ପାଟଣା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣ୍ୟତୋୟା ବୈତରଣୀରେ ମକର ବୁଡ଼ ପକାଇଛନ୍ତି। କେନ୍ଦୁଝରଜିଲ୍ଲା ପାଟଣାରେ ଥିବା ବୈତରଣୀ ନଦୀର ଶୈବ୍ୟା କାବେରୀ ଘାଟରେ ପତ୍ନୀଙ୍କ ସହ ମୁଖ୍ୟମନ୍ତ୍ରୀ ବୁଡ଼ ପକାଇଛନ୍ତି। ବୁଡ଼ ପକାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଘୁନାଥଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରଭୁଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ସେ।
ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ପାଟଣା ରାଜନଗର ବୈତରଣୀ ନଦୀରେ ୭ ଥର ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ପାଟଣା ବୈତରଣୀ ନଦୀର ଶୈବ୍ୟା କାବେରୀ ଘାଟ ହୋଇ ଉଠିଥିଲା ଲୋକାରଣ୍ୟ । ମୁଖ୍ୟମନ୍ତ୍ରୀଙ୍କର ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ୭ ଥର ମକର ସ୍ନାନ କରି ସୂର୍ଯ୍ୟଙ୍କ ଉବ୍ଦେଶ୍ୟରେ ଜଳ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ଏଵଂ ତାଙ୍କର ସହଧର୍ମିଣୀ। ଏଥିସହ, ନଦୀକୂଳରେ ପ୍ରଭୁ ରଘୁନାଥଜୀଉଙ୍କ ଦର୍ଶନ ସହ ମକର ପିଠା ଖାଇଥିଲେ।
ଏହି ଅବସରରେ ପ୍ରଭୁଙ୍କ ନିକଟରେ ଜିଲ୍ଲାରେ ଶିଳ୍ପର ବିକାଶ ସହ, ଜିଲ୍ଲା ତଥା ରାଜ୍ୟର ସାମଗ୍ରିକ ବିକାଶ କାମନା କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୁଲିସ ଏଵଂ ଅଗ୍ନିଶମ ବିଭାଗ ସୁରକ୍ଷା ଯାଞ୍ଚ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ତେଲୋକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ ଏଵଂ ତାଙ୍କର ଦୁଇ ବାଲ୍ୟବନ୍ଧୁ ମଧ୍ଯ ମକର ବୁଡ଼ ପକାଇଥିଲେ l
ଗତବର୍ଷ ଅନସୂୟା ତୀର୍ଥ ଘାଟରେ ବୁଡ଼ ପକାଇଥିଲେ ମୁଖ୍ୟମନ୍ତ୍ରୀ
ସୂଚନାଯୋଗ୍ୟ, ଗତବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈତରଣୀ ନଦୀର ଅନସୂୟା ତୀର୍ଥ ଘାଟରେ ବୁଡ଼ ପକାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଦୁଇଜଣ ବନ୍ଧୁ ମଧ୍ୟ ବୈତରଣୀରେ ବୁଡ଼ ପକାଇଥିଲେ। ପୂର୍ବରୁ ମଧ୍ୟ ୨୦୨୨ରେ ବିଧାୟକ ଥିବା ବେଳେ ପାଟଣାରେ ଥିବା ବୈତରଣୀ ନଦୀର ଅନସୂୟା ତୀର୍ଥ ଘାଟରେ ବୁଡ଼ ପକାଇଥିଲେ ସେ।
ଆହୁରି ପଢ଼ନ୍ତୁ: Sold Baby Girl Rescued ଭଦ୍ରକରେ ବିକ୍ରି ହୋଇଥିବା ଶିଶୁକନ୍ୟା କଟକରୁ ଉଦ୍ଧାର
Follow Us