‘ରାଜ୍ୟ ସରକାରଙ୍କ ପ୍ରଥମ ବାର୍ଷିକୀରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ ୫୦୦ ବିଦ୍ୟାଳୟ’

ରାଜ୍ୟ ସରକାର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ସରକାର ରାଜ୍ୟବ୍ୟାପି ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଆଗାମୀ ସପ୍ତାହରେ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଉଛନ୍ତି।

Mohan Charan Majhi

Mohan Charan Majhi Photograph: (sambad.in )

ଭୁବନେଶ୍ୱର: ଗ୍ରାମାଞ୍ଚଳର ଶିକ୍ଷା ଭିତ୍ତିଭୂମିକୁ ଶକ୍ତିଶାଳୀ କରିବା ଉଦ୍ଦେଶରେ ରାଜ୍ୟ ସରକାର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ସରକାର ରାଜ୍ୟବ୍ୟାପି ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଆଗାମୀ ସପ୍ତାହରେ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଉଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାରର ପ୍ରଥମ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୧୨ ତାରିଖ ଦିନ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଅଧୀନରେ ୫୦୦ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିବେ। ଏହି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଏହି ଖବର ପଢ଼ନ୍ତୁ: ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ

ରାଜ୍ୟର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା, ସେହିଭଳି ଏହି ବିଦ୍ୟାଳୟ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିବ। ଏଥିରେ ବିଶେଷ କରି ପିଲାମାନଙ୍କର ଭାଷା ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ଉପରେ ଗୁରୁତ୍ୱ ଆରୋପ କରାଯିବ। ଏହା ଦ୍ୱାରା ପିଲାମାନେ ଉଚ୍ଚତର ଶ୍ରେଣୀରେ ସହଜରେ ଶିକ୍ଷା ଗ୍ରହଣ କରି ପାରିବେ। ଉନ୍ନତ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଓ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ପିଲାମାନଙ୍କର ମୌଳିକ ଜ୍ଞାନ ଓ ବୌଦ୍ଧିକ ବିକାଶକୁ ସୁଦୃଢ କରିବା ଦିଗରେ ପଦକ୍ଷେପ ନିଆଯିବ।

ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ଆର୍ଥିକ ବର୍ଷ ୨୦୨୫-୨୬ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨,୯୬୦ କୋଟି ଟଙ୍କା ବରାଦ କରିଛନ୍ତି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ହେଉଛି ଓଡ଼ିଶା ସରକାରଙ୍କର ଏକ ଉଦ୍ୟମ, ଯାହା ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏକ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବାକୁ ଲକ୍ଷ୍ୟ ରହିଛି। ସରକାର ଏହି ଯୋଜନା ଅଧୀନରେ ପ୍ରାୟ ୬,୮୦୦ ରାଜ୍ୟ ପରିଚାଳିତ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ଉନ୍ନୀତ କରିବାକୁ ଯୋଜନା କରୁଛନ୍ତି। ନିଷ୍ପତ୍ତି ଅନୁଯାୟୀ, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୬,୭୯୪ ଗ୍ରାମ ପଞ୍ଚାୟତରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯିବ।

କରୋନା ସଂକ୍ରମଣ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, କୋଭିଡ ଆଶଙ୍କା ଭିତରେ ଆଉ ମାତ୍ର କିଛି ଦିନ ପରେ ସ୍କୁଲ ଖୋଲିବ। ଏହି ସମୟରେ ଶିକ୍ଷକମାନଙ୍କୁ ସତର୍କ କରାଯିବ। ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ। ସ୍କୁଲରେ ନିୟମ ମାନି ଚଳିବା ପାଇଁ କୁହାଯିବ। ଦେହ ଖରାପ ହେଲେ ପିଲାମାନେ ସ୍କୁଲ ଆସିବେନି। ଅଧିକ ସ୍ବାସ୍ଥ୍ୟ ଖରାପ ହେଲେ ଛାତ୍ରଛାତ୍ରୀ ଘରେ ରହିବେ। ଲକ୍ଷଣ ଦେଖାଗଲେ କିମ୍ବା ସ୍ବାସ୍ଥ୍ୟରେ ଅବନତି ହେଲେ ସ୍କୁଲ ଆସିବେ ନାହିଁ। 

 Education | CM Mohan Charan Majhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe