Rourkela Steel Plant Photograph: (Sambad )
ରାଉରକେଲା: ସାମଗ୍ରୀ କିଣାରେ ଜାଲିଆତିକୁ ନେଇ ସିବିଆଇ ଟିମ୍ ଗତ ୩ ତାରିଖରେ ରାଉରକେଲା ଇସ୍ପାତ୍ କାରଖାନାରେ ପଶି ତଦନ୍ତ କରିଥିଲା। ଏହାର ସପ୍ତାହେ ପରେ ଅନ୍ୟ ଏକ ଦୁର୍ନୀତି ମାମଲାରେ ପୁଣି ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ପଶିଛି ସିବିଆଇ। ଗତ ବର୍ଷ ବନ୍ଦ ହୋଇଥିବା ଆର୍ଏସ୍ପିର ଦୁଇଟି ପ୍ଲାଣ୍ଟ୍ କୋଲ୍ଡ ରୋଲିଂ ମିଲ୍ (ସିଆର୍ଏମ୍) ଓ ହଟଷ୍ଟ୍ରିପ୍ ମିଲ୍-୧ (ଏଚ୍ଏସ୍ଏମ୍)ର ଯନ୍ତ୍ରପାତି ବିକ୍ରିବେଳେ ବଡ଼ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।
ଏହାର ଯାଞ୍ଚ ପାଇଁ ସିବିଆଇର ଏକ ଦଳ ଶୁକ୍ରବାର ସକାଳେ କାରଖାନାକୁ ପଶିଥିଲା। ଏହି ସିବିଆଇ ଦଳ କାରଖାନାର ମ୍ୟାଟେରିଆଲ ମ୍ୟାନେଜମେଣ୍ଟ୍ ବିଭାଗ ଅନ୍ତର୍ଗତ ମାର୍କେଟିଂ ବିଭାଗରେ ତନାଘନା କରିଛି। ଏହାସହ ସିଆର୍ଏମ୍ ଓ ଏସ୍ଏସ୍ଏମ୍ ବିଭାଗ ଅଞ୍ଚଳ ବୁଲି ଆବଶ୍ୟକ ନଥିପତ୍ର ଯାଞ୍ଚ କରିଛି। ଦିନ ୧୦ଟାରୁ ୪ଟାଏ ଯାଏ ସିବିଆଇ ବିଭିନ୍ନ କାଗଜପତ୍ରକୁ ପୁଙ୍ଖାନୁପୁଙ୍ଖଭାବେ ଯାଞ୍ଚ କରିଥିଲା। ଏହାସହ ବହୁ ଗୁରୁତ୍ବପୂର୍ଣ୍ଣ ନଥିପତ୍ରକୁ ସାଙ୍ଗରେ ନେଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଏହି ସିଆର୍ଏମ୍ ବିଭାଗ ୨୦୨୪ ଏପ୍ରିଲ ଓ ଏଚ୍ଏସ୍ଏମ୍-୧ ୨୦୨୪ ଅଗଷ୍ଟ ମାସରେ ବନ୍ଦ ହୋଇଥିଲା। ଏଣୁ ଉଭୟ ପ୍ଲାଣ୍ଟ୍ର ବିଭିନ୍ନ ଯନ୍ତ୍ରାଂଶ ବିକ୍ରି ପାଇଁ ଆର୍ଏସ୍ପି ପକ୍ଷରୁ ଓପନ ଟେଣ୍ଡର୍ ଆହ୍ବାନ କରାଯାଇଥିଲା। ଏହି ଟେଣ୍ଡର୍ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ସମସ୍ତ ନିୟମାବଳୀର ଖୋଲା ଉଲ୍ଲଂଘନକରି ମନମର୍ଜି ବହୁ ମୂଲ୍ୟବାନ ସାମଗ୍ରୀକୁ ଶାଗମାଛ ଦରରେ ବିକ୍ରି କରିଥିବାର ସଙ୍ଗିନ ଅଭିଯୋଗ ଆସିବା ପରେ ସିବିଆଇ ଖୋଲତାଡ଼ ଆରମ୍ଭ କରିଛି।
ପ୍ରକାଶଥାଉକି, ସପ୍ତାହେ ପୂର୍ବେ ସାମଗ୍ରୀ କିଣାରେ ବହୁକୋଟିର ଦୁର୍ନୀତି ହୋଇଥିବା ଅଭିଯୋଗରେ ୧୫ ଜଣିଆ ସିବିଆଇ ଦଳ ମାର୍କେଟିଂ ଓ ପରଚେଜିଂ ବିଭାଗ କାର୍ଯ୍ୟାଳୟରେ ପଶି ଖୋଳତାଡ଼ କରିଥିଲା। ସେତେବେଳେ ସିବିଆଇ ଟିମ୍ କୋଟିକୋଟି ଟଙ୍କାର ହେରଫେର୍ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇବା ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଫାଇଲ୍ ଜବତ କରି ନେଇଥିଲା। ଏହି ଘଟଣାର ୮ ଦିନ ପରେ ଏବେ ପୁଣି ସିବିଆଇ ଯାଞ୍ଚ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଆର୍ଏସ୍ପିର ମହାପ୍ରବନ୍ଧକ (ଲୋକସମ୍ପର୍କ) ଓ ସଞ୍ଚାର ବିଭାଗ ମୁଖ୍ୟ ଅର୍ଚ୍ଚନା ଶତପଥୀଙ୍କୁ ପଚାରିବାରୁ କହିଲେ, କିଛି ସାମଗ୍ରୀ ବିକ୍ରିରେ ଅନିୟମିତତା ନେଇ ସମ୍ଭବତଃ ଅଭିଯୋଗ ହୋଇଥିବାରୁ ସିବିଆଇର ୪ ଜଣିଆ ଦଳ ଇନ୍କ୍ବାରି ପାଇଁ କାରଖାନାକୁ ଆସିଥିଲେ। ଆର୍ଏସ୍ପି ଭିଜିଲାନ୍ସ ଦଳ ମଧ୍ୟ ଏଥିରେ ସାମିଲ ଥିଲା।
Rourkela | cbi raid
Follow Us