‘ସତ୍ୟବାଦୀ ବକୁଳବନର ଐତିହ୍ୟକୁ ସୁରକ୍ଷିତ ରଖି ଏହାର ପୁନରୁଦ୍ଧାର ଓ ବିକାଶ କରାଯିବ’

ବକୁଳବନର ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଜିର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ଏହାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବା ସହିତ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

Mohan Charan Majhi

Mohan Charan Majhi Photograph: (Sambad )

ଭୁବନେଶ୍ୱର: ବକୁଳବନର ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଜିର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ଏହାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବା ସହିତ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନଠାରେ ବିଦ୍ୟାଳୟ  ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବକୁଳବନ ଓ ସତ୍ୟବାଦୀ ବନ ବିଦ୍ୟାଳୟର ପୁନଃରୁଦ୍ଧାର ଓ ବିକାଶ ସଂପର୍କିତ ଏକ ଉପସ୍ଥାପନା ଅବସରରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁଶିଷ୍ୟ ପରମ୍ପରାର ଅନନ୍ୟ ନିଦର୍ଶନ ବହନ କରୁଥିବା ସତ୍ୟବାଦୀର ବକୁଳବନ ୧୯୦୯ ମସିହାରେ ପଞ୍ଚସଖାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ସେ ସମୟରେ ଓଡିଶାର ବହୁ ଜଣାଶୁଣା ପଣ୍ଡିତ, ଜ୍ଞାନୀ, ଦେଶଭକ୍ତମାନେ ଏହି ବିଦ୍ୟାଳୟର ଶିକ୍ଷକ ଥିଲେ। ତତ୍କାଳୀନ ସମୟରେ ଏହା ଓଡ଼ିଶାର ଏକ ପ୍ରତିଷ୍ଠିତ ବିଦ୍ୟାଳୟ ଭାବେ ଖ୍ୟାତି ଅର୍ଜନ କରିଥିଲା। ଆଜି ମଧ୍ୟ ଏକ ଐତିହ୍ୟସଂପନ୍ନ ଶିକ୍ଷାନୁଷ୍ଠାନ ଭାବେ  ଏହାର ସ୍ୱତନ୍ତ୍ରତା ରହିଛି।  

ଏହି ବକୁଳବନ ଅଞ୍ଚଳର ବିକାଶ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ବିଦ୍ୟାଳୟର ଆଦର୍ଶ ଓ ଆଭିମୁଖ୍ୟ ବିଷୟରେ ବର୍ତ୍ତମାନର ପିଢିଙ୍କୁ ଅବଗତ କରାଇବା ପାଇଁ ଏହାର ମୂଳ ଢାଞ୍ଚା ଅନୁରୂପ ବିକାଶ କରାଯିବ। ଏହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ସ୍ଥାନ ପରିଦର୍ଶନ କରି ଏହାର ଐତିହ୍ୟ ସଂପର୍କରେ ଜ୍ଞାନ ଅର୍ଜନ କରିପାରିବେ ଏବଂ ଏହା ପର୍ଯ୍ୟଟକ ମାନଙ୍କୁ ମଧ୍ୟ ଆକୃଷ୍ଟ କରିବ। ଏଥିସହିତ ବକୁଳବନର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଆଲୋଚନାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତ, ପର୍ଯ୍ୟଟନ ବିଭାଗର ଶାସନ ସଚିବ ବଲୱନ୍ତ ସିଂହ ଏବଂ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe