ବଡ଼ମ୍ବା: କଟକ ଜିଲ୍ଲା ଆଠଗଡ଼ ଡିଭିଜନ ଅନ୍ତର୍ଗତ ବଡମ୍ବାରେ ଏକ ହାତୀ ଶାବକର ମୃତ୍ୟୁ ହୋଇଛି। ବଡମ୍ବା ରେଞ୍ଜ ଅନ୍ତର୍ଗତ ମାଣିଆବନ୍ଧ ସେକ୍ସନ ଅଧିନ କାଦୁଆପଡ଼ା ବିଟ୍‌ ଠାରୁ ୩କିମି ଜଙ୍ଗଲ ଭିତରେ ହାତୀଛୁଆର ଗଳିତ ଶବକୁ ବନ ବିଭାଗର କର୍ମଚାରୀମାନେ ଆଜି ସକାଳୁ ଠାବ କରିଛନ୍ତି। ହାତୀଟି ପ୍ରାୟ ୮ରୁ ୧୦ ଦିନ ପୂର୍ବରୁ ମରିଥିବା ସନ୍ଦେହ କରାଯାଉଛି। ବନ ବିଭାଗ ପକ୍ଷରୁ ହାତୀର ମୃତଦେହକୁ ପୋତି ଦିଆ ଯାଇଥିବା ଜଣାପଡିଛି। ହାତୀଟିର ବୟସ ଦେଢ଼ ବର୍ଷ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ହାତୀ ଶରୀରର ବିଭିନ୍ନ ଅଂଶ ନଷ୍ଟ ହୋଇ ଯାଇଥିବା ଚିତ୍ରରୁ ସ୍ପଷ୍ଟ ହୋଇଛି। କିନ୍ତୁ ହାତୀଟି କେଉଁ କାରଣରୁ ମୃତ୍ୟୁ ହୋଇଛି, ସେନେଇ ଜଣା ପଡ଼ିନାହିଁ।

ଏହି ଖବର ପଢ଼ନ୍ତୁ: ବିଦ୍ୟୁତ୍‌ ଫାଶରେ ଲାଗି ଦନ୍ତାହାତୀ ମୃତ

Advertisment

ମାଣିଆବନ୍ଧ ଫରେଷ୍ଟର କୃଷ୍ଣଚନ୍ଦ୍ର ସ୍ବାଇଁ କହିଛନ୍ତି, ଜଙ୍ଗଲରେ ପାଟ୍ରୋଲିଂ କରୁଥିବା କର୍ମଚାରୀମାନେ ଆଜି ସକାଳୁ ବଡମ୍ବା ରେଞ୍ଜ ମାଣିଆବନ୍ଦ ସେକ୍ସନର କାଦୁଆପଡ଼ା ବିଟ୍‌ ଠାରୁ ୩ କିମି ଜଙ୍ଗଲ ଭିତରେ ଏକ ହାତୀ ଶାବକର ମୃତଦେହ ଠାବ କରିଥିଲେ। ହାତୀଟିର ବୟସ ପ୍ରାୟ ଦେଢ଼ ବର୍ଷ ହେବ। ଏହା ପରେ ବଡ଼ମ୍ବା, ଗୋପପୁର ଓ ମାଣିଆବନ୍ଧରୁ ପଶୁ ଚିକିତ୍ସକମାନେ ଘଟଣାସ୍ଥଳକୁ ଯାଇଥିଲେ। ମୃତ ହାତୀ ଶାବକର ନମୁନା ସଂଗ୍ରହ କରାଯାଇଛି। ନମୁନା ପରୀକ୍ଷା ପାଇଁ ଓୟୁଏଟି ପଠାଯାଇଛି। ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ଏହି ଖବର ପଢ଼ନ୍ତୁ: କୂଅରେ ପଡ଼ି ଯାଇଥିବା ହାତୀ ଉଦ୍ଧାର

ରାଜ୍ୟରେ ବିଗତ ଏକ ସପ୍ତାହ ମଧ୍ୟରେ ବିିଭିନ୍ନ ସ୍ଥାନରେ ହାତମାନଙ୍କର ମୃତ୍ୟୁ ହୋଇଛି। ହାତୀମାନଙ୍କ ମୃତ୍ୟୁ ପାଇଁ କିଛି  ଘଟଣା ମନୁଷ୍ୟ କୃତ ବୋଲି ଜଣାପଡ଼ିଛି। ସେହିପରି ଖାଦ୍ୟ ଅନ୍ମେଷଣରେ ଗାଁମୁହାଁ ହୋଇଥିବା ହାତୀମାନେ ଅଘଟଣର ଶିକାର ମଧ୍ୟ ହୋଇଛନ୍ତି।