କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ରେଙ୍ଗା ପଞ୍ଚାୟତ ମାଳି ମାରୁଆ ଗାଁରେ ପ୍ରଶାସନ ତରଫରୁ ବାଲ୍ୟବିବାହ ରୋକାଯାଇଥିବା ଜଣାପଡ଼ିଛି। ଡିସିପିଓ ରାଜଶ୍ରୀ ଦାଶଙ୍କ ସୂତ୍ରରୁ ପ୍ରକାଶ ଯେ, ସେମିଳିଗୁଡା ବ୍ଲକ ରେଙ୍ଗା ପଂଚାୟତର ମାଳି ମାରୁଆ ଗାଁର ନାବାଳିକା ଝିଅର ବିବାହ ସେହି ଗାଁର ଜଣେ ୨୨ବର୍ଷିୟ ଜୈନେକ ଯୁବକଙ୍କ ସହ ଆସନ୍ତାକାଲି ବିବାହ ହେବାକୁ ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇବା ପରେ ଡିସିପିଓ, ଆଇନପର୍ଯ୍ୟବେକ୍ଷିକା ରଂଜିତା ସାହୁ, ଚାଇଲାଇଡ୍ ଲାଇନର ତପସ୍ବିନୀ ପାଢ଼ୀ, ସୁପରଭାଇଜର ନମିତା ନାୟକ, ଅଙ୍ଗନୱାଡୀ କର୍ମୀ, ଶୋଭା ଅନୁଷ୍ଠାନର ବିମଳା ପାଙ୍ଗୀ, ସେମିଳିଗୁଡା ଥାନାର ଏଏସଆଇ ସଦଳବଳ ସହ କର୍ମଚାରୀ ଗାଁରେ ପହଞ୍ଚିଥିଲେ।
ବିବାହ କାର୍ଡ ଦେଖି ଝିଅର ଜନ୍ମ ତାରିଖ ବିଷୟରେ ପଚାରି ବୁଝିଥିଲେ। ଝିଅର ଆଧାରକାର୍ଡରେ ୧୬ବର୍ଷ ରହିଥିଲା। ଝିଅର ବିବାହ ବୟସ ହୋଇନଥିବାରୁ ଏହା ଆଇନ ସମ୍ମତ ନୁହେଁ ବୋଲି ବୁଝା ଯାଇଥିଲା। ତେବେ ଗ୍ରାମବାସୀ ଝିଅକୁ ଲୁଚାଇ ଦେଇଥିଲେ। ଝିଅର ବାପା ଓ ଉକ୍ତ ଯୁବକକୁ ଏମାନେ ଯାଇଥିବା ବଲେରୋରେ ଆଣି ବସାଇବା ସହ ନାବାଳିକା ଝିଅକୁ ଆଣି ପ୍ରଶାସନ ନିକଟରେ ଦାଖଲ କରିବାକୁ କୁହାଯାଇଥିଲା। ଦୀର୍ଘ ଘଣ୍ଟାଏ କାଳ ଗାଁରେ ଉତ୍ତେଜନା ପରିସ୍ଥିତି ରହିଥିଲା। ଝିଅର ବାପା ଓ ଯୁବକକୁ ଛାଡିବାକୁ ଗ୍ରାମବାସୀମାନେ ଜିଦ୍ ଧରିଥିଲେ।
ଝିଅକୁ ଛାଡିବା ପରେ ହିଁ ଉଭୟଙ୍କୁ ଛଡ଼ାଯିବ ବୋଲି କହିବା ପରେ ଝିଅକୁ ଆଣି ଏହି ଟିମର ଜିମାରେ ଦେଇଥିଲେ। ପରେ ଝିଅକୁ କୋରାପୁଟ ଆଣି ସିଡବ୍ଲୁସି (ଚାଇଲଡ୍ ୱେଲଫେୟାର କମିଟି) ନିକଟରେ ଉପସ୍ଥିତ କରିଥିଲେ। ପରେ କୋରପୁଟ ଛପରରେ ଥିବା ଶୋଭା ଅନୁଷ୍ଠାନ ଦ୍ବାରା ପରିଚାଳିତ ଷ୍ଟେ ହୋମରେ ନାବାଳିକାକୁ ରଖାଯାଇଥିବା କହିଛନ୍ତି ଡିସିପିଓ।
ଗତ ୪ଦିନ ହେବ ଅଙ୍ଗନୱାଡୀ କର୍ମୀ ବୁଝାସୁଝା କରୁଥିଲେ ହେଁ ବର ଓ କନ୍ୟପକ୍ଷ କେହି ବୁଝୁନଥିଲେ। ସିଡିପିଓ ଛୁଟିରେ ଥିବାରୁ ପ୍ରଶାସନ ପକ୍ଷରୁ ନାବାଳିକାଙ୍କୁ ଉଦ୍ଧାର କରି ଆଣିଥିବା କହିଛନ୍ତି ଡିସିପିଓ। ସାଧାରଣରେ ଏହାକୁ ସ୍ବାଗତ କରିବା ସହ ଅନ୍ୟ ଅଙ୍ଗନୱାଡୀ କର୍ମୀ, ସିଡିପିଓ, ସୁପରଭାଇଜର ଆଦି ବି ଏଦିଗରେ ଯତ୍ନବାନ ହେଲେ ନାବାଳିକା ବିବାହ ରୋକିବା ସମ୍ଭବ ପର ହୋଇ ପାରିବ।
Follow Us