ଚତୁର୍ମାସ୍ୟା ଓ ଅଶୁଦ୍ଧକାଳ

ଚାତୁର୍ମାସ୍ୟରେ ନିଜ ଘରେ ବା କୌଣସି ତୀର୍ଥସ୍ଥାନରେ ରହି ଜପ, ଧ୍ୟାନ, ଯୋଗ, ପ୍ରାଣାୟାମ ଆଦି କରିବା ପାଇଁ ଉପଯୁକ୍ତ ସମୟ। ସାଧୁସନ୍ଥମାନେ ତୀର୍ଥସ୍ଥାନରେ ରହି ଜପତପ, ହବିଷ୍ୟଭୋଜନ-ପୂର୍ବକ ଚାତୁର୍ମାସ୍ୟ ବ୍ରତ ପାଳନ କରନ୍ତି।

Chartur

ଶ୍ରାବଣ, ଭାଦ୍ରବ, ଆଶ୍ବିନ ଓ କାର୍ତ୍ତିକ- ଏହି ଚାରିମାସକୁ ଚତୁର୍ମାସ୍ୟା ବା ସଂସ୍କୃତରେ ଚାତୁର୍ମାସ୍ୟ କୁହାଯାଏ। ଆଷାଢ଼ ପୂର୍ଣ୍ଣିମା ଦିନରୁ ହିଁ ଶ୍ରାବଣ କୃଷ୍ଣ ପ୍ରତିପଦ ଆରମ୍ଭ ହୁଏ। ତେଣୁ ଆଷାଢ଼ ପୂର୍ଣ୍ଣିମାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏ ଚାତୁର୍ମାସ୍ୟ ପାଳନ ହୁଏ। ଆଷାଢ଼ ଶୁକ୍ଳ ଏକାଦଶୀକୁ ଦେବଶୟନୀ ବା ହରିଶୟନୀ ଏକାଦଶୀ କୁହାଯାଏ।

ଯଶୋବନ୍ତ ଦାସ ତାଙ୍କ ପ୍ରେମଭକ୍ତି ଗୀତାରେ ଲେଖିଛନ୍ତି- ‘‘ଏମନ୍ତେ ଚତୁର୍ମାସ୍ୟା ହୋଇ। ଶୟନଯାତ୍ରା ସେ ଭିଆଇ। ଏହିଦିନଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ବିଷ୍ଣୁ ଯୋଗନିଦ୍ରାରେ ଶୟନ କରନ୍ତି। ତେଣୁ ଏହି ଚାରିମାସ ବିବାହ, ବ୍ରତ, ଗୃହପ୍ରତିଷ୍ଠା ଆଦି କୌଣସି ଶୁଭକାର୍ଯ୍ୟ ହୁଏ ନାହିଁ। ଚତୁର୍ମାସ୍ୟା ଓ ହରିଶୟନକୁ ଅଶୁଦ୍ଧକାଳ ଭାବେ ଗଣନା କରାଯାଏ। ଏହି ଚାରିମାସ ନିଜ ଘରେ ବା କୌଣସି ତୀର୍ଥସ୍ଥାନରେ ରହି ଜପ, ଧ୍ୟାନ, ଯୋଗ, ପ୍ରାଣାୟାମ ଆଦି କରିବା ପାଇଁ ଉପଯୁକ୍ତ ସମୟ। ସାଧୁସନ୍ଥମାନେ ତୀର୍ଥସ୍ଥାନରେ ରହି ଜପତପ, ହବିଷ୍ୟଭୋଜନ-ପୂର୍ବକ ଚାତୁର୍ମାସ୍ୟ ବ୍ରତ ପାଳନ କରନ୍ତି।

ତେବେ ଏ ଚାତୁର୍ମାସ୍ୟା ତିନି ପ୍ରକାର- ଆଷାଢ଼ ଶୁକ୍ଳ ଏକାଦଶୀରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ (ମଝିରେ ଯୋଡ଼ାମାସ ଥିଲେ ଶ୍ରାବଣ ଶୁକ୍ଳ ଏକାଦଶୀରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ), ଆଷାଢ଼ ପୂର୍ଣ୍ଣିମାରୁ କାର୍ତ୍ତିକ ପୂର୍ଣ୍ଣିମା (ଯୋଡ଼ାମାସ ଥିଲେ ଶ୍ରାବଣ ପୂର୍ଣ୍ଣିମାରୁ କାର୍ତ୍ତିକ ପୂର୍ଣ୍ଣିମା) ଏବଂ କର୍କଟ ସଂକ୍ରାନ୍ତିରୁ ବିଛା ସଂକ୍ରାନ୍ତି। ଯେଉଁଠି ଯେପରି ପରମ୍ପରା ସେମାନେ ସେପରି ପାଳନ କରିବେ। ଆମ ଓଡ଼ିଶାରେ ମୁଖ୍ୟତଃ ଏକାଦଶୀରୁ ଏକାଦଶୀ ଗ୍ରହଣ କରାଯାଏ। ମାର୍ଗଶିର ମାସକୁ ଛାଡ଼ିଦେଲେ ଦକ୍ଷିଣାୟନ (କର୍କଟ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି)ରେ ମଧ୍ୟ କୌଣସି ଶୁଭକର୍ମ କରାଯାଏ ନାହିଁ।  

