ବିଜ୍ଞାନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ଉପରେ ଦୂରଦର୍ଶୀ ବକ୍ତୃତା ଆୟୋଜିତ

ଆଞ୍ଚଳିକ ଗବେଷଣା ପରୀକ୍ଷାଗାର ଭାବରେ ୧୯୬୪ ମସିହା ଏପ୍ରିଲ ୧୩ ତାରିଖରେ ସ୍ଥାପିତ ଏହି ପ୍ରତିଷ୍ଠାନ ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସିଏସ୍ଆଇଆର୍-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି)ର ୬୨ତମ ପ୍ରତିଷ୍ଠା ଦିବସ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଆଞ୍ଚଳିକ ଗବେଷଣା ପରୀକ୍ଷାଗାର (ଆରଆରଏଲ) ଭାବରେ ୧୯୬୪ ମସିହା ଏପ୍ରିଲ ୧୩ ତାରିଖରେ ସ୍ଥାପିତ ଏହି ପ୍ରତିଷ୍ଠାନ ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୨୦୦୭ ମସିହାରେ ଏହାର ଲକ୍ଷ୍ୟ ଏବଂ ଜାତୀୟ ମିସନକୁ ଉତ୍ତମ ଭାବରେ ପ୍ରତିଫଳିତ କରିବା ପାଇଁ ଏହାକୁ ସିଏସ୍ଆଇଆର୍- ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ନାମରେ ନାମିତ କରାଯାଇଥିଲା। ଚଳିତ ବର୍ଷ ଏପ୍ରିଲ ୧୩ ତାରିଖ ଛୁଟି ଥିବାରୁ ଏପ୍ରିଲ ୧୬ ତାରିଖରେ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଜ୍ଞାନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ଉପରେ ଦୂରଦର୍ଶୀ ବକ୍ତୃତା ଆୟୋଜିତ ହୋଇଥିଲା।

ପ୍ରତିଷ୍ଠାନର ଗୌରବମୟ ଯାତ୍ରା, ଉପଲବ୍ଧି ଏବଂ ଭବିଷ୍ୟତର ଆକାଂକ୍ଷା ଉପରେ ଆଲୋକପାତ କରିଥିବା ସିଏସ୍ଆଇଆର- ଆଇଏମଏମଟିର ନିର୍ଦେଶକ ଡ. ରାମାନୁଜ ନାରାୟଣ ସ୍ୱାଗତ ଭାଷଣ ଦେଇ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ବୈଷୟିକ ଉନ୍ନତି ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବାରେ ସିଏସଆଇଆର-ଆଇଏମଏମଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

publive-image

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସିଏସଆଇଆରର ପୂର୍ବତନ ମହାନିର୍ଦ୍ଦେଶକ ଡ. ଶେଖର ସି ମାଣ୍ଡେ ଯୋଗ ଦେଇଥିଲେ। ଡ. ମାଣ୍ଡେ ‘ବିକଶିତ ଭାରତ ନିର୍ମାଣ ପାଇଁ ଏସ୍ ଆଣ୍ଡଟି ରୋଡମ୍ୟାପ୍’ ଶୀର୍ଷକ ଉପରେ ପ୍ରତିଷ୍ଠା-ଦିବସ ବକ୍ତୃତା ପ୍ରଦାନ କରିଥିଲେ। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ଉପଯୋଗ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ସହ ଉଦ୍ଭାବନ, ଜ୍ଞାନ ପ୍ରଣାଳୀର ସମନ୍ୱୟ ଏବଂ ରାଷ୍ଟ୍ର ନିର୍ମାଣରେ ସିଏସଆଇଆର-ଆଇଏମଏମଟି ଭଳି ଅନୁଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଟେକ୍ନିସିଆନ୍, ସିକ୍ୟୁରିଟି ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସ୍ଓ) ଏବଂ ସେକ୍ସନ୍ ଅଫିସରଙ୍କ ସମେତ ନବନିଯୁକ୍ତ କର୍ମଚାରୀଙ୍କୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ନିଯୁକ୍ତି ଅନୁଷ୍ଠାନର ଅଭିବୃଦ୍ଧି ଏବଂ ଦକ୍ଷତା ବିକାଶର ଏକ ନୂତନ ଅଧ୍ୟାୟ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସିଏସଆଇଆର-ଆଇଏମଏମଟି କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ କଳା ପ୍ରତିଭାକୁ ପ୍ରଦର୍ଶିତ କରିବାର କାର୍ଯ୍ୟକ୍ରମ ସହିତ ଦିନିକିଆ ଉତ୍ସବ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସମସ୍ତଙ୍କୁ ବନ୍ଧୁତ୍ୱ, ସୃଜନଶୀଳତା ଏବଂ ଉତ୍ସବର ଭାବନାରେ ଏକାଠି କରିଥିଲା। 

Bhubaneswar | CSIR-IMMT

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe