Cold storage demanded Photograph: (Sambad )
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଏବଂ ଏନଏସି ଅଞ୍ଚଳରେ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ବ ଜନସଂଖ୍ୟା ବସବାସ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ସରକାରଙ୍କ ଯୋଜନା ଗୁଡ଼ିକରୁ ବିଶେଷ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ତାର ଏକ ଜ୍ୱଳନ୍ତ ଉଦାହରଣ ସହରରେ ଥିବା ଶୀତଳ ଭଣ୍ଡାର ଦୀର୍ଘ ବର୍ଷ ହେଲା ବନ୍ଦ ରହି ଭୂତ କୋଠୀ ପାଲଟି ଭଗ୍ନ ଅବସ୍ଥାରେ ରହିଛି।
୮ ପଞ୍ଚାୟତର ଶତାଧିକ ଚାଷୀ ଦିନ ତମାମ ବିପଦ ପୂର୍ଣ୍ଣ ଅବସ୍ଥାରେ ମୁଖ୍ୟ ରାସ୍ତା କଡ଼ରେ ବସି ବିଭିନ୍ନ ପ୍ରକାରର ପନିପରିବା ବିକୁଥିବା ଦେଖିବାକୁ ମିଳୁଛି। ଶୀତଳ ଭଣ୍ଡାର ନ ଥିବା ଯୋଗୁଁ ସନ୍ଧ୍ୟା ପରେ ବଳକା ପନିପରିବା ଫେରେଇ ନେଉଛନ୍ତି ନଚେତ କମ୍ ଦାମରେ କାହାକୁ ବିକ୍ରି କରୁଛନ୍ତି। କୃଷି ଓ କୃଷକର ଉନ୍ନତି ନିମନ୍ତେ ସରକାର ଙ୍କ ତରଫରୁ ବିଭିନ୍ନ ଯୋଜନା ଅଛି ହେଲେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରୁନି। ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମୀଣ ଅଞ୍ଚଳର ବହୁ ସଂଖ୍ୟକ ଚାଷୀ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି।
ଚାଷୀମାନେ ନିଜେ ବଜାରରେ ପରିବା ବିକ୍ରି କରୁଛନ୍ତି କିନ୍ତୁ ବଜାରରେ ଉପଯୁକ୍ତ ଦରରେ ପନିପରିବା ଦର ମିଳୁନଥିବା କହିଛନ୍ତି ତା ସହ ଶୀତଳ ଭଣ୍ଡାର ନ ଥିବା ଯୋଗୁଁ ଚାଷୀ କମ୍ ଦାମରେ ନିଜ ଅମଳ ପରିବା ବେପାରୀ ଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଚାଷ ପାଇଁ ଖର୍ଚ୍ଚ ଯାହା ହେଉଛି ଚାଷୀ ତାର ଲାଭ ପାଉନଥିବା ବେଳେ ସ୍ଥାନୀୟ ଅଞ୍ଚଳର ମହିଳା ପୁରୁଷ ଚାଷୀ ଚାଷ କାମରୁ ମନ ଫେରେଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛି।
ସେପଟେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜନୈତିକ ନେତା ସରକାର।ନିର୍ବାଚନ ସମୟରେ ରାଜନେତା ବହୁ ପ୍ରତିଶୃତି ଦେଉଛନ୍ତି କିନ୍ତୁ ଦୁର୍ଭାଗ୍ୟର ବିଷୟ ନିର୍ବାଚନ ରେ ଜିତିବା ପରେ କିଛି ପ୍ରତିଶୃତି ପୂରଣ କରୁନଥିବା ଅଭିଯୋଗ କରିଛନ୍ତି ରାସ୍ତାରେ ପନିପରିବା ବିକୁଥିବା ଚାଷୀ। ଘୁ.ଉଦୟଗିରି ଠାରେ ଭଗ୍ନ ଅବସ୍ଥାରେ ଥିବା ଶୀତଳ ଭଣ୍ଡାର ର ପୁନରୁଦ୍ଧାର କରି ନୂତନ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଦାବି କରିଛନ୍ତି ଯାହାଫଳରେ ସ୍ଥାନୀୟ ଅଞ୍ଚଳ ର ଶତାଧିକ ଚାଷୀ ଉପକୃତ ହୋଇପାରିବେ ଓ ଦାଦନ ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରିବ ବୋଲି ବୁଦ୍ଧିଜିବୀ ମତ ରଖିଛନ୍ତି।
Follow Us