ରାଉରକେଲାରେ ଜବତ ହେଲା ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ

ମାଫିଆଙ୍କ ବେଆଇନ ବାଣ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏଯାଏ ବାଣ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନି। କିନ୍ତୁ ‌କିଛି ହୋଲ୍‌ସେଲର୍‌ ଲକ୍ଷାଧିକ ଟଙ୍କାର ବାଣ ଗଚ୍ଛିତ ରଖିସାରିଲେଣି।

crackers
ରାଉରକେଲା: ଦୀପାବଳି ଯେମିତି ପାଖେଇ ଆସୁଛି, ଠିକ୍‌ ସେହିଭଳି ମାଫିଆଙ୍କ ବେଆଇନ ବାଣ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏଯାଏ ବାଣ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନି। କିନ୍ତୁ ‌କିଛି ହୋଲ୍‌ସେଲର୍‌ ଲକ୍ଷାଧିକ ଟଙ୍କାର ବାଣ ଗଚ୍ଛିତ ରଖିସାରିଲେଣି। ନିୟମର ଖୋଲା ଉଲ୍ଲଂଘନକରି ଜନବସତି ଅଞ୍ଚଳରେ ଥିବା ଗୋଦାମରେ ବାଣ ଗଦା କରୁଛନ୍ତି। ଠିକ୍‌ ଏଭଳିଭାବେ ବାଣବେପାର କରୁଥିବା ଦୁଇ ଅଭିଯୁକ୍ତଙ୍କୁ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଅଟକ ରଖିଛି।
ଡେଲିମାର୍କେଟ୍‌ ଅଞ୍ଚଳର ଦୁଇ ବାଣବେପାରୀ ବିକାଶ ଅଗ୍ରୱାଲ ଓ ଅଜୟ ଗୁପ୍ତାଙ୍କ ପାଖରୁ ପୁଲିସ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ଜବତ କରିଛି। ଅଭିଯୁକ୍ତ ବିକାଶଙ୍କ ଡେଲିମାର୍କେଟ୍‌ରେ ‘ରୂପସୃଙ୍ଗାର’ ଦୋକାନ ଅଛି। ଉକ୍ତ ଦୋକାନ ପଛପଟେ ଏକ ଗୋଦାମରେ ୨୦ ଲକ୍ଷରୁ ଅଧିକ ମୂଲ୍ୟର ବିଭିନ୍ନ କିସମର ବାଣ ରଖିଥିଲେ।

ଏନେଇ ସୂଚନାପାଇ ଶନିବାର ବିଳମ୍ବିତ ସଂଧ୍ୟାରେ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଚଢ଼ଉକରି ଜବତ କରିଥିଲା। ରବିବାର ଦିନସାରା ଛାନ୍‌ଭିନ୍‌ କରିଥିଲା। ଅଭିଯୁକ୍ତ ଦ୍ବୟ କେଉଁଠାରୁ ବାଣ ଆଣିଥିଲେ, ସେନେଇ ମୁହଁ ଖୋଲୁନଥିବା ଜଣାପଡ଼ିଛି।

ସହରରେ କେବଳ ୨ ଜଣ ଲାଇସେନ୍ସପ୍ରାପ୍ତ ବାଣ ହୋଲ୍‌ସେଲର୍‌ ଅଛନ୍ତି। କିନ୍ତୁ, ଏକାଧିକ ବ୍ୟକ୍ତ ଅନୈତିକଭାବେ ବାଣ ବେପାରରେ ମାତିଯାଇଛନ୍ତି। ବାସ୍ତବରେ ବେଆଇନ ବାଣବେପାରୀଙ୍କ ସଂଖ୍ୟା ୫୦ ଟପିବ। ସେମାନେ ଲୁଚାଛପାଭାବେ ରାୟପୁର, ଶିବକାଶୀ ଆଦି ବିଭିନ୍ନ ସ୍ଥାନରୁ ବାଣ ଆଣି ବିକିବା ଆରମ୍ଭ କରିସାରିଲେଣି। ଅପରପକ୍ଷରେ ଏଭଳି ବେଆଇନ ବେପାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ରାଉରକେଲା ପୁଲିସ ଅଣ୍ଟା ଭିଡ଼ିଛି। ଏକ ସ୍ବତନ୍ତ୍ର ଟିମ ଗଠନ କରାଯିବ। ଉକ୍ତ ଦଳ ସହରର ବିଭିନ୍ନ ସ୍ଥାନରେ ବାଣବିକ୍ରି ଉପରେ କଡ଼ା ନଜର ରଖିବବୋଲି ପୁଲିସ ପକ୍ଷରୁ କହାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe