ରାଉରକେଲା: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଞ୍ଚିରେ ପାଳନ ହେଉଥିବା ବିର୍ସା ମୁଣ୍ଡା ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଯୋଗ‌ଦେଇଥିବାରୁ ରାଉରକେଲାରେ ପାଳନ ହେଉଥିବା ଜନଜାତୀୟ ଗୌରବ ଦିବସ ସମାରୋହରେ ଅନୁପସ୍ଥିତ ଥିଲେ। ହେଲେ ମୁଖ୍ୟମନ୍ତ୍ରୀ କିନ୍ତୁ ମଞ୍ଚରେ ତାଙ୍କୁ ଆ‌ଦୌ ଭୁଲି ନଥିଲେ। ତାଙ୍କୁ ପ୍ରଶଂସାରେ ‌ପୋତି ପକାଇଥିଲେ। କହିଥିଲେ, ଜୁଏଲ ଜଣେ ଆଦିବାସୀ ଟାଣୁଆ ନେତା। କେବଳ ରାଜ୍ୟ ନୁହେଁ ଦେଶର ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଆଦିବାସୀ ମନ୍ତ୍ରୀ କରିଛନ୍ତି। ତାଙ୍କ ନେତୃତ୍ବରେ ଜିଲ୍ଲାରେ ଆଦିବାସୀଙ୍କ ବିକାଶ ହେଉଛି। 

Advertisment

ଲୋକଙ୍କୁ ବସାଇବାକୁ ମଞ୍ଚରୁ ଓହ୍ଲାଇଲେ ଜିଲ୍ଲାପାଳ 

ସଭା ଚାଲିଥିବାବେଳେ କିଛିଲୋକ ବାହାରେ ଠିଆହୋଇ କଥା ହେଉଥିଲେ।  ଭାଷଣ ଦେଉଥିଲାବେଳେ ହଠାତ୍‌ ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଏମିତି ଦୃଶ୍ୟ ପଡ଼ିଯାଇଥିଲା। ମଞ୍ଚ ଉପରେ ଜିଲ୍ଲାପାଳଙ୍କୁ ଡାକି ଛିଡାହୋଇଥିବା ଲୋକଙ୍କୁ ଆସନରେ ବସାଇବାକୁ କହିଥିଲେ। ଜିଲ୍ଲାପାଳ ମଞ୍ଚରୁ ଓହ୍ଲାଇ ପ୍ରଶାସନିକ ଅଧିକାରୀ ଓ ପୁଲିସ କର୍ମଚାରୀଙ୍କ ସହାୟତାରେ ଛିଡା ହୋଇଥିବା ଲୋକଙ୍କୁ ଆସନରେ ବସାଇବାର ବ୍ୟବସ୍ଥା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ମହୁଲଫୁଲ ତିଆରି ଖାଦ୍ୟ ଉପହାର 

ସୁନ୍ଦରଗଡ଼ର କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭା ମଞ୍ଚରେ ମହୁଲଫୁଲରେ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ଉପହାର ଦେଇଥିଲେ। ଖାଦ୍ୟ ପ୍ୟାକେଟ୍‌ଗୁଡ଼ିର ପ୍ୟାକିଂକୁ ଦେଖି ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଥିଲେ। ଏସ୍‌ଏଚ୍‌ଜି ମହିଳାମାନଙ୍କୁ ପ୍ରଶଂସା କରିବା ସହ ଜିଲ୍ଲାର ଅନ୍ୟ ମହିଳାମାନେ ଏମିତି ଖାଦ୍ୟ ତିଆରି କରନ୍ତୁ ବୋଲି କହିଥିଲେ।

 ଜନଜାତି ସଶକ୍ତୀକରଣର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ମହାମହିମ ରାଷ୍ଟ୍ରପତି ଓ ମୁଁ: ମୁଖ୍ୟମନ୍ତ୍ରୀ

‘ବିର୍ସା ମୁଣ୍ଡା ଥିଲେ ଦେଶପ୍ରେମୀ ସଂଗ୍ରାମୀ। ଇଂରେଜ ଶାସକଙ୍କ ଅନ୍ୟାୟ, ଅତ୍ୟାଚାର ବିରୋଧରେ ସେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ମଧ୍ୟପ୍ରଦେଶର ଆଦିବାସୀଙ୍କୁ ଏକାଠି କରି ବିପ୍ଳବ କରିଥିଲେ। ସେ ଥିଲେ ପ୍ରେରଣାଦାୟୀ ପୁରୁଷ।’ ଆଜି ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସର‌ରେ ରାଉରକେଲା ସେକ୍ଟର-୧୩ ମେଳଣ ପଡ଼ିଆରେ ରାଜ୍ୟସ୍ତରୀୟ ଜନଜାତି ଗୌରବ ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମିତି କହିଥିେଲ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଜଙ୍ଗଲ ଜମି ଅଧିକାର ପ୍ରଦାନ ବଳରେ ସେମାନଙ୍କୁ ସଶକ୍ତ କରିବାଠାରୁ ଆରମ୍ଭ କରି ଜନଜାତି ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରପ୍‌ଆଉଟ୍ ହାର ରୋକିବାକୁ ସହିଦ୍‌ ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ଆର୍ଥିକ ସହାୟତା ଯାଏଁ ଅନେକ ପଦକ୍ଷେପ ନିଆଯାଉଛି। ଜନଜାତି ସଶକ୍ତୀକରଣର ସବୁଠାରୁ ବଡ଼ ଉଦାହରଣ ହେଉଛି ମହାମହିମ ରାଷ୍ଟ୍ରପତି ଓ ସେ ନିଜେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ଆହୁରି ପଢ଼ନ୍ତୁ: Maoists Surrender: ୨ ଦୁର୍ଦ୍ଦାନ୍ତ ସମେତ ୮ ମାଓବାଦୀଙ୍କ ଆତ୍ମସମର୍ପଣ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ୧୩୪୫ କୋଟି ଟଙ୍କାର ୫୬୫ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। ୬୦୯ କୋଟିର ୧୫୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଉରକେଲା ସହରର ହନୁମାନବାଟିକା ଛକରୁ ପାୱାରହାଉସ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଯାଇଥିଲା। ସେହିଭଳି କୋଏଲନଗର ଶକ୍ତିବଜାର ପାର୍ଶ୍ବରେ ବିର୍ସା ମୁଣ୍ଡା ପାର୍କ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।  

ଆହୁରି ପଢ଼ନ୍ତୁ: Human Sagar: ଭୁବନେଶ୍ବର ଏମ୍‌ସରେ ହ୍ୟୁମାନ ସାଗର, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଏହି ପରିପ୍ରେକ୍ଷୀରେ ଗୁଜୁରାଟରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଥିଲେ। ଯାହାର ସିଧାପ୍ରସାରଣ ମୁଖ୍ୟମନ୍ତ୍ରୀ, ମଞ୍ଚାସୀନ ଅତିଥି ଓ ସାଧାରଣ ଜନତା ଶୁଣିଥିଲେ। କାର୍ଯ୍ୟକ୍ରମରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ସାରଦା ପ୍ରସାଦ ନାୟକ, ଦୁର୍ଗାଚରଣ ତନ୍ତୀ ଉପସ୍ଥିତ ଥିଲେ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିସନର ତଥା ଶାସନ ସଚିବ ବି. ପରମେଶ୍ବରନ୍ ସ୍ବାଗତ ଭାଷଣ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଧନ୍ୟବାଦ ଦେଇଥିଲେ। ଆର୍‌ଏମ୍‌ସି କମିସନର ଦୀନା ଦସ୍ତଗୀର ଉପସ୍ଥିତ ଥିଲେ।