ମୋର କର୍ତ୍ତବ୍ୟ ପ୍ରତିପାଦନ କରିବାରେ ଅବହେଳା କରିବି ନାହିଁ। ଟାଙ୍ଗୀ, ସାଲେପୁରର ଗୁରୁଜନ, ଭାଇ-ଭଉଣୀ ମୋର ସଂଘର୍ଷ ସହ ଦୀର୍ଘ ୨୫ ବର୍ଷ ହେବ ଯୋଡ଼ି ହୋଇ ରହିଛନ୍ତି ଓ ମୁଁ ସର୍ବଦା ସେମାନଙ୍କର ଆଶୀର୍ବାଦ ଓ ସହଯୋଗ ପାଇ ଆସିଛି। ସେମାନଙ୍କ ସହ ସର୍ବଦା ମୁଁ ଯୋଡ଼ି ହୋଇ ରହିଛି ଓ ସେମାନଙ୍କ ପ୍ରତି ମୋର କର୍ତ୍ତବ୍ୟରେ କେବେବି ଅବହେଳା କରିନାହିଁ। ସାରାଜୀବନ ସେମାନଙ୍କ ଋଣ ସୁଝିବାକୁ ଚେଷ୍ଟା କରିବି।
ଏହି ପାଠ ପଢ଼ନ୍ତୁ: ବିଜେଡି ଛାଡୁଛନ୍ତି ନେତା