ଅନେକେ ଭାବନ୍ତି ଏ ଚାତୁର୍ମାସ୍ୟା ହେଉଛି ଅଶୁଭ ସମୟ। ପ୍ରକୃତରେ ଏହା ଅଶୁଭ ସମୟ ନୁହେଁ- କେବଳ ବିବାହାଦି ପାଇଁ ଏହାକୁ ଅଶୁଦ୍ଧକାଳ ଭାବେ ବର୍ଜନ କରାଯାଏ। ଯୋଗସାଧନା, ପୁଣ୍ୟଅର୍ଜନ ଓ ଆଧ୍ୟାତ୍ମିକ ଉନ୍ନତି ପାଇଁ ଏହା ପ୍ରକୃଷ୍ଟ ସମୟ। ଏହି ଚାରିମାସ ଭିତରେ ଦୁଇଟା ଋତୁ ବର୍ଷା ଓ ଶରତ ଋତୁ ଆସୁଛି। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ, ବଳଭଦ୍ର ଜନ୍ମ ଓ ରାକ୍ଷୀ ପୂର୍ଣ୍ଣିମା, ରାଧାଷ୍ଟମୀ, ବାମନ ଜୟନ୍ତୀ, ଶାରଦୀୟ ଦୁର୍ଗାପୂଜା ଓ ଦଶହରା, ବିଶ୍ବକର୍ମା ପୂଜା, କୁମାର ପୂର୍ଣ୍ଣିମା, ଦୀପାବଳି ଓ କାଳୀପୂଜା ପ୍ରଭୃତି ପର୍ବ ଏହି ଦୁଇ ଋତୁରେ ପଡ଼େ। ଅନେକ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ଏହି ସମୟରେ ଭାଗବତ ନବାହ୍ନ ପାରାୟଣ, ଭାଗବତ କଥା ପ୍ରବଚନ, ଗୀତା ପ୍ରବଚନ, ହରିବଂଶ ଓ ରାମାୟଣ ପାରାୟଣ ଆଦି ଏହି ସମୟରେ କରାଯାଏ।  

ଚଳିତ ଦେବଶୟନୀ ଏକାଦଶୀ ପରେ ଗ୍ରହଗତିରେ ପରିବର୍ତ୍ତନ ଆସିବ। ଜୁଲାଇ ୧୩ରୁ ମୀନରାଶିରେ ଶନି ବକ୍ରି ହେବେ। ଏଣେ ମିଥୁନରାଶିରେ ବୃହସ୍ପତିଙ୍କର ଅତିଚାର ଚାଲିଛି। ଶାସ୍ତ୍ର କହୁଛି- ‘‘ଅତିଚାରଗତେ ସୌମ୍ୟେ କ୍ରୂରଂ ବକ୍ରତ୍ବମାଗତେ। ହାହାଭୂତଂ ଜଗତ୍ ସର୍ବଂ ଚଣ୍ଡଂ ମୁଣ୍ଡଂ ଚ ଜାୟତେ। ’ ଅର୍ଥାତ୍ ବୃହସ୍ପତିଙ୍କ ଅତିଚାର ଓ ଶନିଙ୍କ ବକ୍ରଗତି ଜଗତରେ ହାହାକାର ଖେଳାଇଦେବ। ଦେଶରେ ମୁଣ୍ଡମାଳା ଗଡ଼ିବ। ଶନିଙ୍କ ମୀନ-ସ୍ଥିତି ମଧ୍ୟ ଅନୁରୂପ ଫଳଦାୟକ। ଭାରତରେ ଆତଙ୍କବାଦୀ ଆକ୍ରମଣ, ଅପରେସନ ସିନ୍ଦୂର, ଅହମଦାବାଦ ବିମାନ ଦୁର୍ଘଟଣା, ପୁରୀ ରଥଯାତ୍ରାରେ ଅଘଟଣ, ଇସ୍ରାଏଲ-ଇରାନ, ଇସ୍ରାଏଲ-ହମାସ, ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆଦି ଘଟଣା ଏହାର ପ୍ରମାଣ।  

-ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା (ମୋ: ୭୦୦୮୯୬୦୫୦୨)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe