contraband seized Photograph: (sambad.in)
ରାଉରକେଲା: ସହରରେ ଗ​ଞ୍ଜେଇ ବେପାର ଦିନକୁଦିନ ବଢ଼ିବାରେ ଲାଗିଛି। ପୁଲିସ କେବଳ ଛୋଟଛୋଟ ବେପାରୀଙ୍କୁ କାବୁ କରିବାରେ ସକ୍ଷମ ହେଉଥିବାବେଳେ ବଡ଼ ବେପାରୀ ଅନାୟାସରେ ବେପାର କରୁଛନ୍ତି। ପ୍ଲାଣ୍ଟସାଇଟ୍ ପୁଲିସ ବୁଧବାର ୨ଟି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବାଲେଶ୍ବର ରେମୁଣା ଅଞ୍ଚଳର ମୂଳନିବାସୀ ତଥା ରାଉରକେଲା ଶାନ୍ତିପଡ଼ାରେ ରହୁଥିବା ଗୌତମ ମହାଳିକ(୩୪), ଲହୁଣିପଡ଼ାର ରାକେଶ ଚୌଧୁରୀ(୩୭), ଯାଜପୁର ମଙ୍ଗଳପୁରର ମୂଳନିବାସୀ ତଥା ରାଉରକେଲା ପାୱାର ହାଉସ୍ ରୋଡ୍ ଅଞ୍ଚଳ​ରେ ରହୁଥିବା ପ୍ରକାଶ ସ୍ବାଇଁ(୨୬) ଏବଂ ଓରାମ୍ପଡ଼ାର ବାଲିଧର ଲେଙ୍କା(୫୫)। ସେମାନଙ୍କ ଠାରୁ ମୋଟ ​୨୩ କେଜି ୭୨୦ ଗ୍ରାମ୍ ​ଗ​ଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।
ପ୍ଲାଣ୍ଟସାଇଟ୍ ଥାନା ଏସ୍ଆଇ ସୁବ୍ରତ ପଣ୍ଡା ଏକ୍ ଟିମ୍ ସହ ବୁଧବାର ସକାଳେ ପାଟ୍ରୋଲିଂ କରୁଥିବାବେଳେ ଏକ ବିଶ୍ବସ୍ତସୂତ୍ରରୁ ଖବର ପାଇ ୨ ଜଣ ଗଞ୍ଜେଇ ବେପାରୀଙ୍କ ପିଛା କରିଥିଲେ। ଟ୍ରାଫିକ୍​ ଗେଟ୍ ଛକରୁ ଗୋଡ଼ାଇଗୋଡ଼ାଇ ପୁଲିସ ଉଭୟଙ୍କୁ ବଣିଆ ଗେଟ୍ ନିକଟରେ କାବୁ କରିଥିଲା। ସେମାନଙ୍କ ଠାରୁ ଏକ ଧଳା ପ୍ଲାଷ୍ଟିକ୍ ବସ୍ତା ଭର୍ତ୍ତି ​ଗଞ୍ଜେଇ ଜବତ କରାଯାଇଥିଲା।
ପୁଲିସ ସୂଚନା ଅନୁଯାୟୀ ଗୌତମ ମହାଳିକ ପାୱାର ହାଉସ ଅଞ୍ଚଳରେ ଗଞ୍ଜେଇ ବେପାର କରେ। ରାକେଶ ଚୌଧୁରୀର ଲହୁଣିପଡ଼ା ଅଞ୍ଚଳରେ ଏକ ଢାବା ରହିଛି। ସେ ଗୌତମଠାରୁ ଗଞ୍ଜେଇ ନେଇ ଢାବାରେ ବିକ୍ରି କରିବା ସହ ଆଖପାଖ ଅଞ୍ଚଳରେ ମଧ୍ୟ ବେପାର କରେ। ଆଜି ସେ ​ଗଞ୍ଜେଇ ନେବାକୁ ଆସିଥିବାବେଳେ ପୁଲିସ ରାକେଶ ଏବଂ ଗୌତମଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ୨୧ କେଜି ୧୨୦ ଗ୍ରାମ୍ର ଗଞ୍ଜେଇ ସହ ଜୁପିଟର୍ ସ୍କୁଟି (ଓଡି-୩୪ପି-୯୫୭୪) ଓ ୩ଟି ମୋବାଇଲ୍ ଜବତ ହୋଇଛି। ଉଭୟଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି।
ରାକେଶ ନାଁରେ ପୂର୍ବରୁ ଲହୁଣିପଡ଼ା ଥାନାରେ ଓଡ଼ିଶା ଅବକାରୀ ଧାରାରେ ୪ଟି ମାମଲା ରହିଛି। ସେହିଭଳି ପ୍ରକାଶ ନାଁରେ ପ୍ଲାଣ୍ଟସାଇଟ୍ ଥାନାରେ ୨ଟି ମାମଲା ରହିଛି। ପ୍ଲାଣ୍ଟସାଇଟ୍ ପୁଲିସ ଆଜି ଆଉ ଏକ ମାମଲାରେ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ଗୋପବନ୍ଧୁପାଲି ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ପୁଲିସ ଖବର ପାଇ ୨ ବେପାରୀ ପ୍ରକାଶ ସ୍ବାଇଁ ଏବଂ ବାଲିଧର ଲେଙ୍କାଙ୍କୁ ବିଏସ୍ଏନ୍ଏଲ୍ ଛକରୁ ଧରିଥିଲା। ସେମାନଙ୍କ ଠାରୁ ପ୍ରାୟ ସାଢ଼େ ୨ କେଜି ଗଞ୍ଜେଇ ସହ ୨ଟି ମୋବାଇଲ୍ ଓ ଗୋଟିଏ ଆକ୍ଟିଭା ସ୍କୁଟି (ଓଡି-୧୪ପି-୫୯୨୦) ଜବତ କରିଛି।
Rourkela | Crime
Follow Us