ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗଂଜେଇ, ଭଦ୍ରକରେ ଧରିଲା ଆରପିଏଫ୍‌

ଭଦ୍ରକ ରେଳ ଷ୍ଟେସନରେ ୩୦ କିଲୋରୁ ଅଧିକ ଓଜନର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଧିନ ସଲାର ଅଞ୍ଚଳର ଏସ୍‌ କେ ବାଦଲ ଓ ନୁର ଇସଲାମ ଆରପିଏଫ୍‌ ହାତରେ ଗିରଫ ହୋଇଛନ୍ତି।

ଭଦ୍ରକ:  ଭଦ୍ରକ ଷ୍ଟେସନରୁ ମଙ୍ଗଳବାର ଦିନ ୩୦ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଚୋରା ଗଞ୍ଜେଇ ନେଇ ଯାଉଥିବା ଦୁଇ ଯୁବକ ରେଳବାଇ ପୁଲିସ ହାତରେ ଧରା ପଡ଼ିଛନ୍ତି। କିନ୍ତୁ ଏହି ଚୋରା ଚାଲାଣର ମାଷ୍ଟରମାଇଣ୍ଡ ଘଟଣାସ୍ଥଳକୁ ଖସିଯାଇଛି।

ଗଞ୍ଜେଇକୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବା ପାଇଁ ଏହି ଯୁବକଙ୍କୁ ୩ ହଜାର ଟଙ୍କା ଦିଆଯାଉଥିଲା। ନିଜେ ଆଖପାଖରେ ରହି ନଜର ରଖୁଥିଲେ ଗଞ୍ଜେଇ ଚାଲାଣର ମାଷ୍ଟରମାଇଣ୍ଡ। ଏମିତି ଏକ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗଞ୍ଜେଇ ସହ ଧରିଛି ଭଦ୍ରକ ଆରପିଏଫ।


ସୂଚନା ଅନୁଯାୟୀ ଭଦ୍ରକ ରେଳ ଷ୍ଟେସନ୍‌ରେ ଭଦ୍ରକ ରେଳ ସୁରକ୍ଷା ବଳ ଦ୍ଵାରା ନିୟମିତ ଚେକିଙ୍ଗ ବେଳେ ଦୁଇ ଜଣ ଯୁବକଙ୍କୁ ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ ନଜରରେ ରଖିଥିଲେ। ସନ୍ଧ୍ୟା ସମୟରେ ଦୁଇ ଯୁବକଙ୍କ ନିକଟରେ ଥିବା ବ୍ୟାଗ୍‌କୁ ଯାଞ୍ଚ କରାଯାଇଥିଲା। ବ୍ୟାଗ୍‌ରେ ଗଞ୍ଜେଇ ଥିବାରୁ ଦୁଇ ଯୁବକଙ୍କୁ କାବୁ କରିବା ବେଳେ ସେମାନଙ୍କ ସାଙ୍ଗରେ ଥିବା ମାଷ୍ଟରମାଇଣ୍ଡ ସେଠାରୁ ଫେରାର ହୋଇଯାଇଥିଲେ।

ତେବେ ବ୍ୟାଗ ଭିତରୁ ୩୦ କିଲୋରୁ ଅଧିକ ଓଜନର ଗଞ୍ଜେଇ ଜବତ ହୋଇଥିବା ନେଇ ଆରପିଏଫ ଥାନାଧିକାରୀ ଏମ୍ ମହେଶ ସୂଚନା ଦେଇଛନ୍ତି। ଗିରଫ ଦୁଇ ଯୁବକ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଧିନ ସଲାର ଅଞ୍ଚଳର। ସେମାନେ ହେଲେ ଏସ୍‌ କେ ବାଦଲ ଓ ନୁର ଇସଲାମ। ମାଷ୍ଟରମାଇଣ୍ଡ ଏସ୍‌ କେ ହିଲାଲ ଆରପିଏଫକୁ ଦେଖି ଭଦ୍ରକ ଷ୍ଟେସନରୁ ଫେରାର ହୋଇଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ସୂଚନା ଅନୁଯାୟୀ ଗଞ୍ଜେଇ ବ୍ୟାଗକୁ ହାୱଡାରେ ପହଞ୍ଚାଇବା ପାଇଁ ସେମାନଙ୍କୁ ୩ ହଜାର ଟଙ୍କା ଦିଆଯାଇଥିଲା। ପରେ ସେଠାରୁ ଅନ୍ୟ ଏଜେଣ୍ଟ ଦ୍ଵାରା ଗୁଜୁରାଟ ପର୍ଯ୍ୟନ୍ତ ଗଞ୍ଜେଇ ଚାଲାଣ ହୋଇଥାନ୍ତା ବୋଲି ପୁଲିସର ପ୍ରାଠମିକ ତଦନ୍ତରୁ ଜଣାପଡ଼ିଛି।

Crime | Bhadrak | contraband

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe