ସୋର: ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଚୋରି, ଡକାୟତି, ଲୁଟ୍ ଭଳି ଘଟଣା ବଢ଼ିବାରେ ଲାଗିଛି। ପୌରପାଳିକା ଅନ୍ତର୍ଗତ ଉତ୍ତରେଶ୍ୱର ନିକଟରୁ ଦିନ ଦ୍ବିପ୍ରହରେ ଜଣେ ପ୍ରଧାନଶିକ୍ଷକଙ୍କ ବାଇକ ଡ଼ିକି ଭାଙ୍ଗି ୧୯ ହଜାର ଟଙ୍କା ଲୁଟ ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ସେହିପରି ଅନ୍ୟ ଏକ ଘଟଣାରେ ସ୍ଥାନୀୟ ଲୋକେ ଚୋରକୁ କାବୁ କରି ପୁଲିସ ନିକଟରେ ଜିମା ଦେଇଛନ୍ତି।
ପ୍ରଥମ ଘଟଣାର ସାମ୍ନା କରିଛନ୍ତି ଖଇରା ଥାନା ଅଚ୍ୟୁତିପୁର ଗ୍ରାମର ଗୌରାଙ୍ଗ ଚରଣ ବେହେରା। ଓହଡ଼ ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀ ବେହେରା ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଟଙ୍କା ଉଠାଇବା ପାଇଁ ସୋର ଷ୍ଟେସନ ଛକସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଆସିଥିଲେ। ସେଠାରୁ ୧୯ ହଜାର ଟଙ୍କା ଉଠାଇ ବାଇକ ଡ଼ିକିରେ ରଖିଥିଲେ। ଉତ୍ତରେଶ୍ୱର ନିକଟରେ ବାଇକକୁ ରଖି ଫଳ ଦୋକାନରୁ ଫଳ କିଣିବା ପାଇଁ ଯାଇଥିଲେ। କମ ସମୟ ମଧ୍ୟରେ ଶ୍ରୀ ବେହେରା ବାଇକ ନିକଟକୁ ଆସି ଦେଖିଲା ବେଳକୁ ଡ଼ିକି ଖୋଲା ଥିଲା ଏବଂ ସେଥିରେ ଟଙ୍କା ନ ଥିବା ଦେଖି ତୁରନ୍ତ ସୋର ଥାନାରେ ଅଭିଯୋଗ କରିଥିଲେ।
ସୋରରେ ଚୋରି, ଡକାୟତି ଆଦି ହିଂସାତ୍ମକ ଘଟଣା ଘଟିବାରେ ଲାଗିଛି। ଆଜି ପ୍ରାୟ ୬ ଘଣ୍ଟା ଭିତରେ ସୋରରେ ୨ଟି ଚୋରି ଘଟଣା ଘଟିଛି। ଚୋରି ଘଟଣା ବାରମ୍ବାର ଦେଖାଯାଉଥିବାରୁ ବୁଦ୍ଧିଜୀବୀଙ୍କର ଚିନ୍ତା ବଢ଼ିଛି।
ଅନ୍ୟ ଏକ ଘଟଣା କ୍ରମରେ ସୋର ପୌର ପାଳିକା ଅନ୍ତର୍ଗତ ନଛିପୁର ଗଞ୍ଜ ଗ୍ରାମର ହରେକୃଷ୍ଣ ପ୍ରଧାନ କଲେଜ ଛକରେ ଏକ ବେକେରି ଦୋକାନ କରିଛନ୍ତି। ଆଜି ସକାଳେ ହରେକୃଷ୍ଣ ନିଜ ସ୍କୁଟି (ଓଡି ୦୧ ଏଜି ୨୮୦୬)କୁ ଦୋକାନ ସମ୍ମୁଖରେ ରଖିଥିଲେ। ମଧ୍ୟାହ୍ନରେ ସ୍କୁଟି ଟିକୁ ଦୁଇ ଯୁବକ ଚୋରି କରି ନେଇ ଫେରାର ହେଉଥିବା ବେଳେ ତାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ପିଛା କରିଥିଲେ। ଚୋର ଦ୍ବୟ କିଛି ଉପାୟ ନ ପାଇ ସ୍କୁଟି ନେଇ ଦହିସଡା ଗ୍ରାମ ମଧ୍ୟକୁ ପଶି ଯାଇଥିଲେ। ଏହା ଜାଣିପାରି ଗ୍ରାମବାସୀମାନେ ଚୋର ଦ୍ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଏକ ନଈ ମଧ୍ୟରୁ ଧରିଥିଲେ। ଉତ୍ତମ ମଧ୍ୟମ ଦେବା ପରେ ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚୋର ଦ୍ବୟଙ୍କୁ ଥାନାକୁ ଆଣି ଅଟକ ରଖିବା ସହିତ ସ୍କୁଟି ଟିକୁ ଜବତ କରି ଥାନାକୁ ଆଣିଛି। ଏ ବାବଦରେ ହରେକୃଷ୍ଣ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Balasore
Follow Us