ଭୁବନେଶ୍ବର: ପୂଣ୍ୟମାସ ‘କାର୍ତ୍ତିକ’ ପାଇଁ ପୁରୀ ଶ୍ରୀମନ୍ଦିରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷ୍ୟାଳିମାନେ ଏକଜୁଟ ହୋଇଛନ୍ତି। ବ୍ରତରଖି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବରିଷ୍ଠ ନାଗରିକମାନେ ଲକ୍ଷ୍ୟ ରଖୁଛନ୍ତି। ଏହାରି ମଧ୍ୟରେ କିଛି ତ୍ରୁଟି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ଷୋଭ ପ୍ରକାଶ କରିଛନ୍ତି। 

Advertisment

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବିଭିନ୍ନ ଗଣମାଧ୍ୟମରେ କିଛି ହବିଷ୍ୟାଳି ମା'ମାନଙ୍କ ଅସୁବିଧା ବିଷୟରେ  ଅବଗତ ହେବା ପରେ ମୁଁ ବ୍ୟକ୍ତିଗତ ଭାବେ ବିଭାଗୀୟ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଶ୍ରୀଜଗନ୍ନାଥ ଧାମ ପୁରୀ ଠାରେ ବାହାର ଜିଲ୍ଲାରୁ ଆସି ହବିଷ୍ୟବ୍ରତ ପାଳନ କରୁଥିବା ହବିଷ୍ୟାଳି ମା'ମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ପ୍ରତିଶୃତିବଦ୍ଧ। ପ୍ରଭୁ ଜଗନ୍ନାଥ ଆପଣ ସମସ୍ତଙ୍କ ବ୍ରତ ସଫଳ କରନ୍ତୁ। 

ଏଥର ହବିଷ୍ୟାଳି ଯୋଜନା ପାଇଁ ୨ କୋଟି ୫୬ ଲକ୍ଷ ବ୍ୟୟବରାଦ ହୋଇଛି। ଆରମ୍ଭରୁ ଯାହା ତ୍ରୁଟି ବିଚ୍ୟୁତି ଥିଲା ତାକୁ ଆମେ ସୁଧାରି ଦେଇଛୁ। ଆସନ୍ତା ବର୍ଷ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଉଦ୍ୟମ କରିବୁ।

-ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ

କାର୍ତ୍ତିକ ବ୍ରତ ଆରମ୍ଭ ହୋଇଯାଇଥିବାରୁ ହବିଷିଆଳିମାନେ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି। ପୂର୍ବରୁ ୩ହଜାରରୁ ଅଧିକ ହବିଷିଳି ବିଭିନ୍ନ ଶିବିରରେ ରହୁଥିଲେ। କିନ୍ତୁ ଚଳିତବର୍ଷ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ହବିଷିଆଳି ଯୋଜନାରେ ଜିଲ୍ଲା ପ୍ରଶାସନ ୨୫ଶହ ଲୋକଙ୍କ ରହିବା ବ୍ୟବସ୍ଥା କରିଛି। ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣମଣ୍ଡପ ଓ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ଗୃହରେ ଖୋର୍ଦ୍ଧା ଜିଲ୍ଲାର ହବିଷିଆଳି ଏବଂ ବୃନ୍ଦାବତୀନିବାସରେ ବାକି ୨୯ଟି ଜିଲ୍ଲାର ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି। ଅନ୍ୟପଟରେ ହବିଷିଆଳି ଯୋଜନାରେ ରହିବାକୁ ସାରା ରାଜ୍ୟରୁ ୩୬ରୁ ଅଧିକ ବ୍ରତଧାରୀମାନେ ନାମ ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ କାଣ୍ଟଛାଣ୍ଟ କରି ୨୫ଶହଙ୍କୁ ରହିବା ବ୍ୟବସ୍ଥା କରାଯାଇଛି ଓ ବାକି ପ୍ରାୟ ୧୧ଶହ ଆବେଦନପତ୍ରକୁ ନାକଚ କରାଯାଇଛି। ହେଲେ ନାକଚ ହୋଇଥିବା କିଛି ଆବେଦନକାରୀ ବିଭିନ୍ନ ଶିବିରରେ ପହଞ୍ଚିଥିଲେ। ଏଥିସହ ବିନା ପଞ୍ଜୀକରଣରେ ଆଜି ୫ଶହରୁ ଅଧିକ ବୃଦ୍ଧା ବ୍ରତଧାରୀ ହବିଷିଆଳି ଶିବିରରେ ପହଞ୍ଚି ରହିବାକୁ ଜିଦ୍‌ ଧରିଥିଲେ। ଯାହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ଦାୟିତ୍ବରେ ଥିବା ଅଧିକାରୀମାନେ ଏହି ବୃଦ୍ଧାମାନଙ୍କୁ ବୁଝାଇ ବୁଝାଇ ନାକେଦମ୍‌ ହୋଇଛନ୍ତି। ତଥାପି ସେମାନେ ବୁଝିବାକୁ ନାରାଜ ଥିଲେ।  

ଏହି ଖବର ପଢ଼ନ୍ତୁ: ହବିଷ୍ୟାଳି ଶିବିରରେ ଉତ୍ତେଜନା

ହବିଷିଆଳିମାନେ ଅଭିଯୋଗ କରିଛନ୍ତି, ଗତବର୍ଷ ୫ଟି ଜାଗାରେ ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଚଳିତବର୍ଷ ୪ଟି ଜାଗାରେ ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି। ବାଗେଡିଆ ଧର୍ମଶାଳାରେ ଚଳିତବର୍ଷ କୌଣସି ହବିଷିଆଳିଙ୍କୁ ରଖିବା ବ୍ୟବସ୍ଥା କରାଯାଇନି। ସେପଟେ ଆଉ ରହିବା ପାଇଁ ସେଭଳି ମଠ, ମନ୍ଦିର ବି ନାହିଁ। ଏଣୁ ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଏତେ କାଣ୍ଟଛାଣ୍ଟ କାହିଁକି? ଯାହା ହବିଷିଆଳିଙ୍କ ରହିବାରେ ଅସୁବିଧା ସୃଷ୍ଟି କରିଛି ବୋଲି ହବିଷିଆଳିମାନେ ଅଭିଯୋଗ କରିଛନ୍ତି।