ଆଇନଶୃଙ୍ଖଳା ସ୍ଥିତି ନେଇ ସରକାରଙ୍କୁ ଅରୁଣ ସାହୁଙ୍କ ଟାର୍ଗେଟ, ଉତ୍ତର ରଖିଲେ ଆଇନ୍‌ମନ୍ତ୍ରୀ

ରାଜନୀତି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ବିଜେପି ସରକାରକୁ ନୟାଗଡ଼ ବିଧାୟକ ଅରୁଣ ସାହୁ ଟାର୍ଗେଟ କରିଥିବା ବେଳେ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହାର ଜବାବ ଦେଇଛନ୍ତି।

Arun Sahu and Prithivraj Harichandan

Arun Sahu and Prithivraj Harichandan Photograph: (sambad.in)

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ବିଜେପି ସରକାରକୁ ନୟାଗଡ଼ ବିଧାୟକ ଅରୁଣ ସାହୁ ଟାର୍ଗେଟ କରିଥିବା ବେଳେ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହାର ଜବାବ ଦେଇଛନ୍ତି। ବିଜେଡିର ଅଭିଯୋଗ ଉପରେ କଡ଼ା କାଉଣ୍ଟର ରଖି  ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଅତୀତରେ ବି ଅପରାଧ ହେଉଥିଲା। କିନ୍ତୁ ବିଜେଡି ହାତରୁ କ୍ଷମତା ଚାଲିଗଲା ପରେ ମଧ୍ୟ ଶାସନ କରିବାର ନିଶା ଛାଡ଼ିନାହିଁ। ପୂର୍ବ ସରକାରର ନେତାମାନେ ଆଇନ ତା ବାଟରେ ଯିବ ବୋଲି କହୁଥିଲେ। ସେତେବେଳେ ସେମାନଙ୍କର ଭୂମିକା କ’ଣ ଥିଲା ବୋଲି ଆଇନ୍‌ମନ୍ତ୍ରୀ ଓଲଟା ପ୍ରଶ୍ନ କରିଛନ୍ତି? 

ଶ୍ରୀ ହରିଚନ୍ଦନ କହିଛନ୍ତି, ବିଗତ ୧୦ ମାସରେ ଯେତିକି ଅପରାଧ ହୋଇଛି ସେଗୁଡ଼ିକ ୭୨ ଘଣ୍ଟା ମଧ୍ୟରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ ସହ ଆବଶ୍ୟକ ପଡ଼ିଲେ ଏନ୍‌କାଉଣ୍ଟର ମଧ୍ୟ କରାଯାଇଛି। କୌଣସି ଅପରାଧୀଙ୍କୁ ୧ ପ୍ରତିଶତ ବି ସୁରକ୍ଷା ଦିଆଯାଉ ନାହିଁ। ତେଣୁ ବିରୋଧୀ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ। କୌଣସି ଅପରାଧୀଙ୍କୁ ୧ ପ୍ରତିଶତ ବି ସରକାର ରାଜନୈତିକ ସୁରକ୍ଷା ଦେଉନାହାନ୍ତି। ପୁଲିସକୁ ତଦନ୍ତ ପାଇଁ ସଂପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି। ଦଣ୍ଡ ବିଧାନ ହାରରେ ପରିବର୍ତ୍ତନ ଆସିଛି। ଆସାମୀକୁ ଧରି ଯଥାଶୀଘ୍ର ଦଣ୍ଡ ବିଧାନ ମଧ୍ୟ କରାଯାଉଛି।  

ସୂଚନାଯୋଗ୍ୟ, ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କ ଉପରେ ବର୍ଷିଥିଲେ। ସାରା ରାଜ୍ୟରେ ମର୍ଡର ମର୍ଡର ମର୍ଡର ବୋଲି କହିଥିଲେ। ଗଣ୍ଡି ଗୋଟେ ଜାଗାରେ ମୁଣ୍ଡ ଆଉ ଗୋଟେ ଜାଗାରେ ବୋଲି ଟିପ୍ପଣୀ ଦେଇଥିଲେ। କେଉଁଠି ଜେସିବି ଲଗାଇ ମାରି ଦିଆଯାଉଛି ତ ଆଉ କେଉଁଠି ଗୁଳି କରି ଲୋକଙ୍କୁ ମାରି ଦିଆଯାଉଛି ବୋଲି କହିଥିଲେ। ମିଡିଆରେ କେବଳ ମର୍ଡର ଖବର ଘୂରି ବୁଲୁଛି। ଏ କଣ ଡବଲ ଇଂଜିନ ସରକାର ବୋଲି ଅରୁଣ ପ୍ରଶ୍ନ କରିଥିଲେ।

ବିଜେଡି ବିଧାୟକ ଶ୍ରୀ ସାହୁ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଅପରାଧୀ ଜାଣିଗଲେଣି ଯେ, ଏ ସରକାର ଦୁର୍ବଳ। ତେଣୁ ଦାନ୍ତହୀନ ଦୁର୍ବଳ ସରକାରକୁ କେହି ଖାତିର କରୁନାହାଁନ୍ତି। ତେଣୁ ସରକାର ଦୟାକରି ଜାନିଯାତ୍ରାରେ ନମାତି ସରକାରୀ କାର୍ଯ୍ୟ କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ଏହା ଭିତରେ ୮୦ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଆସିଲାଣି। ଶିଶୁ ଚୋରି ହେଉଛି। ସରକାର ନାଚ ଗୀତରେ ବ୍ୟସ୍ତ ରହୁଛନ୍ତି। ମା’ ମଥାର ସିନ୍ଦୁର ଲିଭିଯାଉ, ଛୁଆ ବାପାକୁ ହରାଉ ପଛେ ସରକାରଙ୍କ ଏଥି ପାଇଁ ଚିନ୍ତା ନାହିଁ। ସରକାର ଦାୟିତ୍ବ ନିର୍ବାହ କରନ୍ତୁ ଓ ଆଇନ ଶୃଙ୍ଖଳା ସମ୍ଭାଳନ୍ତୁ।

BJD | BJP | Prithviraj Harichandan | Arun Sahoo

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe