ଦୋକାନ ଗୃହ ବଣ୍ଟନରେ ଅନିୟମିତତା: ୪ଅଭିଯୋଗକାରୀଙ୍କୁ ୨୦ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ନବରଙ୍ଗପୁର ପୌରପାଳିକା ପକ୍ଷରୁ ପୌରପାଳିକା କାର୍ଯ୍ୟାଳୟ, ନୂଆ ବସ୍‌ଷ୍ଟାଣ୍ଡ ଓ ଜୀବନ ବୀମା କାର୍ଯ୍ୟାଳୟ ନିକଟରେ ଦୋକାନ ଗୃହ ନିର୍ମାଣ ପାଇଁ ଖାଲି ସ୍ଥଳ କିମ୍ବା ଖାଲି ଥିବା ଦୋକାନ ଗୃହ ଦେବା ପାଇଁ ବିଜ୍ଞାପନ ବାହାରିଥିଲା।

high-court-hearing-via-video-conference

ନବରଙ୍ଗପୁର: ଜିଲ୍ଲା ଖାଉଟି ଅଦାଲତର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପଣ୍ଡା ଓ ସଦସ୍ୟା ସଲମା ବାନୋଙ୍କ ଖଣ୍ଡପୀଠ ନବରଙ୍ଗପୁର ପୌରସଂସ୍ଥା ଦୋକାନ ଗୃହ ଆବଣ୍ଟନରେ ଅନିୟମିତତା ମାମଲାର ବିଚାର କରି ୪ ଜଣ ଅଭିଯୋଗକାରୀଙ୍କୁ ପ୍ରତ୍ୟେକ ୫ ଲକ୍ଷ ଟଙ୍କା କିମ୍ବା ୪ଟି ଦୋକାନ ଗୃହ ଯଥାଶୀଘ୍ର ଦେବା ପାଇଁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ନବରଙ୍ଗପୁର ପୌରପାଳିକା ପକ୍ଷରୁ ପୌରପାଳିକା କାର୍ଯ୍ୟାଳୟ, ନୂଆ ବସ୍‌ଷ୍ଟାଣ୍ଡ ଓ ଜୀବନ ବୀମା କାର୍ଯ୍ୟାଳୟ ନିକଟରେ ଦୋକାନ ଗୃହ ନିର୍ମାଣ ପାଇଁ ଖାଲି ସ୍ଥଳ କିମ୍ବା ଖାଲି ଥିବା ଦୋକାନ ଗୃହ ଦେବା ପାଇଁ ବିଜ୍ଞାପନ ବାହାରିଥିଲା। ଶରତ କୁମାର ଦାଶ, ଦେବୀ ପ୍ରସାଦ ପଟ୍ଟନାୟକ ଓ ୟୁ. ଅରୁଣ କୁମାର, ସ୍ବର୍ଗତ ଶୁଭେନ୍ଦୁ ନାୟକ ୪ ଜଣ ଆବେଦନକାରୀ ଗତ ୨୦୧୫ ମସିହାରେ ପୌରସଂସ୍ଥାର ବିଜ୍ଞାପନ ଅନୁସାରେ ଅଗ୍ରୀମ ୧୦,୦୦୦ ଟଙ୍କା ପଇଠ କରି ଦୋକାନ ଗୃହ ପାଇଁ ବାରମ୍ବାର ଅଫିସ ଦୌଡ଼ିଥିଲେ। ପୌର କର୍ତ୍ତୃପକ୍ଷ ଦୀର୍ଘ ୯ ବର୍ଷ ବିତିଯାଇଥିଲେ ମଧ୍ୟ ଦୋକାନ ଗୃହ ଦେଇନଥିଲେ।  

ଆବେଦନକାରୀ ଶୁଭେନ୍ଦୁ ନାୟକଙ୍କ ଆବେଦନର ଏକ ମାସ ମଧ୍ୟରେ ଦେହାନ୍ତ ହୋଇଯିବାରୁ ତାଙ୍କ ସ୍ତ୍ରୀ ଅଞ୍ଜୁଶ୍ରୀ ସାହୁ  ଓ ଅନ୍ୟ ତିନି ଜଣ ବାରମ୍ବାର ପୌରପାଳିକାକୁ ଯାଇ  ଅନେକ ଥର ଲିଖିତ ଅନୁରୋଧ ପତ୍ର ପୌରସଂସ୍ଥା କାର୍ଯ୍ୟାଳୟରେ ଦାଖଲ କରିଥିଲେ। ପୌରପାଳିକା ଏଥିପ୍ରତି କୌଣସି ଗୁରୁତ୍ୱ ନଦେବା ଯୋଗୁଁ ଆବେଦନ କାରୀ ମାନେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଏପରିକି ଖାଉଟି ଅଦାଲତର ନୋଟିସ୍ ପାଇବା ପରେ ମଧ୍ୟ ପୌର କର୍ତ୍ତୃପକ୍ଷ ଅଦାଲତରେ ହାଜର ହୋଇନଥିଲେ କି ତାଙ୍କର କୌଣସି ପକ୍ଷ ରଖିନଥିଲେ।

ପୌରସଂସ୍ଥର ଏଭଳି ବେଆଇନ କାର୍ଯ୍ୟ ଓ କାର୍ଯ୍ୟରେ ଅବହେଳା ଯୋଗୁଁ ଆବେଦନକାରୀମାନେ ନିଜ ଜୀବିକା ହରାଇ ଗଭୀର ମାନସିକ ଚାପ ଓ ଆର୍ଥିକ କ୍ଷତି ସହିଥିଲେ। ଏଥିପାଇଁ ଯଥାଶୀଘ୍ର ଏକ ଦୋକାନ ଗୃହ ଯୋଗାଇବା ପାଇଁ, ପଇଠ କରିଥିବା ଅଗ୍ରୀମ ଟଙ୍କା ଫେରାଇବା ଓ କ୍ଷତିପୂରଣ ବାବଦକୁ ୧୬ଲକ୍ଷ ୫୦, ୦୦୦ ଟଙ୍କା ଦେବା ପାଇଁ ପ୍ରାର୍ଥନା କରିଥିଲେ।

ଏହି ମାମଲାର ବିଚାର କରି ଖାଉଟି ଅଦାଲତ ୪ ଜଣ ଆବେଦନକାରୀଙ୍କୁ ଯଥାଶୀଘ୍ର ଉପଯୁକ୍ତ ସ୍ଥାନରେ ଦୋକାନ ଗୃହ ଯୋଗାଇବା କିମ୍ବା ପ୍ରତ୍ୟେକ ଙ୍କୁ ୫ ଲକ୍ଷ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାସକ ମଧ୍ୟରେ ଦୋକାନ ଗୃହ କିମ୍ବା କ୍ଷତିପୂରଣ ରାଶି ପ୍ରଦାନ ନକଲେ ବାର୍ଷିକ ୧୨% ସୁଦ୍ଧ ସହ ଦେବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ରାୟର ଅବମାନନା କଲେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଖାଉଟି ଅଦାଲତ ସ୍ପଷ୍ଟ କରିଛନ୍ତି। ଆଇନଜୀବୀ ରାମ ପ୍ରସାଦ ପାତ୍ର ଅଭିଯୋଗକାରୀଙ୍କ ମାମଲା ପରିଚାଳନା କରିଥିଲେ।

Nabarangpur | court

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe