‘ଆନ୍ଦୋଳନ ମାଧ୍ୟମରେ ବିଜେଡି ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା’

ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାର ଗୁରୁତ୍ବର ସହିତ ନେଉଛନ୍ତି। ପୀଡ଼ିତାଙ୍କ ପରିବାର ପ୍ରତି ସରକାର ଠିଆ ହୋଇଛନ୍ତି।

BJP press meet

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାର ଗୁରୁତ୍ବର ସହିତ ନେଉଛନ୍ତି। ପୀଡ଼ିତାଙ୍କ ପରିବାର ପ୍ରତି ସରକାର ଠିଆ ହୋଇଛନ୍ତି। ଏଥି ପାଇଁ ପୀଡ଼ିତାଙ୍କ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ମଧ୍ୟ ଦେଇଛନ୍ତି। ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ ବୁଧବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳୀରେ ଏହା କହିଛନ୍ତି। 

ବିଜେଡିର ଆନ୍ଦୋଳନ ନେଇ ଶ୍ରୀ ତ୍ରିପାଠୀ କହିଛନ୍ତି, ରାଜ୍ୟରେ ବାଲେଶ୍ବର ଛାତ୍ରୀ ପରି ଅତୀତରେ ଅନେକ ଘଟଣା ଘଟିଥିଲା। ଏପରି ଘଟଣା ସମୟରେ ପୀଡ଼ିତାଙ୍କ ପରିବାରକୁ ବିଜେଡି ସରକାର କେତେ ଅନୁକମ୍ପାମୂଳକ ସହାୟତା ପହଞ୍ଚାଇଥିଲା। ଓଲଟା ତଦନ୍ତ ସମୟରେ କଟା ଘା’ରେ ଚୂନ ବୋଳିଥିଲା।

ବାଲେଶ୍ବର ଛାତ୍ରୀ ମ୍ୟତ୍ୟୁ ଘଟଣାର ପୁଲିସ ୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି। ୨୪ ଘଣ୍ଟା ମଧ୍ୟରେ ତଦନ୍ତକାରୀ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ଏବେ ଜାରି ଥିବା ବେଳେ ସରକାର କହିଛନ୍ତି, ଏହି ଘଟଣାରେ ଯିଏ ବି ସଂପୃକ୍ତ ଥିବେ ସେମାନଙ୍କୁ ଛଡ଼ାଯିବ ନାହିଁ। ସେହି ଦୃଷ୍ଟିରୁ ତଦନ୍ତର ଦିଗ ମଧ୍ୟ ତଦନ୍ତକାରୀ ସଂସ୍ଥାମାନେ ବ୍ୟାପକ କରିଛନ୍ତି। 

-ବିରଞ୍ଚି ତ୍ରିପାଠୀ, ବିଜେପି ଉପସଭାପତି

ଆଜି ଯେତେବେଳେ ଏହି ଘଟଣାକୁ ନେଇ ବିଜେଡି ଆନ୍ଦୋଳନ କରୁଥିଲା, ସେହି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା। ଆଜିର ଆନ୍ଦୋଳନରୁ ସେମାନେ ଯେଉଁ ଆଶା କରୁଥିଲେ, ତାହା ପାଇ ପାରି ନାହାନ୍ତି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କହି ବିଜେଡି କର୍ମୀମାନେ ୨ଟି ବେରିକେଡ଼ି ଭାଙ୍ଗିଥିଲେ। ପ୍ରଶାସନ ତାର କର୍ତ୍ତବ୍ୟ ଠିକ ଭାବେ ତୁଲାଇଛି। ବିଜେଡିର ବିଶୃଙ୍ଖଳା ଉଦ୍ୟମକୁ ପ୍ରଶାସନ ଅଟକାଇଥିଲା। 

ଶ୍ରୀ ତ୍ରିପାଠୀ କହିଛନ୍ତି, ଓଡ଼ିଶା ସରକାର ମହିଳାଙ୍କ ପ୍ରତି ସମର୍ପିତ ଥିବା ସରକାର। ମହିଳାଙ୍କ ପ୍ରତି କୌଣସି ପ୍ରକାରର ହିଂସା ହୁଏ, ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ। ଓଡ଼ିଶା ସରକାର ମହିଳାଙ୍କ ସହିତ ଠିଆ ହୋଇଛନ୍ତି। କାରଣ ଆମ ଶାସ୍ତ୍ର କହୁଛି, ଯେଉଁଠାରେ ନାରୀମାନଙ୍କୁ ପୂଜା କରାଯାଏ, ସେଠାରେ ଭଗବାନ ଆବିର୍ଭାବ ହୋଇଥାନ୍ତି। ନାରୀ ସମାଜ ପ୍ରତି ସରକାରଙ୍କ ସହଯୋଗ ଅଛି। ମହିଳାଙ୍କ ସୁରକ୍ଷା, ଆର୍ଥିକ ସ୍ଥିତ ସୁଦୃଢ଼ ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଭବିଷ୍ୟତରେ ଯଦି କେହି ନାରୀ ସମାଜ ପ୍ରତି କୌଣସି ପ୍ରକାର ଅପମାନଜନକ ଦିଅନ୍ତି, କାର୍ଯ୍ୟାନୁଷ୍ଠାନ ନିଆଯିବ। ବିରୋଧୀମାନେ ମଧ୍ୟ ଏହି ମହାନ କାମରେ ସହଯୋଗ କରନ୍ତୁ।

ସୂଚନାଯୋଗ୍ୟ, ବାଲେଶ୍ବରର କଲେଜ ଛାତ୍ରୀ ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍‌ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ଶତ ଚେଷ୍ଟା ପରେ ମଧ୍ୟ ସେ ଆଖି ବୁଜିଥିଲେ। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଥିବା ତାଙ୍କ ଜନ୍ମମାଟିରେ ମଙ୍ଗଳବାର ପୂର୍ବାହ୍‌ଣରେ ଅନ୍ତିମ ସଂସ୍କାର କରାଯାଇଥିଲା।

 BJD | BJP | Balasore 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe