ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଘଟଣାରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀ ପେଟ୍ରୋଲ ଢ଼ାଳି ଆତ୍ମାହୁତି ଦେଉଥିବା ‌ବେଳେ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିବା ଜ୍ୟୋତିପ୍ରକାଶ ବିଶ୍ବାଳଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଚାରି ବୁଝିଛନ୍ତି।

BLS

ଭୁବନେଶ୍ବର: ବାଲେଶ୍ବରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀ ପେଟ୍ରୋଲ ଢ଼ାଳି ଆତ୍ମାହୁତି ଦେଉଥିବା ‌ବେଳେ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିବା ଜ୍ୟୋତିପ୍ରକାଶ ବିଶ୍ବାଳଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଚାରି ବୁଝିଛନ୍ତି। ଜ୍ୟୋତି ପ୍ରକାଶଙ୍କ ଚିକିତ୍ସା ପାଇଁ ଯାହା ଆବଶ୍ୟକ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଜ୍ୟୋତିପ୍ରକାଶ ଆହୁରି ଆଠ ଦିନ ଯାଏ କଟକ ବଡ଼ଡାକ୍ତରଖାନାରେ ରହିବେ। ତାଙ୍କର ସ୍ବାସ୍ଥ୍ୟବସ୍ଥା ଧୀରେଧୀରେ ଭଲ ହେବାରେ ଲାଗିଛି। ତାଙ୍କର ଚିକିତ୍ସା ପାଇଁ ୪ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ଅଛନ୍ତି।  

ସୂଚନାଯୋଗ୍ୟ, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଘଟିଥିବା ଅଘଟଣରେ ଛାତ୍ରୀଙ୍କୁ ଉଦ୍ଧାର କରିବା ସମୟରେ ମହାବିଦ୍ୟାଳୟର ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ ଆହତ ହୋଇ କଟକ ବଡ଼ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମେଡିକାଲର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି।

ମୁଖ୍ୟମନ୍ତ୍ରୀ ଆହତ ଜ୍ୟୋତିପ୍ରକାଶଙ୍କ ମା'ଙ୍କ ସହିତ ଫୋନ ଯୋଗେ କଥା ହୋଇ ଜ୍ୟୋତିପ୍ରକାଶଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ବ୍ୟସ୍ତ ନହେବା ପାଇଁ ସାନ୍ତ୍ୱନା ଦେଇଛନ୍ତି। ତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିପ୍ରତି ବିଶେଷ ଧ୍ୟାନ ଦେବା ନିମନ୍ତେ ବର୍ଣ୍ଣ ୟୁନିଟର ଡାକ୍ତରୀ ଦଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହାପ୍ରଭୁଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।  

ଜ୍ୟୋତିପ୍ରକାଶଙ୍କ ମା ବନଲତା ବିଶ୍ଵାଳଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୋ ସହ କଥା ହୋଇଛନ୍ତି। ସୁସ୍ଥ ହୋଇ ଘରକୁ ଫେରିବା ଯାଏଁ ସବୁ ପ୍ରକାର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପୁଅର ଦେହ ଧୀରେଧୀରେ ଭଲ ହେଉଛି। ପୁଅ ସହିତ ନିୟମିତ ବ୍ୟବଧାନରେ ମୁଁ କଥା ହୋଇପାରୁଛି। ଆରମ୍ଭ ଦିନରୁ ବହୁତ ବ୍ୟସ୍ତ ଲାଗୁଥିଲା ଏବେ ଟିକେ ଆଶ୍ୱସ୍ତି ଲାଗୁଛି। 

ସୂଚନାଯୋଗ୍ୟ, ବାଲେଶ୍ବରର କଲେଜ ଛାତ୍ରୀ ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍‌ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ଶତ ଚେଷ୍ଟା ପରେ ମଧ୍ୟ ସେ ଆଖି ବୁଜିଥିଲେ। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଥିବା ତାଙ୍କ ଜନ୍ମମାଟିରେ ମଙ୍ଗଳବାର ପୂର୍ବାହ୍‌ଣରେ ଅନ୍ତିମ ସଂସ୍କାର କରାଯାଇଥିଲା।

Balasore | CM Mohan Charan Majhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe