ସୀମା ସିନା ଦେଶକୁ ବାଣ୍ଟିପାରେ, କିନ୍ତୁ ମନକୁ କେହି ବାଣ୍ଟିପାରିବେ ନାହିଁ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବିଭାଜନ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଛି "ସୀମା ସିନା ଦେଶକୁ ବାଣ୍ଟିପାରେ, କିନ୍ତୁ ମନକୁ କେହି ବାଣ୍ଟିପାରିବେ ନାହିଁ।" ଧର୍ମ, ଭାଷା, ଜାତି ଠାରୁ ବଡ଼ ହେଉଛି ମାନବତା।

New Project (28)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା ରାଜଭବନରେ ଆୟୋଜିତ ବିଭାଜନ ବିଭୀଷିକା ସ୍ମୃତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି,  ଆଜିର ଏହି ଦିବସ କେବଳ ବିଭାଜନ ଓ ବିସ୍ଥାପନ ସମୟର ସ୍ମୃତିଚାରଣ କରିବାର ଅବସର ନୁହେଁ, ବରଂ ଭବିଷ୍ୟତ ସମୟକୁ ସୁରକ୍ଷିତ କରିବାର ପ୍ରତିଜ୍ଞା।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭାଜନ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଛି "ସୀମା ସିନା ଦେଶକୁ ବାଣ୍ଟିପାରେ, କିନ୍ତୁ ମନକୁ କେହି ବାଣ୍ଟିପାରିବେ ନାହିଁ।" ଧର୍ମ, ଭାଷା, ଜାତି ଠାରୁ ବଡ଼ ହେଉଛି ମାନବତା। ଆମେ ଭାରତୀୟ ସର୍ବଦା ସହିଷ୍ଣୁତା, ଭାଇଚାରା, ପ୍ରେମ ଓ ସମ୍ମାନକୁ ପ୍ରଥମରେ ରଖିଛୁ ଆଉ ସେଥିପାଇଁ କୌଣସି ଶକ୍ତି ଆମକୁ ବାଣ୍ଟିପାରିବ ନାହିଁ। ଆମର ପୂର୍ବଜମାନେ ବିଭାଜନର ଦୁଃଖକୁ ସହି ସେଥିରୁ ଏକତାର ଯେଉଁ ନୂଆ ସ୍ୱପ୍ନ ଗଢ଼ିଥିଲେ। ଆସନ୍ତୁ, ଆମେ ସେହି ସ୍ୱପ୍ନକୁ ଆଗକୁ ନେବା ଓ ଏକ ବିକଶିତ ସାର୍ବଭୌମ ଭାରତ ଗଠନରେ ଯୋଗଦାନ ଦେବା।

ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ‌କହିଛନ୍ତି, ଏହି ଦିବସ ଆମକୁ ଶିଖାଏ କି ଦେଶମାତୃକା ପାଇଁ ଜାତୀୟ ଏକତା ଓ ଅଭିମାନକୁ ସର୍ବପ୍ରଥମେ ରଖିବା ଆବଶ୍ୟକ। ବିଭାଜନ ବିଭୀଷିକା ସ୍ମୃତି ଦିବସ ଆମ ପାଇଁ କେବଳ ଏକ ସାମାନ୍ୟ ଦିବସ ନୁହେଁ। 

୧୯୪୭ର ବିଭାଜନରେ ଲକ୍ଷ ଲକ୍ଷ ଭାଇ-ଭଉଣୀ ବାସହରା ହେଲେ, ଅସଂଖ୍ୟ ପରିବାର ବିଚ୍ଛିନ୍ନ ହେଲା। ହଜାର ହଜାର ନିର୍ଦ୍ଦୋଷ ଲୋକଙ୍କୁ କେବଳ ଧର୍ମର ଆଧାରରେ ହତ୍ୟା କରାଯାଇଥିଲା। ସେମାନଙ୍କର ସାହସ, ବଳିଦାନ ଓ ଦୃଢ଼ ସଙ୍କଳ୍ପରୁ ଆଜିର ଭାରତ ଗଢ଼ିଉଠିଛି। ଆଜି ବିଭାଜନ ବିଭୀଷିକାର ସ୍ମୃତି ଦିବସ ଅବସରରେ ସେମାନଙ୍କର ସେହି ସଂଘର୍ଷ ଓ ବଳିଦାନକୁ ସ୍ମୃତିଚାରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

 ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ,ବିଜେପି ସରକାର କେବଳ ସ୍ମୃତିଚାରଣରେ ସୀମିତ ନୁହେଁ, କାର୍ଯ୍ୟରେ ମଧ୍ୟ ଇତିହାସର ଅନ୍ୟାୟକୁ ସୁଧାରୁଛି। କଶ୍ମୀରରୁ ଧାରା ୩୭୦ ହଟାଇ, "ଏକ ଦେଶ-ଏକ ବିଧାନ-ଏକ ନିଶାନ"ର ସ୍ୱପ୍ନକୁ ସାର୍ଥକ କରାଯାଇଛି। ସୀମା ହେଉ କି ବିଶ୍ଵପଟଳ ହେଉ ଆଜି ଭାରତ ନିଜର ଅଖଣ୍ଡତା ଓ ସାର୍ବଭୌମତା ସହ ସାଲିସ କରୁନାହିଁ। ଆକ୍ରମଣକାରୀଙ୍କୁ ଦୃଢ଼ ଜବାବ ଦେଉଛି। 

CM Mohan Charan Majhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe